ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ : ଅତି ସୁନ୍ଦର ମୁହୂର୍ତ୍ତ! ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛି ଏହି ସେଲ୍ଫି ଫଟୋ; ଟ୍ଵିଟ୍‌ କରି ସଚିନ ତେନ୍ଦୁଲକର ଦେଲେ ପ୍ରତିକ୍ରିୟା…

ଆଇସିସି ମହିଳା ବିଶ୍ୱକପ ୨୦୨୨ରେ ଭାରତୀୟ ଟିମ୍‌ ପାକିସ୍ତାନ ଉପରେ ବିଜୟ ହାସଲ କରି ନିଜର ଅଭିଯାନ ଆରମ୍ଭ କରିଛି। ଭାରତ ୧୦୭ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ମ୍ୟାଚ୍ ପରେ ପରେ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି। ଫଟୋଟି ସମସ୍ତଙ୍କ ହୃଦୟ ଜିତୁଛି। ଏହି ଫଟୋରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଅଧିନାୟକ ବିସ୍‌ମାହ ମାରୁଫଙ୍କ କୁନି ଝିଅ ଫାତିମାଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏହି ଫଟୋରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସଚିନ ଫଟୋ ଟ୍ୱିଟ କରି କହିଛନ୍ତି କି, ‘କ’ଣ ମୁହୂର୍ତ୍ତ! କ୍ରିକେଟ୍ ପଡ଼ିଆରେ ସୀମା ରହିଥାଏ, କିନ୍ତୁ ପଡ଼ିଆ ବାହାରେ ଏହା ସବୁକୁ ଭାଙ୍ଗି ଦେଇଥାଏ’। ସୂଚନାଥାଉ କି, ପାକିସ୍ତାନୀ ଅଧିନାୟକଙ୍କ ଝିଅର ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ଭାରତୀୟ ମହିଳା ଖେଳାଳିମାନେ ଫାତିମାଙ୍କ ସହ ଖେଳୁଥିବା ଏବଂ ତାଙ୍କୁ ଭଲ ପାଇବା ଦେଉଥିବାର ଭିଡିଓ ରବିବାର ସାମ୍ନାକୁ ଆସିଥିଲା, ଯାହାକି କ୍ରିକେଟପ୍ରେମୀଙ୍କୁ ବହୁତ ଆକର୍ଷିତ କରିଥିଲା। ପଡ଼ିଆ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖାଇଥିବା ଭାରତୀୟ ଟିମ୍‌ ଏଠି ଶାନ୍ତିର ସ୍ୱଭାବ ଦେଖାଇଥିଲେ ଏବଂ ମାରୁଫଙ୍କ ଝିଅ ସହିତ ଖେଳିଥିଲେ। ସମସ୍ତେ ମା’, ଝିଅଙ୍କ ସହିତ ଏକ ସେଲ୍ଫି ମଧ୍ୟ ନେଇଥିଲେ।

କହି ରଖୁଛୁ, ପାକିସ୍ତାନୀ ଅଧିନାୟକ ବିସ୍‌ମାହ ମାରୁଫ ତାଙ୍କ ୬ ମାସର କୁନି ଝିଅ ଫାତିମାଙ୍କୁ ଧରି ଷ୍ଟାଡିୟମରେ ପହଞ୍ଚିଥିଲେ। ଲମ୍ବା ସମୟ ଧରି ସେ ମଇଦାନରୁ ଦୂରରେ ଥିଲେ। ପ୍ରେଗ୍‌ନାନ୍ସି ସମୟରେ ଏକଦା ଅବସର ନେବାକୁ ବି ମନସ୍ଥ କରି ନେଇଥିଲେ। କିନ୍ତୁ ପରିବାର ଏବଂ ବୋର୍ଡର ସହଯୋଗରେ ସେ ପୁଣି ଫେରିଥିଲେ। ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚରେ ମାରୁଫ ୧୫ ରନ୍‌ ସଂଗ୍ରହ କରିଥିଲେ।