ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା, ଆହତଜନିତ ସମସ୍ୟା କାରଣରୁ ବାଦ୍ ପଡିଲେ ରୋହିତ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା । ଆହତଜନିତ ସମସ୍ୟା କାରଣରୁ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ମୁମ୍ବାଇରେ ଅଭ୍ୟାସ ସମୟରେ ରୋହିତଙ୍କୁ ଆଘାତ ଲାଗିଥିଲା । ରୋହିତଙ୍କ ବାମଗୋଡ଼ ମାଂସପେଶୀରେ ଆଘାତ ଲାଗିଛି ।

୩ ସପ୍ତାହ ପର୍ଯ୍ୟନ୍ତ ସେ ବିଶ୍ରାମ ନେବେ । ଫଳରେ ସେ ସମ୍ପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାରେ ଖେଳି ପାରିବେ ନାହିଁ । ରୋହିତଙ୍କ ବଦଳରେ ଗୁଜରାଟ ବ୍ୟାଟର ପ୍ରିୟଙ୍କ ପାଞ୍ଚାଲଙ୍କୁ ସାମିଲ କରାଯାଇଛି । ପୂର୍ବରୁ ଟେଷ୍ଟ ଦଳର ଉପଅଧିନାୟକ ଥିବା ଅଜିଙ୍କ୍ୟ ରାହାଣେଙ୍କୁ ଚୂଡାନ୍ତ ଦଳରେ ନିଆନଗଲେ କିଏ ଉପଅଧିନାୟକ ହେବେ, ତା ଉପରେ ନଜର ରହିଛି । ଏପରିକି ଦିନିକିଆ ଦଳରେ ରୋହିତ ଶର୍ମା ନ ଖେଳିଲେ, କିଏ ଅଧିନାୟକ ହେବେ, ତା ଉପରେ ମଧ୍ୟ ନଜର ରହିଛି ।

ଏପରିକି ଦିନିକିଆ ଦଳର ଅଧିନାୟକ ନିଯୁକ୍ତ ରୋହିତଙ୍କ ବଦଳରେ କିଏ ନେତୃତ୍ବ ନେବେ ପରେ ଚିତ୍ର ସ୍ପଷ୍ଟ ହେବ। ରୋହିତ ଚଳିତ ବର୍ଷ ଭାରତର ଅଗ୍ରଣୀ ଟେଷ୍ଟ୍ ରନ୍‌ ସଂଗ୍ରହକାରୀ ଥିବାରୁ ବିରାଟ କୋହଲିଙ୍କ ଦଳକୁ ଶକ୍ତ ଝଟକା ଲାଗିଛି। ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ଆରମ୍ଭ କରିବା ପରଠାରୁ ରୋହିତ ୧୬ ଟେଷ୍ଟ୍‌ରୁ ୫୮.୪୮ ହାରରେ ୧୪୬୨ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୫ ଶତକ ରହିଛି। ଗତ ସେପ୍ଟେମ୍ବର ମାସରେ ସେ ଇଂଲଣ୍ଡ ବିପକ୍ଷ ଦ ଓଭାଲ୍ ଟେଷ୍ଟ୍‌ରେ ୧୨୭ ରନ୍‌ର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲେ। ଅନ୍ୟପକ୍ଷରେ ପାଞ୍ଚାଲଙ୍କ ଡାକରା ପ୍ରଥମ ଥର ହୋଇ ନାହିଁ।

ଚଳିତ ବର୍ଷ ପ୍ରାରମ୍ଭରେ ଇଂଲଣ୍ଡର ଭାରତ ଗସ୍ତ ବେଳେ ସମ୍ପ୍ରସାରିତ ଭାରତୀୟ ଦଳରେ ପାଞ୍ଚାଲ ଓ ବେଙ୍ଗଲର ପ୍ରାରମ୍ଭିକ ବ୍ୟାଟର୍‌ ଅଭିମନ୍ୟୁ ଈଶ୍ବରନ୍‌ଙ୍କୁ ସାମିଲ କରାଯାଇଥିଲା। ୧୦୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ସାରିଥିବା ପାଞ୍ଚାଲ୍‌ ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ‘ଏ’ ଦଳର ନେତୃ୍ତ୍ବ ନେବା ସହ ୩ ପାଳିରେ ଯଥାକ୍ରମେ ୯୬, ୨୪, ୦ ରନ୍‌ ସଂଗ୍ରହ କରିଛନ୍ତି। ଗତବର୍ଷ ପାର୍ଥିବ ପଟେଲ୍ ଅବସର ନେବା ପରଠାରୁ ପାଞ୍ଚାଲ୍‌ ଗୁଜରାଟ ଦଳର ନେତୃତ୍ବ ମଧ୍ୟ ନେଇ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.