ବୁମରା କେବଳ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି ଟି-୨୦ ବିଶ୍ୱକପରୁ ନୁହେଁ: ରାହୁଲ ଦ୍ରାବିଡ

ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମରା ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡିଛନ୍ତି । କେବଳ ଦକ୍ଷିଣ ଆଫ୍ରିକା ସିରିଜ ନୁହେଁ ବରଂ ଟି-୨୦ ବିଶ୍ୱକପରୁ ବାଦ୍‌ ପଡିବା ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ସ୍ପଷ୍ଟ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି ବୁମରା କେବଳ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଛନ୍ତି। ବୁମରା ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଫିଟ୍‌ ହୋଇପାରନ୍ତି ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ତେବେ ବୁମରା ବର୍ତ୍ତମାନ ବିସିସିଆଇର ଡାକ୍ତରୀ ଦଳର ତତ୍ବାବଧାନରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ରହିଛନ୍ତି।

ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ସାମ୍ବାଦିକ ସମ୍ମିଳନୀରେ ବୁମରାଙ୍କ ଫିଟନେସ୍ ଏବଂ ଅଷ୍ଟ୍ରେଲିଆରେ ବିଶ୍ଵକପ୍ ଦଳ ସହିତ ରହିବେ କି ନାହିଁ ପ୍ରଶ୍ନ ଉପରେ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ପର୍ଯ୍ୟନ୍ତ ମୋତେ ବୁମରାଙ୍କ ବାଦ୍ ପଡିବା ନେଇ ଆନୁଷ୍ଠାନିକ ସୂଚନା ମିଳିନାହିଁ, ଆମେ ତାଙ୍କର ଖେଳିବା ନେଇ ଆଶା ରଖିବୁ। ଏ ପର୍ଯ୍ୟନ୍ତ ବୁମରା କେବଳ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ବାଦ୍ ପଡିଛନ୍ତି। ଆଗାମୀ କିଛି ଦିନରେ ବୁମରାଙ୍କ ଆଘାତ ସମସ୍ୟାରେ ସୁଧାର ଆସୁଛି କି ନାହିଁ ଦେଖିବାକୁ ପଡିବ।


ବୁମରାଙ୍କ ଆହତଜନିତ ସମସ୍ୟା ଯୋଗୁଁ ଏସିଆ କପରୁ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ। ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ମ୍ୟାଚରେ ଭଲ ଖେଳିଥିଲେ। ଆନୁଷ୍ଠାନିକ ଭାବେ ବୁମରା ବିଶ୍ଵକପ୍ ଦଳରୁ ବାଦ୍ ପଡିନାହାନ୍ତି ତାଙ୍କର ଅଷ୍ଟ୍ରେଲିଆ ଗସ୍ତ କରିବାର ଆଶା କରାଯାଉଛି ବୋଲି ଦ୍ରାବିଡ କହିଛନ୍ତି।

ତେବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର କହିଛନ୍ତି, ବୁମରା ଏବେ ମଧ୍ୟ ବିଶ୍ଵ କପ୍ରୁ ବାଦ୍ ପଡି ନାହାନ୍ତି। ତାଙ୍କ ଆଘାତ ସମସ୍ୟା ଉପରେ ଡାକ୍ତରୀ ଦଳ ନଜର ରଖିଛନ୍ତି। ଆଗାମୀ କିଛି ଦିନରେ ବୁମରା ବିଶ୍ଵ କପ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି କହିଥିଲେ।

ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ରାଉଣ୍ଡରେ ଓ୍ଵେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ସମେତ ୮ଟି ଦଳ ମଧ୍ୟରେ ମୁକାବିଲା ହେବ। ଏଥିରୁ ୪ଟି ଦଳ ସୁପର ୧୨ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହା ପରେ ଅକ୍ଟୋବର ୨୨ରୁ ସୁପର ୧୨ ମୁକାବିଲା ଆରମ୍ଭ ହେବ।

Also Read : ଟି-୨୦ ବିଶ୍ୱକପ୍‌ ୨୦୨୨ ପାଇଁ ପୁରସ୍କାର ରାଶି ଘୋଷଣା କଲା ଆଇସିସି, ପ୍ରତ୍ୟେକ ଟିମ୍‌ ଉପରେ ହେବ ଟଙ୍କା ବର୍ଷା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.