ଜଣେ ଅଲୋଡ଼ା ଖେଳାଳିଙ୍କ ଜୀବନ ସଂଘର୍ଷର କାହାଣୀ, ଦିନେ ଥିଲେ ଓଡ଼ିଶା ଦଳର ଅଧିନାୟିକା ଏବେ ଘର ଘର ବୁଲି ବାଣ୍ଟୁଛନ୍ତି ଖବର କାଗଜ
ଫୁଟ୍ବଲ୍ ପଡ଼ିଆରେ ସଂଘର୍ଷ କରି ସେ ଗୋଲ୍ ଦେଇଥିଲେ । ପ୍ରତିପକ୍ଷଙ୍କୁ ମାତ୍ ଦେଇ ଦଳକୁ ଜିତାଇଥିଲେ । ଏବେ ଜୀବନର ମଇଦାନରେ ସେ ଠିକ୍ ଖେଳ ପଡ଼ିଆ ଭଳି ଲଢ଼େଇ କରୁଛନ୍ତି । ହାର୍ ମାନି ନାହାନ୍ତି । ସେ ହେଉଛନ୍ତି ଓଡ଼ିଶା ମହିଳା ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶୋଭା ରାଣୀ ।
କ୍ରୀଡ଼ାର ବିକାଶ ପାଇଁ ଏବେ ରାଜ୍ୟ ସରକାର ଖୁବ୍ ତତ୍ପର । ବର୍ତ୍ତମାନର ସରକାରଙ୍କ ଉଦ୍ୟମରେ ଆଜି ଭୁବନେଶ୍ୱର ଦେଶର ସ୍ପୋର୍ଟସ୍ ହବ୍ର ମାନ୍ୟତା ପାଇଛି । ବହୁ କ୍ରୀଡା ପ୍ରତିଭାଙ୍କୁ ରାଜ୍ୟସରକାର ସମ୍ମାନିତ କରୁଛନ୍ତି । କ୍ରୀଡା ପ୍ରତି ବଢିଛି ସମସ୍ତଙ୍କ ଆଦର । ବିଗତ ଦିନରେ ଓଡିଶାର ଖେଳାଳିମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଫଳରେ ଓଡ଼ିଶା ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତଥାପି ଅନେକ ଜାଗାରେ ରହି ଯାଇଛି ତ୍ରୁଟି ବିଚ୍ୟୁତି । କେଉଁଠି ବିନା ପ୍ରୋତ୍ସାହନରେ ପ୍ରତିଭାବାନ୍ ଖେଳାଳିଙ୍କ ପ୍ରତିଭା ମଉଳି ଯାଉଛି ତ ଆଉ କେଉଁଠି ହୋଇଯାଇଛନ୍ତି ଅଲୋଡ଼ା । ଏମିତି ଜଣେ ବିଗତ ଦିନର ପ୍ରତିଭା ଆଜି ଜୀବନ ଜୀଇବାକୁ ସଂଘର୍ଷ କରୁଛନ୍ତି ।
ଓଡିଶା ମହିଳା ଫୁଟବଲ ଦଳର ପ୍ରଥମ ଅଧିନାୟିକା ଥିଲେ ଶୋଭାରାଣୀ ଦାସ । ଏବେ କିନ୍ତୁ ସେ କେମିତି ଅଛନ୍ତି ? କିପରି ଚଳୁଛନ୍ତି ? କଣ କରୁଛନ୍ତି ? ୧୯୯୨ ମସିହାରେ ତାଙ୍କ ଅଧିନାୟକତ୍ୱରେ ଓଡିଶା ମହିଳା ଫୁଟବଲ ଟିମ୍ ଜାତୀୟସ୍ତରରେ ପ୍ରଥମ କରି ଖେଲିଥିଲା । ଟିମ୍ ସହିତ ରାଜ୍ୟ କ୍ରୀଡ଼ା ପାଇଁ ଇତିହାସ ରଚିଥିଲେ ଶୋଭାରାଣୀ । ହେଲେ ପ୍ରୋତ୍ସାହନ ନଥିବା ବେଳେ ରାଜ୍ୟ ମହିଳା ଫୁଟ୍ବଲ୍କୁ ଆଗେଇ ନେବାରେ ଆଗୁଆ ଥିବା ଏହି ଖେଳାଳି ଜଣକ ପରବର୍ତ୍ତୀ ସମୟରେ ନିଜ ପରିବାରର ପେଟ ପୋଷିବାକୁ ସଂଘର୍ଷ କରୁଛନ୍ତି । କେବେ ଘଷି ପାରି ବିକିଛନ୍ତି ତ କେବେ ଠୁଙ୍ଗା କରି ବିକିଛନ୍ତି । ଆଉ ଏବେ ରାଜଧାନୀ ଭୁବନେଶ୍ୱର ଗଳିକନ୍ଦିରେ ସାଇକେଲ ଚଢ଼ି ଦୁଆର ଦୁଆର ବୁଲି ଖବର କାଗଜ ବାଣ୍ଟୁଛନ୍ତି । ପିଲାଙ୍କୁ ମଣିଷ କରିବା ଲାଗି ୧୪ ବର୍ଷ କାଳ ରାସ୍ତା କଡରେ ଏକ କ୍ୟାବିନ୍ ଭିତରେ ଜାକି ଜୁକି ହୋଇ ଦୁଇ ଝିଅଙ୍କ ସହ ଜୀବନ କାଟିଛନ୍ତି । ଏବେ ସେ ଘର ସିନା ବଦଳାଇଛନ୍ତି ତେବେ ସେତିକିରେ ସରିଯାଇନି ତାଙ୍କ ସଂଘର୍ଷର । ଘର ଘର ବୁଲି ପେପର ବିକୁଛନ୍ତି । ସ୍ୱାମୀ ଅସୁସ୍ଥ । ପରିବାରର ପୂରା ବୋଝ ଶୋଭାରାଣୀଙ୍କ ଉପରେ ।
