ରେକର୍ଡ଼ମ୍ୟାନ୍‌ଙ୍କ ଆଉ ଏକ ବିରାଟ ରେକର୍ଡ଼, ୮୧ତମ ଟେଷ୍ଟରେ ମାରିଲେ ୨୬ତମ ଶତକ

ପୁନେ : ଅଧିନାୟକ ବିରାଟ କୋହଲି ମାରିଲେ ନିଜ ଟେଷ୍ଟ କ୍ୟାରିୟରର ୨୬ତମ ଶତକ । କୋହଲି ଓ ଅଜିଙ୍କ୍ୟ ରାହାଣେ ଏଭଳି ଦୃଢ଼ ବ୍ୟାଟିଂ କରୁଛନ୍ତି ଯେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କୌଣସି ବାଟ ମିଳୁନି ଏହି ଯୋଡ଼ି ଭାଙ୍ଗିବାକୁ । ଆଜି ଲଞ୍ଚ୍‌ ପରେ ୧୨୭ ଓଭର ସୁଦ୍ଧା ଭାରତ ୪ ଓ୍ଵିକେଟ୍‌ ହରାଇ କରିଥିଲା ୪୧୧ ରନ୍‌ । କୋହଲି ୧୫୨ (୨୩ ଚୌକା) ଏବଂ ରବୀନ୍ଦ୍ର ଜାଡେଜା ୫ ରନ୍‌ କରି ଅପରାଜିତ ଥିଲେ ।
ଗତକାଲି ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୩ ଓ୍ଵିକେଟ୍‌ ହରାଇ ୨୭୩ ରନ୍‌ ସଂଗ୍ରହ କରିଥିଲା । କୋହଲି ୬୩ ଓ ରାହାଣେ ୧୮ ରନ୍‌ କରି ଅପରାଜିତ ଥିଲେ । ଆଜି ଆରମ୍ଭରୁ ଭ୍ରମଣକାରୀ ଦଳର ବୋଲର୍‌ମାନେ କିଛିଟା ପ୍ରଭାବ ପକାଇଥିଲେ ମଧ୍ୟ ପରେ ପରେ ଏହି ଦୁଇ ବ୍ୟାଟ୍‌ସମ୍ୟାନ୍‌ ବିଶେଷ ଅସୁବିଧାର ସାମନା ନକରି ସହଜରେ ଖେଳି ଚାଲିଥିଲେ । ରାବଡ଼ାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର୍‌ ବିଶେଷ ପ୍ରଭାବୀ ସାବ୍ୟସ୍ତ ହୋଇ ନାହାନ୍ତି । ପରେ ମହାରାଜା ରାହାଣେଙ୍କୁ ୫୯ ରନ୍‌ରେ ଆଉଟ୍‌ କରି ଆଜି ଦଳ ପାଇଁ ପ୍ରଥମ ସଫଳତା ଆଣି ଦେଇଥିଲେ ।

ଅଧିନାୟକ ଭାବେ ୪୦ତମ ଅନ୍ତର୍ଜାତୀୟ ଶତକ

କୋହଲି ଆଜି ଏହି ଶତକ ହାସଲ କରି ଏକ ରେକର୍ଡ଼ ମଧ୍ୟ କରିଛନ୍ତି । ଅଧିନାୟକ ଭାବେ ଏହା ହେଉଛି ତାଙ୍କର ୪୦ତମ ଅନ୍ତର୍ଜାତୀୟ ଶତକ । ୨୦୧୪ରେ ଧୋନିଙ୍କ ପରେ ସେ ଅଧିନାୟକ ଦାୟିତ୍ୱ ନେଇଥିଲେ । ଏହା ପରେ ଏପର୍ଯ୍ୟନ୍ତ ବିରାଟ ୧୯ଟି ଟେଷ୍ଟ ଶତକ ଏବଂ ୨୧ଟି ଦିନିକିଆ ଶତକ ହାସଲ କରିଛନ୍ତି । ଯାହା ଭାରତ ପକ୍ଷରୁ ସର୍ବାଧିକ । ତେବେ ବିଶ୍ୱ ରେକର୍ଡ଼ କରିବାକୁ ତାଙ୍କୁ ଆଉ ଦୁଇଟି ଶତକ କରିବାକୁ ହେବ । କାରଣ ତାଙ୍କ ଆଗରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ଅଧିନାୟକ ଭାବେ ପଣ୍ଟିଂ ୪୧ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । ପୁଣି ଟେଷ୍ଟ ଶତକରେ ସେ ପାକିସ୍ତାନର ଇଞ୍ଜାମାମ୍‌ ଉଲ୍‌ ହକ୍‌ଙ୍କୁ ଅତିକ୍ରମ କରିଥିବା ବେଳେ େଓ୍ଵଷ୍ଟଇଣ୍ଡିଜ୍‌ର ଗ୍ୟାରୀ ସୋବର୍ସ ଓ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କ ସହିତ ସମାନ ହୋଇଛନ୍ତି । ମାତ୍ର ୮୧ଟି ଟେଷ୍ଟରେ କୋହଲି ୨୬ତମ ଟେଷ୍ଟ ଶତକ ହାସଲ କରିଛନ୍ତି ।


ବିଶ୍ୱରେ ସର୍ବାଧିକ ଶତକ କରିବାର ରେକର୍ଡ଼ ଏବେବି ଅତୁଟ ରହିଛି । ଯାହା ରହିଛି ଭାରତର କିମ୍ବଦନ୍ତୀ ବ୍ୟାଟ୍‌ସମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କ ନାଁରେ । ସେ ୨୦୦ଟି ଟେଷ୍ଟ ଖେଳି ୫୧ଟି ଶତକ ହାସଲ କରିଛନ୍ତି । ୫୩.୭୮ ହାରରେ ମୋଟ୍‌ ୧୫,୯୨୧ ରନ୍‌ ସଂଗ୍ରହ କରିଛନ୍ତି । ସଚିନ୍‌ଙ୍କ ପଛକୁ ସର୍ବାଧିକ ଟେଷ୍ଟ ଶତକ ତାଲିକାରେ ଅନ୍ୟ ଦୁଇଜଣ ଭାରତୀୟ ଖେଳାଳି ରହିଛନ୍ତି । ସେମାନେ ହେଲେ ୩୬ଟି ଶତକ କରିଥିବା ରାହୁଲ ଦ୍ରାବିଡ଼ ଏବଂ ୩୪ଟି ଶତକ କରିଥିବା ଅନ୍ୟତମ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.