ଇଣ୍ଡିଆ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ: ଦିବାରାତ୍ରି ଟେଷ୍ଟ ଦେଖିବା ପାଇଁ ଷ୍ଟାଡିଅମରେ ୧୦୦ ପ୍ରତିଶତ ଦର୍ଶକଙ୍କୁ ମିଳିଲା ଅନୁମତି

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବ। ଖାସ୍ ଏଥିପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତିରେ ଲାଗିପଡିଛି। ଟିମ୍ ଇଣ୍ଡିଆର ଖେଳାଳି ବାଙ୍ଗାଲୋରରେ ଟ୍ରେନିଂ ଆରମ୍ଭ କରିସାରିଛନ୍ତି। ଦିବାରାତ୍ରି ମ୍ୟାଚ ପାଇଁ ଟିମ୍ ଇଣ୍ଡିଆକୁ ମିଳିଛି ଖୁସି ଖବର। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ଏହି ମ୍ୟାଚ୍ ଦେଖିବା ପାଇଁ ୧୦୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିଅମକୁ ଅନୁମିତ ମିଳିଛି।
ଭାରତ-ଶ୍ରୀଲଙ୍କା ଦିବାରାତି ଟେଷ୍ଟ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟ ବେଶ୍ ଉତ୍ସୁକତା ବଢିଯାଇଥିଲା। ଖବର ମୁତାବକ, କେଏସିଏର କୋଷାଧ୍ୟକ୍ଷ ବିନୟ ମୃତ୍ୟୁଞ୍ଜୟ କହିଛନ୍ତି, ପ୍ରଥମ ଦୁଇଦିନ ପାଇଁ ଉପଲବ୍ଧ ୧୦ ହଜାର ଟିକେଟ ପ୍ରଥମରୁ ହିଁ ବୁକ୍ ହୋଇସାରିଛି। ଟିକେଟ ପାଇଁ ଲୋକେ ଚାହିଁ ରହିଥିବାରୁ କେଏସିଏ ପକ୍ଷରୁ ଅତିରିକ୍ତ ଟିକେଟ ବିକ୍ରି ଆରମ୍ଭ ହୋଇଛି।
ଦର୍ଶକ ଷ୍ଟାଡିଅମକୁ ପ୍ରବେଶ ପାଇଁ ଯେଉଁ ପ୍ରତିବନ୍ଧକ ରହିଥିଲା, ତାହା ହଟିବା ପରେ ସଂପୂର୍ଣ୍ଣ କ୍ଷମତା ସହିତ ଟିକେକ ବିକ୍ରି ଆରମ୍ଭ କରିଦିଆଯାଇଛି। ବାଙ୍ଗାଲୋରରେ ଜୁନ ୨୦୧୮ରେ ପରେ ଏହି ଟେଷ୍ଟ ମ୍ୟାଚ ଆସନ୍ତାକାଲି ଖେଳାଯିବ। ଜାନୁଆରୀ ୨୦୨୦ରେ ଇଣ୍ଟରନ୍ୟାସନାଲ ମ୍ୟାଚ ଏହି ଷ୍ଟାଡିଅମରେ ଖେଳାଯାଇଥିଲା।
ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଇନିଂସ୍ ଓ ୨୨୨ ରନ୍ରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ଭାବେ ନିଜର ପ୍ରଥମ ଟେଷ୍ଟରେ ରୋହିତ ଶର୍ମା ବିରାଟ ସଫଳତା ହାସଲ କରିଥିଲେ । ପ୍ରଥମ ଇନିଂସ୍ରେ ଭାରତ ୮ ଓ୍ଵିକେଟ୍ରେ ୫୭୪ ରନ୍ କରି ଇନିଂସ୍ ଘୋଷଣା କରିଥିଲା । ପରେ ଶ୍ରୀଲଙ୍କା ପ୍ରଥମ ପାଳିରେ ମାତ୍ର ୧୭୪ ରନ୍ କରି ଆଉଟ୍ ହେବା ପରେ ଫଲୋଅନ୍ ଖାଇଥିଲା । ପୁଣି ଦ୍ୱିତୀୟ ଇନିଂସ୍ ଖେଳି ୬୦ ଓଭର୍ରେ ୧୭୮ ରନ୍ ହିଁ କରି ପାରିଥିଲା । ଭାରତ ପକ୍ଷରୁ ଦୁଇ ସ୍ପିନର ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା ୪ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଥିଲେ । ମହମ୍ମଦ ସାମିଙ୍କୁ ୨ଟି ଓ୍ଵିକେଟ୍ ମିଳିଥିଲା । ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।