ନିଜ କ୍ୟାରିୟର ପାଇଁ ସଚିନ କାହାକୁ ଦେଲେ ଶ୍ରେୟ

ଏହା ଭିତରେ ଛଅ ବର୍ଷ ବିତିଗଲାଣି । ଠିକ୍‌ ଆଜିର ଦିନରେ କ୍ରିକେଟ୍‌କୁ ଅଲବିଦା କହିଥିଲେ କିମ୍ବଦନ୍ତୀ ଖେଳାଳି ସଚିନ୍‌ ତେନ୍ଦୁଲକର । ୨୦୧୩ ମସିହା ଆଜିର ଦିନରେ ଏହି ଯୋଗଜନ୍ମା ଖେଳାଳି ସବୁ ପ୍ରକାର କ୍ରିକେଟ୍‌ରୁ ଅବସର ନେଇଥିଲେ । ନିଜ ଘରୋଇ ପଡ଼ିଆ ମୁମ୍ବାଇର ଓ୍ଵଙ୍ଖଡ଼େ ଷ୍ଟାଡିୟମ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌ ସହିତ ଖେଳିଥିଲେ ୨୦୦ତମ ଟେଷ୍ଟ ମ୍ୟାଚ୍‌ । ଶେଷ ଇନିଂସ୍‌ରେ ୭୪ ରନ୍‌ କରି ଇଣ୍ଡିଜ୍‌ ସ୍ପିନର ନରସିଂହ ଦେଓନାରିଙ୍କ ବଲ୍‌ରେ ଡାରେନ୍‌ ସାମିକୁ କ୍ୟାଚ୍‌ ଦେଇ ପାଭିଲିଅନ୍‌ ଫେରିଥିଲେ ।
ସବୁବେଳେ ବିପକ୍ଷ ଦଳର ଖେଳାଳିମାନେ ତେନ୍ଦୁଲକରଙ୍କ ଓ୍ଵିକେଟ୍‌ ପାଇଲେ ଖୁସିରେ ଉଛୁଳି ଉଠନ୍ତି । ହେଲେ ସାମି ତାଙ୍କ କ୍ୟାଚ୍‌ ଧରିବା ପରେ ସେଲିବ୍ରେଟ୍‌ କରି ନଥିଲେ । କାରଣ ଏହା ଥିଲା ସଚିନ୍‌ଙ୍କ ଅନ୍ତିମ ଇନିଂସ୍‌ । ଏହା ଭିତରେ ୬ ବର୍ଷ ବିତିଗଲାଣି । ସଚିନ୍‌ ସିନା ପଡ଼ିଆରେ ନାହାନ୍ତି ହେଲେ ତାଙ୍କ ରେକର୍ଡ଼ ଏବେବି ତାଙ୍କୁ ଜଣେ କିମ୍ବଦନ୍ତୀ ଖେଳାଳି କରି ରଖିଛି । ଦୁନିଆରେ କ୍ରିକେଟ୍‌ ଥିବା ଯାଏ ସଚିନ୍‌ ତେନ୍ଦୁଲକରଙ୍କ ନାଁ ସେମିତି ଅଲିଭା ହୋଇ ରହିବ ।

୧୯୮୯ରୁ ୨୦୧୩ : ୨୨ ଗଜରେ ୨୪ ବର୍ଷ

୧୯୮୯ ମସିହା । ପାକିସ୍ତାନ କରାଚିର ନେସନାଲ ଷ୍ଟାୟମ । ଏଠାରେ ଜଣେ ୧୬ ବର୍ଷ ବୟସ୍କ ଭାରତୀୟ ଖେଳାଳି ଟେଷ୍ଟ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ । ଭାରତର ସମସ୍ତଙ୍କ ନଜର ସେତେବେଳେ ଏଇ ଛୋଟ ପିଲାଟି ଉପରେ ଥିଲା । କାରଣ ଘରୋଇ କ୍ରିକେଟ୍‌ରେ ସେ ରେକର୍ଡ଼ କରି ସାରିଥିଲେ ଏବଂ ସୁନୀଲ ଗାଭାସ୍କର ମଧ୍ୟ ସେ ହେଉଛନ୍ତି କାରର କ୍ରିକେଟ୍‌ ଭବିଷ୍ୟତ ବୋଲି କହି ସାରିଥିଲେ । ଏପଟେ ଛୋଟ ପିଲାଟିକୁ ବ୍ୟାଟିଂ କରିବା ପାଇଁ ଆସିବାର ଦେଖି ପାକିସ୍ତାନରେ ଦର୍ଶକମାନେ କିଛି ନକାରାତ୍ମକ ମନ୍ତବ୍ୟ ଦେଇଥିଲେ । କହିଥିଲେ ‘ତୋର ବୟସ ହୋଇନି । ଯା ଘରେ ନିପଲ୍‌ ଲଗାଇ କ୍ଷୀର ପିଇବୁ’ । ଏମିତିକି ସେତେବେଳେ ପାକିସ୍ତାନର ଦୁର୍ଦ୍ଧର୍ଷ ପେସ୍‌ ବୋଲର୍‌ ଭାବେ ପରିଚିତ ହେଉଥିବା ଓ୍ଵାସିମ୍‌ ଆକ୍ରମ, ଓକାର ୟୁନୁସ୍‌ ମଧ୍ୟ ସଚିନ୍‌ଙ୍କୁ ଡରାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ସଚିନ୍‌ ସେମାନଙ୍କୁ ଚୌକା ମାରି ନିଜ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜଣାଇ ଦେଇଥିଲେ । ପ୍ରମାଣ କରିଥିଲେ ସେ ସତରେ ହେଉଛନ୍ତି ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ।

