ରାଜସ୍ଥାନ ରୟାଲସର ଯୁବ ବୋଲର ଚେତନ ସକାରିୟାଙ୍କ ବାପାଙ୍କ କରୋନାରେ ନିଧନ, ଆଇପିଏଲରୁ ମିଳୁଥିବା ପଇସାରେ କରାଉଥିଲେ ଚିକିତ୍ସା

ଆଇପିଏଲ ୨୦୨୧ରୁ ଚର୍ଚ୍ଚାକୁ ଆସିଥିବା ସୌରାଷ୍ଟ୍ରର ଯୁବ ଦ୍ରୁତ ବୋଲର ଚେତନ ସକାରିୟାଙ୍କ ବାପାଙ୍କ କରୋନାରେ ରବିବାର ନିଧନ ହୋଇଯାଇଛି। ସକାରିୟାଙ୍କ ବାପା କାଞ୍ଜିଭାଇ ସକାରିୟା କରୋନାରେ ସଂକ୍ରମିତ ଥିଲେ ଏବଂ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ସେପଟେ ଚେତନ ସକାରିୟାଙ୍କ ବାପାଙ୍କ ମୃତ୍ୟୁରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଦୁଃଖ ପ୍ରକାଶ କରିଛି।

୨୨ ବର୍ଷୀୟ ଚେତନ ରାଜସ୍ଥାନ ରୟାଲସ ତରଫରୁ ଖେଳୁଥିଲେ। ରାଜସ୍ଥାନ ରୟାଲସ ତାଙ୍କୁ ୧.୨ କୋଟିରେ କିଣିଥିଲା। ଚେତନ ବହୁତ ସାଧାରଣ ପରିବାରରୁ ଆସିଛନ୍ତି। ଆଇପିଏଲରୁ ମିଳୁଥିବା ପଇସାରେ ସେ ନିଜ ବାପାଙ୍କ ଚିକିତ୍ସା କରାଉଥିଲେ। ରାଜସ୍ଥାନ ରୟାଲସ ମଧ୍ୟ ଚେତନଙ୍କ ବାପାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ଟ୍ୱିଟ କରିଛି। ଟ୍ୱିଟରେ କୁହାଯାଇଛି, ଆମେ ଏହି ମୁସ୍କିଲ ସମୟରେ ତାଙ୍କ ପରିବାରକୁ ସବୁ ସମ୍ଭବ ସହାୟତା ପହଞ୍ଚାଇବୁ।

କହି ରଖୁଛୁ, ଚେତନଙ୍କୁ ଗତ ୫ ମାସ ଭିତରେ ଏହା ଦ୍ଵିତୀୟ ଝଟକା ଲାଗିଛି। ବର୍ଷ ପ୍ରାରମ୍ଭରେ ତାଙ୍କ ଭାଇ ଆତ୍ମହତ୍ୟା କରି ନେଇଥିଲେ। ସେହି ସମୟରେ ଚେତନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଖେଳୁଥିଲେ। ଏହି କାରଣରୁ ପରିବାର ଲୋକେ ତାଙ୍କୁ ଭାଇର ମୃତ୍ୟୁକୁ ନେଇ କୌଣସି ଖବର ଦେଇ ନ ଥିଲେ। ପରେ ସେ ଘରକୁ ଆସିବା ପରେ ଏ ବିଷୟରେ ଜାଣିବାକୁ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.