ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ମ୍ୟାଚ୍ ଓ ସିରିଜ୍ ଜିତିବା ପାଇଁ ଭାରତର ଦେଲା ୨୮୮ ରନ୍ର ଟାର୍ଗେଟ୍
ପାର୍ଲ : ଦକ୍ଷିଣ ଆଫ୍ରିକାର ବୋଲାଣ୍ଡ ପାର୍କରେ ଆଜି ଚାଲିଛି ଭାରତ ଓ ଘରୋଇ ଦଳ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ପ୍ରଥମ ମ୍ୟାଚ୍ ହାରି ସାରିଥିବା ଭାରତୀୟ ଦଳକୁ ସିରିଜ୍ରେ ରହିବା ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ସେହି ଲକ୍ଷ୍ୟରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ କରିଛି ୬ ଓ୍ଵିକେଟ୍ରେ ୨୮୭ ରନ୍ । ଏବେ ଦକ୍ଷିଣ ଆଫ୍ରିକା ଯଦି ଏହି ସ୍କୋର ପାର୍ କରି ଯାଉଛି ତେବେ ଦିନିକିଆ ସିରିଜ୍ ବିଜୟୀ ହେବ । ଜବାବରେ ପଞ୍ଚମ ଓଭର ବେଳକୁ ଦକ୍ଷିଣ ଆଫ୍ରିକା ଦଳ ବିନା ଓ୍ଵିକେଟ୍ରେ ୩୫ ରନ୍ କରିଥିଲା ।
ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ଆଜି ପ୍ରଥମେ ବ୍ୟାଟିଂ ନେଇଥିଲେ । ପ୍ରଥମ ଓ୍ଵିକେଟ୍ରେ ପାର୍ଟନରସିପ ବି ଭଲ ହୋଇଥିଲା । ରାହୁଲ ନିଜେ ୫୫ ଏବଂ ଅନ୍ୟତମ ଓପ୍ନର ଶିଖର ଧବନ ୨୯ ରନ୍ କରିଥିଲେ । ହେଲେ ଧବନ ଆଉଟ୍ ହେବା ପରେ ଆସିଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ଯାଇଥିଲେ । ଯାହାଥିଲା ଦଳ ପାଇଁ ବଡ଼ ଝଟ୍କା ।
ତେବେ ଏଇଠି ଦମ୍ ଦେଖାଇଥିଲେ ଫର୍ମରେ ଥିବା ଓ୍ଵିକେଟ୍ କିପର ଋଷଭ ପନ୍ତ । ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ୬୪ରୁ ୧୭୯ ରନ୍ରେ ପହଞ୍ଚାଇଥିଲେ । ବ୍ୟକ୍ତିଗତ ଭାବେ ପନ୍ତ ବଢ଼ିଆ ବ୍ୟାଟିଂ କରି ୭୧ ବଲରେ ୮୫ ରନ୍ କରିଥିଲେ । ଏଥିରେ ଥିଲା ୧୦ ଚୌକା ଓ ୨ ଛକା । ତାଙ୍କ ପୂର୍ବରୁ ୭୯ ବଲ୍ର ସାମନା କରି ୫୫ ରନ୍ରେ ଆଉଟ୍ ହୋଇଥିଲେ ରାହୁଲ ।
ଏମାନଙ୍କ ପରେ ଶେଷ ଭାଗ ବ୍ୟାଟରମାନେ ଆହୁରି ଶହେ ରନ୍ରୁ ଅଧିକ ଯୋଗ କରିବାରେ ସମର୍ଥ ହୋଇଥିଲେ । ଯାହାଫଳରେ ଭାରତ ଏକ ଭଲ ସ୍କୋର କରି ପାରିଛି । ବିଶେଷ କରି ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ର ଅଶ୍ୱିନ୍ଙ୍କ ଅପରାଜିତ ଯୋଡ଼ି ଅସମାପ୍ତ ସପ୍ତମ ଓ୍ଵିକେଟ୍ରେ ୫୨ ରନ୍ ଯୋଡ଼ିଥିଲେ । ଠାକୁର ୩୮ ବଲ୍ରେ ୪୦ ରନ୍ ଏବଂ ଅଶ୍ୱିନ୍ ୨୪ ବଲ୍ରେ ୨୫ ରନ୍ ସ୍କୋର କରିଥିଲେ ।
ଏବେ ଭାରତୀୟ ଖେଳାଳିମାନେ ବୋଲିଂ ଓ ଫିଲଡିଂରେ କେତେ ଦମ୍ ଦେଖାଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।