ବିଶ୍ୱ କ୍ରିକେଟରେ ରେକର୍ଡ କଲା ଭାରତ, ତିନିଟି ଯାକ ଫର୍ମାଟରେ ସାଜିଲା ନଂ ୧

କ୍ରିକେଟ୍ ଇତିହାସରେ ସବୁ ଫର୍ମାଟରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ । ପ୍ରଥମ ଥର ପାଇଁ ଦିନିକିଆ, ଟେଷ୍ଟ, ଟି-୨୦ ଫର୍ମାଟରେ ୧ ନଂ ସ୍ଥାନରେ ଭାରତ ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ଜିତିବା ପରେ ଭାରତୀୟ କ୍ରିକେଟ ଟିମ୍‌ ବିଶ୍ୱ ରେକର୍ଡ କରିଛି । ପ୍ରଥମ ଥର ଲାଗି କ୍ରିକେଟର ସବୁ ଫର୍ମାଟରେ ଭାରତ ଏକ ନମ୍ବର ହୋଇଛି। ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ବିଜୟ ପରେ ଭାରତ ଆଇସିସିର ଦିନିକିଆ ରାଙ୍କିଂରେ ୧ ନମ୍ବର ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଭାରତ ଟେଷ୍ଟ ଓ ଟି-୨୦ ଫର୍ମାଟରେ ଏକ ନମ୍ବର ସ୍ଥାନରେ ଥିଲା। ଏବେ ଦିନିକିଆରେ ଏକ ନମ୍ବର ସ୍ଥାନ ସହ ତିନିଟି ଯାକ ଫର୍ମାଟରେ ଭାରତ ନମ୍ୱର ୱାନ୍।

କ୍ରିକେଟ୍ ଇତିହାସରେ ସବୁ ଫର୍ମାଟରେ ଏକ ନମ୍ବର ସ୍ଥାନରେ ରହିବାରେ ଭାରତ ଦ୍ୱିତୀୟ ଦେଶ। ୨୦୧୨ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଟିମ୍ ଭାବେ ଏହି ରେକର୍ଡ ହାସଲ କରିଥିଲା। ଶୁକ୍ରବାର ମ୍ୟାଚ ପୂର୍ବରୁ ଭାରତ ଦିନିକିଆ ରାଙ୍କିଂରେ ଦ୍ୱିତୀୟ ସ୍ଥାନରେ ଥିଲା। ଆଇସିସି ଦିନିକିଆ ବିଶ୍ୱକପ ପୂର୍ବରୁ କିଏ ଏକ ନମ୍ବର ସ୍ଥାନରେ ରହିବ ସେଥିଲାଗି ଗତ ମାସେ ହେଲା ଭାରତ, ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ଚାଲିଥିଲା।


ଏସିଆ କପ ଶେଷ ବେଳକୁ ଦଳର ଖରାପ ପ୍ରଦର୍ଶନ ସତ୍ତ୍ବେ ଶୀର୍ଷ ସ୍ଥାନରେ ରହିଥିଲା ପାକିସ୍ତାନ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସି ଆସିଥିଲା। ଏବେ ଅଷ୍ଟ୍ରେଲିଆକୁ ପ୍ରଥମ ଦିନିକିଆରେ ହରାଇ ଭାରତ ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନ ଦ୍ୱିତୀୟ ଓ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଯଦି ଆଗାମୀ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ହରାଏ ତେବେ ବି ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନରେ ପହଞ୍ଚି ପାରିବ ନାହିଁ। କିନ୍ତୁ ଅଷ୍ଟ୍ରେଲିଆଠାରୁ ବାକି ଦୁଇଟି ମ୍ୟାଚ ହାରିଲେ ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିବ। ପାକିସ୍ତାନ ଟପ୍ ପୋଜିସନ ଫେରି ପାଇବ। ଯଦି ଭାରତ ୨-୧ରେ ସିରିଜ ଜିତେ ତେବେ ଏକ ନମ୍ବର ସ୍ଥାନ ବଜାୟ ରଖିବ। ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଇନ୍ଦୋର ଓ ରାଜକୋଟରେ ଖେଳାଯିବ।

ସୂଚନା ଅନୁସାରେ, ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ରାହୁଲ ବାହିନୀ । ଅଷ୍ଟ୍ରେଲିଆର ୨୭୭ ରନ୍ ଲକ୍ଷ୍ୟକୁ ୪୮.୪ ଓଭରରେ ୫ ୱିକେଟ ହରାଇ ହାସଲ କରିବାରେ ସଫଳ ହୋଇଛି ଭାରତ । ମହମ୍ମଦ ଶାମିଙ୍କ ଘାତକ ବୋଲିଂ ପରେ ୪ ଜଣ ଷ୍ଟାର ଖେଳାଳିଙ୍କ ଦମଦାର ଅର୍ଦ୍ଧଶତକ ଭାରତକୁ ବିଜୟ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.