ବିଶ୍ୱକପ୍‌ : ଇଣ୍ଡିଜ୍‌କୁ ୨୬୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ, ବିରାଟ ଓ ଧୋନିଙ୍କ ଅର୍ଦ୍ଧଶତକ

ମାଞ୍ଚେଷ୍ଟର : ଭାରତୀୟ ଫ୍ୟାନ୍‌ଙ୍କୁ ନିରାଶ କଲା ବିରାଟ ବାହିନୀ । ଆଶାର ବିପରୀତ ଭାବେ ଖେଳି ଆଜି ବିଶ୍ୱ କପ୍‌ ମ୍ୟାଚ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୭ ଓ୍ଵିକେଟ୍‌ରେ ୨୬୮ ରନ୍‌ ସ୍କୋର କରିଛି । ଯଦିଓ ସ୍କୋର ୨୬୮ରେ ପହଞ୍ଚିଛି ତଥାପି ପ୍ରଶଂସକ ସନ୍ତୁଷ୍ଟ ନୁହନ୍ତି । ଏବେ ମ୍ୟାଚ୍‌ ଜିତିବାକୁ ଟିମ୍‌ ଇଣ୍ଡିଆକୁ ଖୁବ୍‌ ସଂଘର୍ଷ କରିବାକୁ ହେବ ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍‌ ଇଣ୍ଡିଆ । ହେଲେ ରୋକ୍‌ ଓ ହୋଲଡର୍‌ଙ୍କ ବୋଲିଂ ଆକ୍ରମଣ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଘାଇଲା କରି ଦେଇଥିଲା । ରୋହିତ ଶର୍ମା ମାତ୍ର ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ । ଅବଶ୍ୟ ତାଙ୍କ ଆଉଟ୍‌ ବିବାଦୀୟ ଥିଲା । ପରେ କିଛି ସମୟ ଯାଏ ପାଳି ସମ୍ଭାଳିଥିଲେ କେ.ଏଲ୍‌ ରାହୁଲ ଏବଂ ଅଧିନାୟକ ବିରାଟ କୋହଲି । ରାହୁଲ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ୪୮ ରନ୍‌ କରି ହୋଲଡରଙ୍କ ବଲ୍‌ରେ ବୋଲଡ୍‌ ହୋଇ ଯାଇଥିଲେ । ଏହି ସମୟରେ ଗୋଟିଏ ପଟେ ବିରାଟ ଏକାକୀ ଲଢ଼େଇ ଜାରି ରଖିଥିବା ବେଳେ ବିଜୟ ଶଙ୍କର ୧୪ ଓ କେଦାର ଯାଦବ ୭ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ । ତେବେ ଏହା ପରେ କୋହଲି ଓ ଧୋନି ଯୋଡ଼ି ଜମି ଆସୁଥିବା ବେଳେ ବିରାଟ ଏକ ଭୁଲ ସଟ୍‌ ଖେଳି ୭୨ ରନ୍‌ରେ ଆଉଟ୍‌ ହୋଇ ଯାଇଥିଲେ । ଚଳିତ ବିଶ୍ୱକପ୍‌ରେ ବିରାଟଙ୍କର ଏହା ହେଉଛି ଲଗାତର ଚତୁର୍ଥ ଅର୍ଦ୍ଧଶତକ ।

INDIA FAN
ପଞ୍ଚମ ଓ୍ଵିକେଟ୍‌ ୧୮୦ ରନ୍‌ରେ ପଡ଼ିଯିବା ପରେ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟା ଜଗି ରଖି ଖେଳିଥିଲେ । ତେବେ ସେମାନେ ବଡ଼ ସଟ୍‌ ଅପେକ୍ଷା ସିଙ୍ଗଲ ଓ ଡବଲ୍‌ ରନ୍‌ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଯାହାଫଳରେ ରନ୍‌ର ଗତି ଧିମେଇ ଯାଇଥିଲା । ଏହି ଯୋଡ଼ି ଷଷ୍ଠ ଓ୍ଵିକେଟ୍‌ରେ ୭୦ ରନ୍‌ ସଂଗ୍ରହ କରିଥିଲେ । ପାଣ୍ଡ୍ୟା ୩୮ ବଲ୍‌ରେ ୪୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୨୬୮ ରନ୍‌ରେ ପହଞ୍ଚାଇଥିଲେ । ଦୁଇଥର ଜୀବନ ଦାନ ପାଇଥିବା ଧୋନି ଶେଷ ଓଭରରେ ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ ଏବଂ ୬୧ ବଲ୍‌ ଖେଳି ଅପରାଜିତ ୫୬ ରନ୍‌ କରିଥିଲେ ।
ତେବେ ପୂରା ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ । ଇଣ୍ଡିଜ୍‌ ପକ୍ଷରୁ ରୋକ୍‌ ୧୦ ଓଭର୍‌ରେ ୩୬ ରନ୍‌ ଦେଇ ୩ଟି, କୋଟ୍ରେଲ୍‌ ୧୦ ଓଭରରେ ୫୦ ରନ୍‌ ଦେଇ ୨ଟି ଏବଂ ହୋଲଡର୍‌ ୧୦ ଓଭରରେ ୩୩ ରନ୍‌ ଦେଇ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଆଜି ଇଣ୍ଡିଜ୍‌ ଖେଳାଳିମାନେ ଭଲ ଫିଲଡିଂ ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.