କାଲିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି IPLର ମେଗା ଅକ୍ସନ୍‌: ସାମିଲ ହେବେ ୫୯୦ ଖେଳାଳି

କେନ୍ୟୁଜ୍(ବ୍ୟୁରୋ):  କାଲିଠୁ ବେଙ୍ଗାଲୁରୁରେ ଦୁଇ ଦିନ ଧରି ଆଇପିଏଲ୍‌ର ମେଗା ଅକ୍ସନ୍‌ । ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଖେଳାଯିବାକୁ ଥିବା ଆଇପିଏଲ୍‌-୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ହେବ । ଏହି ମେଗା ନିଲାମୀରେ ସାମିଲ ହେବେ ୫୯୦ ଖେଳାଳି । ଏମାନଙ୍କ ଭିତରେ ଅଛନ୍ତି ୩୭୦ ଭାରତୀୟ ଏବଂ ୨୨୦ ବିଦେଶୀ ଖେଳାଳି । ତେବେ ଭାରତ ପରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୪୭ ଜଣ ଖେଳାଳିଙ୍କ ଅକ୍ସନ ଲିଷ୍ଟରେ ସ୍ଥାନ ଦିଆଯାଇଛି । ୫୯୦ ଖେଳାଳିଙ୍କ ମଧ୍ୟରୁ ୨୨୮ ଖେଳାଳି ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳି ସାରିଛନ୍ତି । ଚଳିତ ଆଇପିଏଲ୍‌ ସିଜିନ୍‌ର ଅକ୍ସନରେ ୨ଟି ନୂଆ ଦଳ ଭାଗ ନେବେ । ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଏବଂ ଗୁଜରାଟ ଟାଇଟନ୍ସ ଦଳ ସମେତ ଅକ୍ସନରେ ୧୦ଟି ଦଳ ଅଂଶଗ୍ରହଣ କରିବେ । ନିଲାମିରେ ୭ଟି ଆସୋସିଏଟ୍‌ ଦେଶ ମଧ୍ୟ ସାମିଲ ହେବେ ।

ମେଗା ଅକ୍ସନ୍‌ର ପ୍ରଥମ ଦିନରେ ୧୬୧ ଖେଳାଳିଙ୍କ ନିଲାମ କରାଯିବ । ବାକି ଖେଳାଳିଙ୍କ ନିଲାମୀ ଫେବ୍ରୁଆରି ୧୩ ତାରିଖରେ କରାଯିବ । ଚଳିତ ଆଇପିଏଲ୍‌ ମେଗା ଅକ୍ସନରେ ସର୍ବନିମ୍ନ ବେସ୍‌ ପ୍ରାଇସ୍‌ ରହିଛି ୨୦ ଲକ୍ଷ ଏବଂ ସର୍ବଧିକ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା । ଅକ୍ସନରେ ସ୍ଥାନ ପାଇଥିବା ୪୮ ଖେଳାଳିଙ୍କ ବେସ ପ୍ରାଇସ୍‌ ରହିଛି ୨କୋଟି । ଯେଉଁଥିରେ ୧୭ ଭାରତୀୟ ଏବଂ ୩୧ ବିଦେଶୀ ଖେଳାଳି । ଭାରତରୁ ଆର ଆଶ୍ୱିନ, ଶ୍ରେୟସ ଆୟର , ଶିଖର ଧଓ୍ଵନ, ମହମ୍ମଦ ସାମି, ଇଶାନ କିଶାନ, ସୁରେସ ରୈନା, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର ପ୍ରମୁଖଙ୍କ ୨କୋଟି ବେସ ପ୍ରାଇସ୍‌ ରହିଛି । ସେହିଭଳି ବିଦେଶୀ ଖେଳାଳି କ୍ୱିନଣ୍ଟନ୍‌ ଡି କକ୍‌, ଡୁ ପ୍ଲେସିସ୍‌, ଡେଭିଡ୍‌ ୱାର୍ଣ୍ଣର, ଟ୍ରେଣ୍ଟ ବୋଲ୍‌ଟ, କାଗିସୋ ରବାଡ଼ା, ପାଟ୍‌ କୁମିନ୍ସଙ୍କ ବେସ ପ୍ରାଇସ୍‌ ୨କୋଟି ରହିଛି ।

ନିଲାମ ତାଲିକାରେ ଓଡ଼ିଶାରୁ ୨ ଜଣ ସ୍ଥାନ ପାଇଛନ୍ତି । ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତଙ୍କ ନାମ ସାମିଲ ହୋଇଛି । ଏମାନଙ୍କ ବେସ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି ।ଆଇପିଏଲର ତାରକା ଖେଳାଳି କ୍ରିସ୍‌ ଗେଲ୍‌, ବେନ୍‌ ଷ୍ଟୋକସ୍‌, ମିଚେଲ୍‌ ଷ୍ଟାର୍କ, ରିଚର୍ଡସନ୍‌, କାଇଲ ଜାମିସନ୍‌, ଜୋ ରୁଟ୍‌ ନିଲାମୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.