ଫିଫା ବିଶ୍ୱକପରେ ଆମେରିକା ଠାରୁ ହାରିବା ପରେ, ଇରାନ ପ୍ରଶଂସକ ରାସ୍ତାରେ ନାଚିଲେ ଆଉ ଖୁସିରେ ବାଣ ଫୁଟାଇଲେ, କାହିଁକି ଜାଣନ୍ତୁ ?

କେନ୍ୟୁଜ୍‌: ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଫିଫା ବିଶ୍ୱକପରେ । ଗତକାଲି ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଆମେରିକା ଏବଂ ଇରାନ ମଧ୍ୟରେ ମ୍ୟାଚ୍‌ ହେଉଥିଲା । ସେହି ମ୍ୟାଚ୍‌ରେ ଇରାନ ପରାସ୍ତ ହେଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଇରାନର ପରାଜୟ ପରେ ଏହାର ସମର୍ଥକମାନେ ରାସ୍ତା ଉପରେ ନାଚିବାକୁ ଲାଗିଥିଲେ । ବାଣ ଫୁଟାଇ ଧୁମଧାମ୍‌ରେ ସେଲିବ୍ରେସନ କଲେ । ତାଙ୍କ ଦଳ ହାରିବା ଖୁସିରେ ସେମାନେ ଏଭଳି କରିଥିଲେ ।

ତେବେ ଏହା ପଛରେ ରହିଛି ଏକ ବଡ଼ କାରଣ । ଇରାନ ସରକାରଙ୍କୁ ବିରୋଧ କରି ସାଧାରଣ ଜନତା ଏହି ଖେଳ ଜରିଆରେ ସେମାନଙ୍କ ପ୍ରତିବାଦ ଜଣାଇଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି । ସାଧାରଣ ଜନତା ଏଭଳି ବିରୋଧ କରିବା ପଛରେ ରହିଛି ଇରାନରେ ଚାଲିଥିବା ହିଜାବ ବିବାଦ । ଲୋକମାନେ ନିଜ ଖେଳାଳିଙ୍କୁ ମଧ୍ୟ ବିରୋଧ କରିଛନ୍ତି । ସେମାନଙ୍କ କହିବା କଥା ଦେଶରେ ଚାଲିଥିବା ଏକ ବିଷମ ପରିସ୍ଥିତି ବେଳେ ଇରାନ ଟିମ୍‌ ବିଶ୍ୱକପରେ ଭାଗନେବା ଆଦୌ ଉଚିତ ନୁହେଁ । ସେଥିପାଇଁ ଦଳ ହାରିବା ପରେ ସେମାନେ ଖୁସି ମନାଇ ଥିଲେ । ରାସ୍ତାଘାଟରେ ନାଚି କୁଦି ଜୋରସୋରରେ ହୋହଲ୍ଲା କରିବା ସହିତ ବାଣ ବି ଫୁଟାଇଥିଲେ । ସୋସିଆଲ ମିଡିଆରେ ଇରାନ ଜନତା ସେଲିବ୍ରେସନ କରିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି ।

କାହିଁକି ସୃଷ୍ଟି ହେଲା ଏମିତି ପରିସ୍ଥିତି

ହିଜାବ ବା ପରଦାକୁ ବିରୋଧ କରି ଏହି ବିବାଦ ଅନେକ ଦିନରୁ ଚାଲିଛି । ଇରାନରେ ମହସା ଅମିନୀଙ୍କ ମୃତ୍ୟୁ ପରେ ଏହିପରି ଭାବରେ ଦେଶର ସବୁ ସହରରେ ସରକାରଙ୍କୁ ବିରୋଧ କରାଯାଉଛି । ସେପ୍ଟେମ୍ବରୁ ଏପର୍ଯ୍ୟନ୍ତ ୩୦୦ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି, ଯେଉଁଥିରେ ଅନେକ ଶିଶୁ ବି ଶାମିଲ ଅଛନ୍ତି । ସୂଚନା ଅନୁସାରେ ହିଜାବ ଠିକ୍‌ ଭାବରେ ନପିନ୍ଧିବାରୁ ମହସା ଅମିନୀଙ୍କୁ ଇରାନ ପୋଲିସ୍‌ ନିଜ ହେପାଜତରେ ରଖିଥିଲା । ପୋଲିସ ହେପାଜତରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଇରାନ ହାରିବା ପରେ ଇରାନର ସବୁ ସହରରେ ଲୋକମାନେ ବିରୋଧ କରିଛନ୍ତି ।

ଗତକାଲି ମ୍ୟାଚ୍‌ରେ ଯେତେବେଳେ ଆମେରିକା ତାର ପ୍ରଥମ ଗୋଲ ଦେଇଥିଲା ସେହି ସମୟରୁ ଲୋକମାନେ ହୋହଲ୍ଲା ଆରମ୍ଭ କରିଥିଲେ । ଏ ନେଇ ଲଣ୍ଡନ ସ୍ଥିତ ଏକ ଇରାନୀୟ େଓ୍ଵବସାଇଟ୍‌୍‌ରେ ଖବର ପ୍ରକାଶ ପାଇଛି । ଏହି ପରାଜୟ ପରେ ଇରାନର କ୍ରୀଡ଼ା ସାମ୍ବାଦିକ ସଇଦ ଜଫରନୀ ଟ୍ଵିଟ୍‌ କର କହିଛନ୍ତି, ’ ଯାହା କିଏ କେବେ ଭାବି ନଥିବେ ମୁଁ ସେଇଆ କରିବି । ୩ ମିଟର ପର୍ଯ୍ୟନ୍ତ ଡେଇଁବି ଆଉ ଆମେରିକା ଗୋଲ୍‌ର ସେଲିବ୍ରେସନ କରିବି’ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.