ଜାତୀୟସ୍ତରରେ ଫୁଟବଲ ମୈଦାନରେ ବିଜୟୀ ହୋଇ ଅନ୍ୟ ରାଜ୍ୟ ଦଳକୁକୁ ମାତ୍ ଦେଇଥିବା ବେଳେ ଜୀବନ ଯୁଦ୍ଧରେ ପାଲଟି ଯାଇଛନ୍ତି ଭିନ୍ନ ଜଣେ ସୈନିକ । ୧୯୯୨ ମସିହାରେ ଗୌହାଟିରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ୍ ତରଫରୁ ଆୟୋଜିତ ମହିଳା ଫେଡେରେସନ୍ କପ୍ ଖେଳିବା ପରେ ୧୦ରୁ ଅଧିକ ଜାତୀୟ ସ୍ତରର ମ୍ୟାଚ୍ ଖେଳିଥିଲେ । ମାତ୍ର ବିଡମ୍ବନା ଏବେ ଯାଏ କୌଣସି କ୍ରୀଡା ଭତ୍ତା ପାଇ ନାହାନ୍ତି ।
କ୍ରୀଡା ନିର୍ଦ୍ଦେଶାଳୟକୁ ବାରମ୍ବାର ଦୌଡିଥିଲେ ମଧ୍ୟ ମିଳିଛି ଖାଲି ଆଶ୍ୱାସନା । ଏହି ମହଙ୍ଗା ଦୁନିଆରେ ଚଳିବା ପାଇଁ ରାସନ୍ କାର୍ଡଟିଏ ବି ନାହିଁ । ପ୍ରତିଦିନ ରାତି ୩ଟାରୁ ସହିଦ ନଗରରୁ ବାହାରି ୨୦ କିଲୋମିଟର ସାଇକେଲରେ ବୁଲି ଲୋକଙ୍କ ଘରେ ପେପର ପକାନ୍ତି । ଜଣେ ମହିଳା ହୋଇ ଏଭଳି କାମ କରୁଥିବାରୁ ଅନେକ ଟାହିଟାପରା ବି ଶୁଣିବାକୁ ପଡ଼େ ଶୋଭରାଣୀଙ୍କୁ । । ହେଲେ ପେଟ ପୋଷ ନାହିଁ ଦୋଷ । ଏଇ ନ୍ୟାୟରେ ଶୋଭାରାଣୀ କୁହନ୍ତି, ମୁଁ ମୁଁ ଚୋରି ନାରୀ ତ କରୁନାହିଁ । ଖୋଦ୍ ପରିଶ୍ରମ କରି ସମ୍ମାନର ସହ ଜୀଇବାକୁ ଚେଷ୍ଟା କରୁଛି । ହଁ ଅବସୋସ ରହିଛି ତାଙ୍କର । ତେବେ ଏ ନେଇ ଅଧିକ କିଛଇ କହିବାକୁ ଆଗ୍ରହୀ ନୁହନ୍ତି । କାରଣ ସେ ଜାଣନ୍ତି, ତାଙ୍କୁ ଆଗକୁ ମଧ୍ୟ ଏହିଭଳି ସଂଘର୍ଷମୟ ଜୀବନ ଜାରି ରଖିବାକୁ ହେବ ।
ଛାତ୍ର ଜୀବନ ବେଳେ ଅନେକ ସଫଳତା ପାଇଥିଲେ ଶୋଭାରାଣୀ । କ୍ରୀଡ଼ା ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଯାଏ ବେଶ୍ କିଛି ଟ୍ରଫି ଓ ପ୍ରଶଂସାପତ୍ର ମଧ୍ୟ ପାଇଛନ୍ତି । ସେସବୁ ନିଜ ଜୀବନର ସଫଳତାରର ସ୍ମୃତି ଭାବେ ସାଇତି ରଖିଛନ୍ତି ।
ଅବଶ୍ୟ ଆମର କହିବା କଥା ହେଉଛି, ଯଦି ରାଜ୍ୟ ପାଇଁ କିଛି କରିଥିଲେ ଶୋଭାରାଣୀ । ତେବେ ଅନ୍ତତଃ ସେହିଭଳି ସମ୍ମାନ ଟିକିଏ ପାଇଁ ସେ ହକ୍ଦାର । ଆମେ ଆଶା କରୁଛୁ ରାଜ୍ୟ ସରକାର ତାଙ୍କର ସ୍ଥିତି ପ୍ରତି ଧ୍ୟାନ ଦେବେ ଓ ସହାୟତା ମଧ୍ୟ କରିବେ । ନଚେତ କୌଣସି ଖେଳକୁ ଆପଣାଇବା ପୂର୍ବରୁ ଆମର ପିଲାମାନେ ଓ ସେମାନଙ୍କ ଅଭିଭାବକମାନେ ହଜାରେ ଥର ଚିନ୍ତା କରିବେ ।