ଲାଇଭ୍‌ କମେଣ୍ଟ୍ରି ବେଳେ ଅସୁସ୍ଥ ହୋଇପଡ଼ିଲେ ରିକି ପଣ୍ଟିଂ, ତୁରନ୍ତ ହସ୍ପିଟାଲରେ ହେଲେ ଭର୍ତ୍ତି

ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଷ୍ଟ୍ରେଲିଆର କେତେକ ମିଡିଆ ଆଉଟ୍‌ଲେଟ୍ସର ରିପୋର୍ଟ ମୁତାବକ, ପଣ୍ଟିଂ ପର୍ଥରେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟର ତୃତୀୟ ଦିନରେ କମେଣ୍ଟ୍ରି କରୁଥିଲେ। ଏହି ସମୟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏହି ଘଟଣା ଲଞ୍ଚ୍‌ ସମୟରେ ଘଟିଥିଲା।

ଅଷ୍ଟ୍ରେଲୀୟ ଖବରକାଗଜର ଏକ ରିପୋର୍ଟ ମୁତାବକ, ରିକି ପଣ୍ଟିଂଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ତାଙ୍କ ସହକର୍ମୀମାନେ କହିଛନ୍ତି। ପଣ୍ଟିଂ ଅସୁସ୍ଥ ଅନୁଭବ କରୁଥିବା ନେଇ ତାଙ୍କ ସହକର୍ମୀମାନଙ୍କୁ ଜଣାଇଥିଲେ ଏବଂ କିଛି ଲକ୍ଷଣ ଅନୁଭବ କରିବା ପରେ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଥିଲେ। ପଣ୍ଟିଂ ଏବେ ମ୍ୟାଚର ତୃତୀୟ ସେସନର କମେଣ୍ଟ୍ରି କରିବେ ନାହିଁ।

ପଣ୍ଟିଂ ଏହି ସିରିଜ୍‌ରେ ଚ୍ୟାନେଲ ୭ ପାଇଁ କମେଣ୍ଟ୍ରି କରୁଛନ୍ତି। ଚ୍ୟାନେଲ ୭ର ପ୍ରବକ୍ତା କହିଛନ୍ତି, ରିକି ପଣ୍ଟିଂ ଅସୁସ୍ଥ ଅଛନ୍ତି ଏବଂ ଆଜିର ବାକି କଭରେଜ ପାଇଁ କମେଣ୍ଟ୍ରି କରିବେ ନାହିଁ। ଯଦିଓ ଚ୍ୟାନେଲ ୭ ଏହା ସ୍ପଷ୍ଟ କରୁନାହିଁ କି, ସେ ମ୍ୟାଚ୍‌ର ଚତୁର୍ଥ ଦିନ କମେଣ୍ଟ୍ରି କରିବେ କି ନାହିଁ।

ଅଷ୍ଟ୍ରେଲିଆର ଭେଟେରାନ୍ ରିକି ପଣ୍ଟିଂ ଡିସେମ୍ବର ୧୯ରେ ୪୮ ବର୍ଷରେ ପଦାର୍ପଣ କରିବେ। ସେ ନଭେମ୍ବର ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ରିକି ପଣ୍ଟିଂ ଅଷ୍ଟ୍ରେଲିଆ ପାଇଁ ମୋଟ ୧୬୮ ଟେଷ୍ଟ, ୩୭୫ ଦିନିକିଆ ଏବଂ ୧୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ଅଷ୍ଟ୍ରେଲିଆର ଟିମ୍‌କୁ ଅଧିନାୟକ ରୂପେ ୨ ଥର ବିଶ୍ୱ ଚାମ୍ପିୟନ ମଧ୍ୟ କରିଛନ୍ତି।