କାଲିଠୁ ଭାରତ-ସାଉଥ ଆଫ୍ରିକା ନିର୍ଣ୍ଣାୟକ ଟେଷ୍ଟ, କେପ୍ ଟାଉନ୍ ନେଟସ୍ରେ କୋହଲିଙ୍କ ସହିତ ଟିମ୍ ଇଣ୍ଡିଆର ଜୋରଦାର ପ୍ରାକ୍ଟିସ

୧୧ତାରିଖରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପ୍ରଥମ ୨ଟି ଟେଷ୍ଟ ଶେଷ ସୁଦ୍ଧା ୧-୧ରେ ସିରିଜ ବରାବର ରହିଛି । ସେଞ୍ଚୁରିୟନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନ୍ରେ ବିଜୟ ହାସଲ କରିଥିଲା । ସେହିପରି ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟ୍ରେ ଜିତି ଦକ୍ଷିଣ ଆଫ୍ରିକା ସ୍ଥିତି ବରାବର କରିଥିଲା । କେପ୍ ଟାଉନ୍ରେ ଜୋରଦାର ନେଟସ୍ ପ୍ରାକ୍ଟିସ ଆରମ୍ଭ କରିଛି ଭାରତୀୟ କ୍ରିକେଟ ଟିମ୍ । କାଲିଠୁ ଭାରତ-ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ତଥା ଶେଷ ଟେଷ୍ଟ ମ୍ୟାଚ । ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ କେବେ ଟେଷ୍ଟ ସିରିଜ ଜିତିପାରିନାହିଁ । ଜୋହାନ୍ସବର୍ଗରେ ପରାଜୟ ପରେ ଭାରତୀୟ ଦଳ ଅଧିକ ଗମ୍ଭୀର ଭାବେ ଏହି ଟେଷ୍ଟକୁ ଖେଳିବ । କେପ୍ ଟାଉନ୍ର ଇତିହାସ କହୁଛି ଭାରତ ଏଠାରେ କେବେ ଜିତିନାହିଁ ।
ବିରାଟ କୋହଲି ଚୂଡାନ୍ତ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ନେଟ୍ସକୁ ଫେରି ଅଭ୍ୟାସ ଆରମ୍ଭ କରିଛନ୍ତି ବିରାଟ । ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳିପାରିନଥିଲେ । ମଙ୍ଗଳବାରଠୁ କେପଟାଉନରେ ଆରମ୍ଭ ହେବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ତୃତୀୟ ଟେଷ୍ଟ ଖେଳିବାକୁ ବିରାଟ ପୂରା ଫିଟ୍ ହୋଇଯିବେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍ ମୁଖ୍ୟ ରାହୁଲ ଦ୍ରାବିଡ । ସେପଟେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବଦଳରେ ତୃତୀୟ ଟେଷ୍ଟ ପାଇଁ ପରିବର୍ତ୍ତନର ଆଭାସ ଦେଇଛନ୍ତି ରାହୁଲ ।
ସିରାଜ୍ ଏବେ ପୂରା ଫିଟ୍ ହୋଇନାହାନ୍ତି । ପରବର୍ତ୍ତୀ ସମୟରେ ତାଙ୍କ ଫିଜିଓଙ୍କ ପରାମର୍ଶ ଅନୁଯାୟୀ ନିଷ୍ପତ୍ତି ନିଆଯିବ । ଦ୍ୱିତୀୟ ଟେଷ୍ଟରେ ମାଂସପେଶୀ ଜନିତ ସମସ୍ୟା ସହ ସଂଘର୍ଷ କରିଥିଲେ ସିରାଜ । ତୃତୀୟ ଟେଷ୍ଟରୁ ବାଦ୍ ପଡିପାରନ୍ତି ମହମ୍ମଦ ସିରାଜ । ସେହିଭଳି ଇଶାନ୍ତ ଶର୍ମା ମଧ୍ୟ ଜୋରଦାର ପ୍ରାକ୍ଟିସ କରିଛନ୍ତି । ଯଦି ସିରାଜ ନଖେଳନ୍ତି ତେବେ ଉମେଶ ଯାଦବ କିମ୍ବା ଇଶାନ୍ତ ଶର୍ମାଙ୍କୁ ସୁଯୋଗ ମିଳିପାରେ ।