TEN-3ଏବେ ସଚିନ୍‌ଙ୍କୁ ୪୬ ବର୍ଷ । ୨୨ ଗଜର ପିଚ୍‌ରେ ୨୪ ବର୍ଷର ଲମ୍ବା କ୍ରିକେଟ୍‌ ଜୀବନ ତାଙ୍କର । ସେ କୁଢ କୁଢ ରେକର୍ଡ଼ କରିଛନ୍ତି । ଦିନିକି ଆନ୍ତର୍ଜାତିକରେ ୧୮,୪୨୬ ରନ୍‌ ଏବଂ ଟେଷ୍ଟରେ ୧୫,୯୨୨ ରନ୍‌ ସ୍କୋର କରିଛନ୍ତି । ସଚିନ୍‌ ୨୦୧୨ରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଥିଲେ ।

TEN-1

ବାପା ମାଆଙ୍କ କଥା

ନିଜ ବାପାଙ୍କୁ ସେ ସବୁଠାରୁ ବଡ଼ ଆଦର୍ଶ ବୋଲି ମାନୁଥିଲେ । ତାରଣ ମାତ୍ର ୧୧ ବର୍ଷ ବୟସରେ ତାଙ୍କୁ ପାଠ ପଢ଼ା କଥା ନୁହେଁ, ନିଜର ସ୍ୱପ୍ନ ପଛରେ ଦୌଡ଼ିବା ପାଇଁ ସ୍ୱାଧୀନତା ଦେଇଥିଲେ ବାପା । ତେବେ ଏକଥା ମଧ୍ୟ କହିଥିଲେ ସଫଳତା ସର୍ଟକଟ୍‌ ରାସ୍ତାରେ ମିଳେ ନାହିଁ । ତେଣୁ ନିଷ୍ଠା ଓ ପରିଶ୍ରମ ଦ୍ୱାରା ହିଁ ସଫଳତା ଲାଭ କରି ହେବ । ଆହୁରି ମଧ୍ୟ ତାଙ୍କୁ ବାପା ସବୁବେଳେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ବୋଲି ସଚିନ୍‌ କହିଛନ୍ତି ।
ନିଜ ମା’ଙ୍କ ବିଷୟରେ ସଚିନ୍‌ କୁହନ୍ତି, ସେ ଜଣେ ଅତି ଧୈର୍ଯ୍ୟବାନ୍‌ ମହିଳା । ମୋ ଭଳି ଚଗଲା ପିଲାକୁ ପାଳନ କରୁଥିଲେ । ମୁଁ ଖେଳିବା ବେଳେ ସେ କେବଳ ଭଗବାନଙ୍କୁ ପ୍ରାର୍ଥନା କରନ୍ତି । ସବା ବଡ଼ ଭାଇ ନିତିନ ଓ ତାଙ୍କ ପରିବାର ତାଙ୍କୁ ଖେଳିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ସେହିଭଳି ବଡ଼ ଭଉଣୀ ସବିତା ତାଙ୍କ ପାଇଁ ପ୍ରଥମ କ୍ରିକେଟ୍‌ ବ୍ୟାଟ୍‌ କିଣି ଦେଇଥିଲେ । ସେହି ବ୍ୟାଟ୍‌ରୁ ତାଙ୍କର କ୍ରିକେଟ୍‌ ଖେଳ ଆରମ୍ଭ ହୋଇଥିଲା । ସେ ପଡ଼ିଆରେ ବ୍ୟାଟିଂ କଲା ବେଳେ ଭଉଣୀ ସବିତା ଉପବାସ ରଖନ୍ତି ତାଙ୍କର ବଡ଼ ଇନିଂସ୍‌ ପାଇଁ ।

TEN-2

‘ମୋ ପାଇଁ ବହୁତ ତ୍ୟାଗ କରିଛନ୍ତି ଭାଇ ଓ ପତ୍ନୀ’

