ମୁମ୍ବାଇ ୪୨ଥର ପାଇଁ ଜିତିଲା ରଣଜୀ ଟ୍ରଫ, ଫାଇନାଲ୍ରେ ବିଦର୍ଭ ୧୬୯ ରନରେ ପରାସ୍ତ
ଉଭୟ ବ୍ୟାଟିଂ ଓ ବୋଲିଂରେ ବିଦର୍ଭକୁ ମାତ୍ ଦେଇ ମୁମ୍ବାଇ ଏକତରଫା ଭାବେ ଫାଇନାଲ ମ୍ୟାଚ୍ ଜିତିଛି ।

ମୁମ୍ବାଇ : ମୁମ୍ବାଇକୁ ୪୨ତମ ରଣଜୀ ଟ୍ରଫି ଟାଇଟଲ୍ । ବିଦର୍ଭକୁ ୧୬୯ ରନରେ ହରାଇ ମୁମ୍ବାଇ ପୁଣି ରଣଜୀ ଟ୍ରଫି ଚାମ୍ପିଅନ୍ ହୋଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ବିଦର୍ଭକୁ ମାତ୍ ଦେଇ ମୁମ୍ବାଇ ଏକତରଫା ଭାବେ ଫାଇନାଲ ମ୍ୟାଚ୍ ଜିତିଛି ।
ମୁମ୍ବାଇର ଓ୍ଵାଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ୨୨୪ ରନ୍ କରିବା ପରେ ବିଦର୍ଭକୁ ମାତ୍ର ୧୦୫ ରନରେ ଅଲଆଉଟ୍ କରି ଦେଇଥିଲା । ପ୍ରଥମ ପାଳିରେ ୧୧୯ ରନରେ ଆଗୁଆ ରହି ଦ୍ୱିତୀୟ ପାଳିରେ ମୁମ୍ବାଇ ଦଳ ୪୧୮ ରନ୍ କରିଥିଲା । ତେବେ ବିଦର୍ଭ ଦ୍ୱିତୀୟ ପାଳିରେ ଲଢ଼େଇ କରିଥିଲେ ମଧ୍ୟ ୩୬୮ ରନ୍ ହିଁ କରି ପାରିଥିଲା । ଅନ୍ୟପକ୍ଷରେ ବିଦର୍ଭ ଅଧିନାୟକ ଅକ୍ଷୟ ଓ୍ଵାଡକର ଦ୍ୱିତୀୟ ପାଳିରେ ୧୦୨ ରନ୍, ହରୀଶ ଦୁବେ ୬୫, କରୁଣ ନାୟର ୭୪ ରନ୍ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନଥିଲେ । ଗତ ୮ ବର୍ଷ ହେଲା ମୁମ୍ବାଇ ରଣଜୀ ଟ୍ରଫି ଜିତି ନଥିଲା । ଆଉ ମୁମ୍ବାଇ ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ ଆଜି ପୁଣି ଦଳ ପାଇଁ ଘରୋଇ କ୍ରିକେଟରେ ସଫଳତା ଆଣି ଦେଇଛନ୍ତି ।