ଚେନ୍ନାଇ ଟେଷ୍ଟରେ ନିଜ ନାମରେ ରେକର୍ଡ କଲେ ଅଶ୍ବିନ, ହରଭଜନଙ୍କୁ ପଛରେ ପକାଇଲେ

ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ମ୍ଯାଚର ଦ୍ବିତୀୟ ଦିନରେ ଅଶ୍ବିନଙ୍କ ଜଲୱା ଦେଖିବାକୁ ମିଳିଛି। ଅଶ୍ବିନଙ୍କ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ। ଯାହାଫଳରେ ଭ୍ରମଣକାରୀ ଦଳ ମାତ୍ର ୧୩୪ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଅଶ୍ବିନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ଈଶାନ୍ତ ଶର୍ମା ଓ ଅକ୍ସର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି। ମହମ୍ମଦ ସିରାଜ ମଧ୍ୟ ଗୋଟାଏ ଓ୍ବିକେଟ ନେଇଥିଲେ।

ଅଶ୍ବିନ ୫ ଓ୍ବିକେଟ ନେଇ ନିଜ ନାମରେ ଆଉ ଏକ ରେକର୍ଡ ଯୋଡିଛନ୍ତି। ଅଶ୍ବିନ ଟେଷ୍ଟ କ୍ରିକେଟ ଇତିହାସରେ ବାମହାତୀ ବ୍ୟାଟସମ୍ୟାନଙ୍କୁ ସର୍ବାଧିକ ୨୦୦ ଥର ଆଉଟ୍ କରିଥିବା ପ୍ରଥମ ବୋଲର ହୋଇଛନ୍ତି। ଏଥିସହିତ ଅଶ୍ବିନ କେବଳ ଭାରତରେ ଖେଳା ଯାଇଥିବା ଟେଷ୍ଟ କ୍ରିକେଟରେ ୨୬୬ ଓ୍ବିକେଟ ନେଇଛନ୍ତି। ମାତ୍ର ଭାରତରେ ୪୫ଟି ମ୍ୟାଚ୍ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି ଅଶ୍ବିନ। ଯାହାଫଳରେ ସେ ଟିମ୍ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ବୋଲର ହରଭଜନ ସିଂହଙ୍କୁ ପଛରେ ପକାଇଛନ୍ତି। ହରଭଜନ ସିଂ ଭାରତରେ ୫୫ଟି ଟେଷ୍ଟ ମ୍ୟାଚ୍ ଖେଳି ୨୬୫ ଓ୍ବିକେଟ ନେଇଛନ୍ତି। ଏହି ଲିଷ୍ଟରେ ଶ୍ରୀଲଙ୍କା ବୋଲର ମୁଥୟା ମୁରଲୀଧରନ, ଶେନ ୱାର୍ନ, ଅନୀଲ କୁମ୍ବଲେଙ୍କ ନାମ ରହିଛି।

ଏଥିସହିତ ଅଶ୍ବିନ ଟେଷ୍ଟ କ୍ରିକେଟରେ ୨୩ ଥର ୫ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି। ଯାହାଫଳରେ ସେ ଇଂଲଣ୍ଡର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ଆଣ୍ଡରସନ୍ ଏପର୍ଯ୍ୟନ୍ତ ୨୨ଥର ୫ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.