ରାଜେଶ ମହାନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ସହିଦ ସ୍ପୋର୍ଟିଂ କ୍ରିକେଟିୟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ

ଭୁବନେଶ୍ୱର (କେ ନ୍ୟୁଜ୍‌ ଓଡ଼ିଶା) : ଅନେକ ପୁରୁଣା ଓ ନୂଆ କ୍ରୀଡ଼ାବିତ୍‌ଙ୍କ ମେଳରେ ଆଜି ଅନୁଷ୍ଠିତ ହୋଇଛି ସହିଦ ସ୍ପୋର୍ଟିଂ କ୍ରିକେଟିୟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ ଉତ୍ସବ । ରାଜ୍ୟର ସବୁଠାରୁ ପୁରାତନ କ୍ରୀଡ଼ା ପୁରସ୍କାର ଭାବେ ପରିଚିତ ଏହି କାର୍ଯ୍ୟକ୍ରମରେ ଆଜି ଯୁବ କ୍ରିକେଟ୍‌ ଖେଳାଳି ରାଜେଶ ମହାନ୍ତି ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରିକେଟ୍‌ ଖେଳାଳି ଭାବେ ସହିଦ ସ୍ପୋର୍ଟି-ମାରୁତି ଇଷ୍ଟେଟ୍‌ କ୍ରିକେଟିୟର ଅଫ୍‌ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଉଭୟ ଖେଳାଳିଙ୍କୁ ସ୍ୱତନ୍ତ୍ର ଟ୍ରଫି ସହ ଏକ ବ୍ଲେଜର ଏବଂ ୩୧ ହଜାର ଲେଖାଏଁ ଅର୍ଥ ପୁରସ୍କାର ଦିଆଯାଇଛି । ପ୍ରିୟଙ୍କା ନିଜେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିବା ବେଳେ ଅନୁପସ୍ଥିତ ଥିବା ରାଜେଶଙ୍କ ପାଇଁ ତାଙ୍କ କୋଚ୍‌ ଦୀପକ ମହାନ୍ତି ପୁରସ୍କାର ଗ୍ରହଣ କରିଥିଲେ । ରାଜେଶ ଦଲୀପ ଟ୍ରଫିରେ ଖେଳିବାକୁ ମନୋନୀତ ହୋଇଥିବାରୁ ଓଡ଼ିଶାରେ ନାହାନ୍ତି ।
ସହିଦ ସ୍ପୋର୍ଟିଂର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି, ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଏଥିରେ ଏହି କ୍ରୀଡ଼ା ପୁରସ୍କାରର ପ୍ରାୟୋଜକ ମାରୁତି ଇଷ୍ଟେଟ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ଏବଂ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳାଳି ତଥା ବିସିସିଆଇ ଜୁନିୟର ଚୟନ କମିଟି ସଦସ୍ୟ ଦେବାଶିଷ ମହାନ୍ତି, ପୂର୍ବତନ ଖେଳାଳି ରଶ୍ମି ରଞ୍ଜନ ପରିଡ଼ା, ଅଲିମ୍ପିିକ୍‌ ହକି ଖେଳାଳି ଲାଜରୁସ୍‌ ବାର୍ଲା, ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଚେସ୍‌ ଖେଳାଳି ସ୍ୱୟଂଶୁ ସତ୍ୟପ୍ରଜ୍ଞ ଏବଂ ଓଡ଼ିଶା ରଣଜୀ ଦଳର ଏକାଧିକ ଖେଳାଳି ଯୋଗ ଦେଇଥିଲେ ।