ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ କି ବିରାଟ କୋହଲି ?

କୋହଲି ଆଗାମୀ ଟି-୨୦ ବିଶ୍ୱକପରେ ଭାରତୀୟ ଦଳରୁ ବାଦ୍‌ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।

ବିସିସିଆଇ ଏବେ ଖେଳାଳିଙ୍କୁ ନେଇ ଟିକେ ଅଧିକ କଡ଼ାକଡ଼ି ହୋଇଛି । ଏହି କାରଣ ଯୋଗୁଁ ଶ୍ରେୟଶ ଆୟର ଓ ଇସାନ କିଷାନ୍‌ ବିସିସିଆଇ ଚୁକ୍ତିରୁ ବାଦ୍‌ ପଡ଼ିଛନ୍ତି । ଏବେ ଏଭଳି କିଛି ଘଟଣା ପୂର୍ବତନ ଅଧିକାରୀ ତଥା ଭେଟେରାନ୍‌ ବ୍ୟାଟର ବିରାଟ କୋହଲିଙ୍କ ଭାଗ୍ୟରେ ଆସି ପାରେ । କୋହଲି ଆଗାମୀ ଟି-୨୦ ବିଶ୍ୱକପରେ ଭାରତୀୟ ଦଳରୁ ବାଦ୍‌ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।

ପ୍ରଥମ କଥା ହେଉଛି ବ୍ୟକ୍ତିଗତ କାରଣରୁ କୋହଲି ପ୍ରାୟ ଦୁଇ ମାସ ହେବ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁ ନାହାନ୍ତି । ଗତ ଇଂଲଣ୍ଡ ସିରିଜରେ ମଧ୍ୟ ସେ ଖେଳି ନଥିଲେ । ଯଦିଓ ବିଶ୍ୱକପ୍‌ ଟି-୨୦ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ବହୁତ ଭଲ । ସେ ୧୩୧.୩୦ ହାରରେ ୧୧୪୧ ରନ୍‌ ସ୍କୋର କରିଛନ୍ତି । ତେବେ ଦଳରେ ଅନୁପସ୍ଥିତି ଯୋଗୁଁ ସେ ବାଦ୍‌ ପଡ଼ି ପାରନ୍ତି । କାରଣ ନିକଟ ଅତୀତରେ ସେ ଖେଳି ନାହାନ୍ତି ।

ଏହା ବ୍ୟତୀତ କୋହଲିଙ୍କ ଜାଗା ନେବାକୁ ବେଶ୍‌ କିଛି ଯୁବ ଖେଳାଳି ଅପେକ୍ଷାରେ ରହିଛନ୍ତି । ସୂର୍ଯ୍ୟ କୁମାର ଯାଦବ, ଶୁବମନ ଗିଲ ଏବଂ ରିଙ୍କୁ ସିଂହଙ୍କ ଭଳି ଖେଳାଳି କୋହଲିଙ୍କ ସ୍ଥାନ ନେବାର ସମ୍ଭାବନା ରହିଛି । କିଛି ଦିନ ପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ କହିଥିଲେ କି ଟି-୨୦ ବିଶ୍ୱକପ୍‌ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ଆଗକୁ ଖେଳାଳି ଚୟନ ମଧ୍ୟ ହେବ । ଯଦି ଆଗାମୀ ଆଇପିଏଲରେ କୋହଲି ଖେଳନ୍ତି ଓ ଭଲ ପ୍ରଦର୍ଶନ କରନ୍ତୁ ତେବେ ତାଙ୍କୁ ବିଶ୍ୱକପରେ ସୁଯୋଗ ମିଳିବ । ନଚେତ ଅନେକ ରେକର୍ଡ଼ କରିଥିବା ଏହି ୩୫ ବର୍ଷୀୟ ଖେଳାଳି ଦଳରୁ ବାଦ୍‌ ପଡ଼ିବେ । କୋହଲି ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଜାନୁଆରୀ ୧୭ ତାରିଖରେ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲେ ।

ଗତ ୧୧ ବର୍ଷ ହେବ ଭାରତୀୟ ଦଳ କୌଣସି ଆଇସିସି ଟ୍ରଫି ଜିତି ନାହିଁ । ଗତ ଦିନିକିଆ ବିଶ୍ୱକପରେ ରନର୍ସଅପ୍‌ ହୋଇଛି । ତେଣୁ ବିସିସିଆଇ ଏକ ସୁଦକ୍ଷ ଟିମ୍‌ ପ୍ରସ୍ତୁତ କରି ଟି-୨୦ ବିଶ୍ୱକପକୁ ପଠାଇବା ପାଇଁ ସ୍ଥିର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.