ଟେନିସ୍ କୁଇନ୍ ରଚିଲେ ନୂଆ ଇତିହାସ,୧୨ ମାସରେ କମେଇଲେ ୪ ଶହ କୋଟି ଟଙ୍କା

ଜାପାନର ପ୍ରସିଦ୍ଧ ଟେନିସ ତାରକା ନାଓମୀ ଓସାକା ବାର୍ଷିକ ଆୟ କ୍ଷେତ୍ରରେ କରିଛନ୍ତି ନୂଆ ରେକର୍ଡ଼ । ସେ ଗତ ୧୨ ମାସ ମଧ୍ୟରେ ପାଖାପାଖି ୫୦ ନିୟୁତ ଡଲାର ଆୟ କରିଛନ୍ତି । ବିଶ୍ୱରେ ମହିଳା ଆଥଲେଟ୍ ଭାବେ ଆୟ କରିବାରେ ସେ ଇତିହାସ ସୃଷ୍ଟି କରିଛନ୍ତି ।
ସୂଚନା ଅନୁଯାୟୀ ନାଓମୀ ଟେନିସ ପଡିଆରେ ଅର୍ଥାତ୍ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ରାଶି ବାବଦରେ କମେଇଛନ୍ତି ମାତ୍ର ୫.୨ ନିୟୁତ ଡଲାର । ସେ ୨୦୨୦ରେ ୟୁଏସ ଓପନ ଏବଂ ୨୦୨୧ରେ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଥିଲେ । ଏହି ପୁରସ୍କାର ସମେତ ସେ ମୋଟ ଚାରିଟି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଜିତି ସାରିଛିନ୍ତି ।
ନାଓମୀ ବିଶ୍ୱ ଟେନିସ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଖେଳରେ ପ୍ରଭାବିତ ହୋଇ ଟ୍ୟାଗ ହ୍ୟୁଏର, ନାଇକି, ସିଟିଜେନ୍ ଓ୍ଵାଚ୍, ନିସାନ୍ ଭଳି ବିଶ୍ୱର ଜଣାଶୁଣା କମ୍ପାନୀ ତାଙ୍କୁ ନେଇ ବିଜ୍ଞାପନ କରିଛନ୍ତି । ଫଳରେ ଗତ ବାର ମାସ ମଧ୍ୟରେ ନାଓମୀ ୫୫.୨ ନିୟୁତ ଡଲାର ଆୟ କରିଛନ୍ତି ।
ଏହା ସହିତ ନାଓମୀ କୃଷ୍ଣକାୟ ଲୋକଙ୍କ ସମର୍ଥନରେ ବାହାରିଛନ୍ତି । ସେମାନଙ୍କ ସପକ୍ଷେରେ ମତାମତ ରଖୁଛନ୍ତି । ପୁଣି ପୋଲିସ୍ ବର୍ବରତାର ଶିକାର ହୋଇଥିବା କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ପାଇଁ ମଧ୍ୟ ବାହାରିଛନ୍ତି ।