ଆଉ ଜଣେ ଭାଇ ଅଜିତଙ୍କୁ ଖୁବ୍‌ ପ୍ରଶଂସା କରନ୍ତି ସଚିନ୍‌ । କାରଣ ସଚିନ୍‌ କେବଳ କ୍ରିକେଟ୍‌କୁ ହିଁ ବୁଝୁଥିଲେ । ବାକି କଥା ବୁଝୁଥିଲେ ଭାଇ ଅଜିତ । ଅଜିତ ନିଜ କ୍ୟାରିୟରକୁ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରି ସଚିନ୍‌ଙ୍କ ପାଇଁ ସମୟ ଦେଇଥିଲେ । ଅଜିତ ହିଁ ତାଙ୍କୁ ପ୍ରଥମ କୋଚ୍‌ ରମାକାନ୍ତ ଆଚରେକରଙ୍କ ପାଖକୁ ନେଇଥିଲେ । ଯେଉଁଠି ତାଙ୍କର ଜୀବନର ପଥ ବଦଳି ଯାଇଥିଲା ।
ସେହିଭଳି ସେ ନିଜ ପତ୍ନୀ ଅଞ୍ଜଳିଙ୍କୁ ମଧ୍ୟ ତାଙ୍କ ସଫଳତାର ଶ୍ରେୟ ଦିଅନ୍ତି । ୧୯୯୦ରେ ଅଞ୍ଜଳିଙ୍କୁ ଭେଟିଥିଲେ ସଚିନ୍‌ । କେବଳ କ୍ରିକେଟ୍‌କୁ ଗୁରୁତ୍ୱ ଦେଉଥିବା ସଚିନ୍‌ ପ୍ରେମ ପଥରେ ଚାଲିଲେ । ତେବେ ବଡ଼ କଥା ହେଉଛି, ଭାଇ ଅଜିତଙ୍କ ଭଳି ଡାକ୍ତର ଅଞ୍ଜଳି ନିଜ କ୍ୟାରିୟରକୁ ତ୍ୟାଗ କରିଥିଲେ । ଏତିକି କହିଥିଲେ, ତୁମେ କ୍ରିକେଟ୍‌ କଥା ଚିନ୍ତାକର, ମୁଁ ପରିବାର କଥା ବୁଝିବି । ସେହି ଦିନଠାରୁ ଅଞ୍ଜଳି ତାଙ୍କ କର୍ତ୍ତବ୍ୟ କରି ଚାଲିଛନ୍ତି ।


ଖେଳାଳି ଭାବେ ଯେମିତି ସର୍ବାଦା ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହ କରିଥିଲେ ସେହିଭଳି ଭାବେ ବାପାଙ୍କ କଥା ମାନି ସେ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରିଛନ୍ତି ଏବଂ ସଫଳ ବି ହୋଇଛନ୍ତି । ତେଣୁ ସଚିନ୍‌ ତେନ୍ଦୁଲକରଙ୍କ କ୍ରୀଡ଼ା ଜୀବନ ଏବଂ ବ୍ୟକ୍ତିଗତ ଜୀବନ ସମସ୍ତଙ୍କ ପାଇଁ ଏକ ଆଦର୍ଶ ହୋଇ ରହିବ ।

TENDULKAR

ସଚିନ୍‌ଙ୍କ କ୍ୟାରିୟର

୨୪ ବର୍ଷ । ୬୬୪ ମ୍ୟାଚ୍‌ । ୭୮୨ ଇନିଂସ୍‌ । ୭୪ ଥର ଅପରାଜିତ । ୩୪,୩୫୭ ରନ୍‌ । ରନ୍‌ ହାର ୪୮.୫୨ । ସାମନା କରିଛନ୍ତି ୫୦୮୧୬ ବଲ୍‌ । ସର୍ବାଧିକ ସ୍କୋର ଅପରାଜିତ ୨୪୮ ରନ୍‌ । ୧୬୪ ଅର୍ଦ୍ଧଶତକ । ୨୦ ଥର ୯୦ ରନ୍‌ରେ ପହଞ୍ଚିଛନ୍ତି । ୧୦୦ଟି ଶତକ । ୨୫ଟି ୧୫୦ ରନ୍‌ । ୬ଟି ଦ୍ୱିଶତକ । ୭୬ଟି ମ୍ୟାନ୍‌ ଅଫି ମ୍ୟାଚ୍‌ ପୁରସ୍କାର । ୨୦ଟି ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ପୁରସ୍କାର । ୪୦୭୬ ଚୌକା ଓ ୨୬୪ ଛକା । ୨୦୧ ଓ୍ଵିକେଟ୍‌ ଦଖଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.