ଦିନିକିଆରେ ସୂର୍ଯ୍ୟଙ୍କ ଚମକ ଫିକା, ଫ୍ୟାନ୍ କହିଲେ ଇଏ କେବଳ ଟି-୨୦ ପାଇଁ ଫିଟ୍
ଲଗାତର ତିନିଟି ଦିନିକିଆରେ ଖାତା ଖୋଲି ପାରିନଥିବା ଷଷ୍ଠ ଭାରତୀୟ ବ୍ୟାଟର ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ଜାହିର ଖାନ୍, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରାହ ଗୋଲଡେନ୍ ଡକ୍ ହୋଇଛନ୍ତି ।

ଦିନେ ନିଜ ବ୍ୟାଟିଂରେ ସମସ୍ତଙ୍କୁ ଚମକାଇ ଦେଇଥିବା ସୂର୍ଯ୍ୟ କୁମାର ଯାଦବ ଏବେ ସମସ୍ତଙ୍କ ଆଖିର କଣ୍ଟା ହୋଇଛନ୍ତି । ଯେମିତି ଫିକା ପଡ଼ି ଯାଇଛି ସୂର୍ଯ୍ୟଙ୍କ ଚମକ । । ଦିନିକିଆ ଆନ୍ତର୍ଜାତିକରେ ଏକଦମ ଫ୍ଲପ୍ ସୋ ତାଙ୍କର । ଅଷ୍ଟ୍ରେଲିଆ ବିପକ୍ଷ ଓ୍ଵାନ୍ ଡେ’ରେ ଖାତା ଖୋଲି ପାରିଲେ ନାହିଁ । ୩ଟି ମ୍ୟାଚ୍ରେ ଶୂନ । ତିନିଟି ଯାକ ଇନିଂସ୍ରେ ପ୍ରଥମ ବଲ୍ରେ ହିଁ ଆଉଟ୍ ହୋଇ ପାଭିଲିଅନ୍ ଫେରିଛନ୍ତି ସୂର୍ଯ୍ୟ କୁମାର । ଏବେ ତାଙ୍କର ଗୋଲଡେନ୍ ଡକ୍କୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ସମସ୍ତେ ତାଙ୍କୁ ଟ୍ରୋଲ୍ କରୁଛନ୍ତି ।
ଶ୍ରେୟସ ଆୟର ଆହତ ହେବା ପରେ ମିଡିଲ ଅର୍ଡରରେ ସୂର୍ଯ୍ୟ କୁମାରଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିଥିଲା । କିନ୍ତୁ କ୍ଲିକ୍ କରି ପାରିଲେ ନାହିଁ । ଅଷ୍ଟ୍ରେଲିଆ ବିପକ୍ଷରେ ଦେଖିବାକୁ ମିଳିଲାନି ସୂର୍ଯ୍ୟ ଝଡ଼ । ୩୬୦ ଡିଗ୍ରୀ ପ୍ଲେୟାର ଭାବେ ଜଣାଶୁଣା ସୂର୍ଯ୍ୟ କୁମାର ଟି-ଟେ୍ଵଣ୍ଟିରେ ଭାରତ ପାଇଁ ବଡ଼ ବଡ଼ ଓ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି । କିନ୍ତୁ ୫୦ ଓଭର୍ ମ୍ୟାଚରେ ଫେଲ୍ ମାରୁଛନ୍ତି । ଅବଶ୍ୟ ସୂର୍ଯ୍ୟ କୁମାରଙ୍କ ସପକ୍ଷରେ ବାହାରିଛନ୍ତି ଅଧିନାୟକ ରୋହିତ ଶର୍ମା । ଗତକାଲି ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ରୋହିତ କହିଥିଲେ, ଏମିତି କାହା ସହିତ ବି ହୋଇପାରେ । ସେ ସ୍ପିନ୍ ବଲ୍କୁ ଭଲ ଖେଳି ପାରନ୍ତି । ସେଥିପାଇଁ ତୃତୀୟ ଦିନିକିଆରେ ତାଙ୍କୁ ଶେଷ ଡାଉନ୍ରେ ରଖା ଯାଇଥିଲା । କାରଣ ଶେଷ ୧୫-୨୦ ଓଭରରେ ସେ ହାତଖୋଲା ସଟ୍ ମାରି ପାରି ପାରନ୍ତି । ତେବେ ତିନି ତିନିଥର ସେ ବହୁତ ଭଲ ବଲ୍ରେ ଆଉଟ୍ ହୋଇଛନ୍ତି ବୋଲି ରୋହିତ କହିଛନ୍ତି ।
ଲଗାତର ତିନିଟି ଦିନିକିଆରେ ଖାତା ଖୋଲି ପାରିନଥିବା ଷଷ୍ଠ ଭାରତୀୟ ବ୍ୟାଟର ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ଅନୀଲ କୁମ୍ବଲେ, ଜାହିର ଖାନ୍, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରାହ ଗୋଲଡେନ୍ ଡକ୍ ହୋଇଛନ୍ତି ।
ଆମ କ୍ରିକେଟ୍ ପ୍ରିୟ ଦେଶରେ ଖେଳାଳି ଜଣେ ଭଲ ଖେଳିଲେ ଫ୍ୟାନ୍ମାନେ ମୁଣ୍ଡରେ ବସାଇ ଦେବେ । ଆଉ ଖରାପ ଖେଳିଲେ ବରଦାସ୍ତ କରିବେ ନାହିଁ । ସେ ସଚିନ ତେନ୍ଦୁଲକର ହୁଅନ୍ତୁ ଅବା ବିରାଟ କୋହଲି, ସମସ୍ତେ ଏଭଳି ସ୍ଥିତିର ସାମନା କରିଛନ୍ତି । ସେଠି ସୂର୍ଯ୍ୟ କୁମାର ବାଦ୍ ପଡ଼ନ୍ତେ ବା କେମିତି । ତେଣୁ ତାଙ୍କର ଖରାପ ଫର୍ମ ଏବଂ ଅଷ୍ଟ୍ରେଲିଆ ଠାରୁ ଘରୋଇ ମାଟିରେ ଦିନିକିଆ ସିରିଜ୍ ହାରିବାକୁ ସେମାନେ ହଜମ କରି ପାରୁ ନାହାନ୍ତି । ତେବେ ସୂର୍ଯ୍ୟ ଜଣେ ଯୁବା ଖେଳାଳି । ସେ ନିଜର ତ୍ରୁଟି ସୁଧାରି ପୁଣି ପଡ଼ିଆରେ ଚମକିବେ ବୋଲି ଆମେ ସମସ୍ତେ ଆଶା କରିବା ଉଚିତ ।