ଭାରତରେ ଖେଳାଯିବନି ଆଇପିଏଲ ୨୦୨୧ର ବାକି ମ୍ୟାଚ୍, ସୌରଭ ଗାଙ୍ଗୁଲି ଦେଲେ ବଡ଼ ବୟାନ

ଆଇପିଏଲରେ କରୋନା ଏଣ୍ଟ୍ରି କରିବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଜନ-୧୪କୁ ସ୍ଥଗିତ ରଖାଯାଇଛି। ଏହି ସିଜନରେ ଏବେ ଯାଏଁ ମୋଟ ୨୯ଟି ମ୍ୟାଚ୍ ଖେଳାଯାଇଛି। ତେବେ କିଛି ଖେଳାଳି କରୋନା ସଂକ୍ରମିତ ହେବା ପରେ BCCI କଡ଼ା ପଦକ୍ଷେପ ଗ୍ରହଣ କରି ଆଇପିଏଲକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା।

ଫ୍ୟାନମାନେ ଏବେ ଅପେକ୍ଷା କରିଛନ୍ତି ଯେ ବାକି ମ୍ୟାଚ କେବେ ଓ କେଉଁଠି ହେବ। ଏଭଳି ସ୍ଥିତିରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ବଡ଼ ବୟାନ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି, ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ୧୪ ଦିନର କ୍ୱାରେଣ୍ଟାଇନ୍ ଖେଳାଳିଙ୍କ ପାଇଁ କଷ୍ଟ ସାଧ୍ୟ ହେବ। ଏଭଳି ଅବସ୍ଥାରେ ଆଇପିଏଲର ବାକି ମ୍ୟାଚ୍ ହେବା ସମ୍ଭବ ନୁହେଁ। ତେବେ କେବେ ବାକି ମ୍ୟାଚ୍ ହେବ, ତାହା କହିବା ମୁସ୍କିଲ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି।

ସେ କହିଛନ୍ତି, ଯଦି କୌଣସି ଖେଳାଳିଙ୍କୁ କରୋନା ହୋଇନଥାନ୍ତା ତେବେ ଆମେ ମ୍ୟାଚ୍ ଜାରି ରଖିଥାନ୍ତୁ ଓ ଶେଷ ବି କରିଥାନ୍ତୁ। ଖେଳାଳିମାନେ ବବଲରେ ଥିଲେ ଓ ଷ୍ଟାଡିୟମରେ ଦର୍ଶକ ବି ନଥିଲେ। ମାତ୍ର ଖେଳାଳି ସଂକ୍ରମିତ ହେବାରୁ ବାଧ୍ୟ ହୋଇ ଆମକୁ ମ୍ୟାଚ୍ ବନ୍ଦ କରିବାକୁ ପଡ଼ିଲା ବୋଲି କହିଛନ୍ତି ଗାଙ୍ଗୁଲି।

ସୂଚନାଯୋଗ୍ୟ ଯେ ଆଇପିଏଲର ବାକି ମ୍ୟାଚ୍ ଶ୍ରୀଲଙ୍କା, ୟୁଏଇ ସମେତ ଇଂଲଣ୍ଡରେ କରିବାକୁ ଉକ୍ତ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.