ପୁଣି ବିରାଟ ମିସ୍ କରିବେ ଆଉ ଦୁଇଟି ଟେଷ୍ଟ, ପୂରା ସିରିଜରେ ନଖେଳିବା ସମ୍ଭାବନା
ବିରାଟ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍ରେ ମଧ୍ୟ ଖେଳି ପାରିବେ ନାହିଁ ବୋଲି ସୂଚନା ମିଳିଛି ।

ମୁମ୍ବାଇ : ବିରାଟ କୋହଲିଙ୍କୁ ପୁଣି ମିସ୍ କରିବ ଟିମ୍ ଇଣ୍ଡିଆ । ସେ ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ୍ରେ ମଧ୍ୟ ଖେଳି ପାରିବେ ନାହିଁ ବୋଲି ସୂଚନା ମିଳିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଖେଳା ସରିଛି । ଏଥିରେ ବିରାଟ ଖେଳିବେ ନାହିଁ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ବର୍ତ୍ତମାନର ଖବର ହେଉଛି ଏହି ରେକର୍ଡ଼ ବ୍ରେକର ବ୍ୟାଟର ତୃତୀୟ ଓ ଚତୁର୍ଥ ଟେଷ୍ଟ ମଧ୍ୟ ଖେଳିବେ ନାହିଁ । ତୃତୀୟ ମ୍ୟାଚ୍ ରାଜକୋଟ ଏବଂ ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଖେଳାଯିବ ।
କଣ ଅନୁଷ୍କାଙ୍କ ପାଇଁ ?
ଏମିତିକି ମାର୍ଚ୍ଚ ୬ ତାରିଖରୁ ଧର୍ମଶାଳରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରେ ମଧ୍ୟ କୋହଲିଙ୍କୁ ଦେଖିବାକୁ ମିଳିବ କି ନାହିଁ ତାହା ସନ୍ଦେହ ଭିତରେ । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଏବେ ଖେଳୁ ନାହାନ୍ତି । ଯାହା ସୂଚନା ମିଳୁଛି କି ସେଲିବ୍ରେଟି ଦମ୍ପତି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପିତାମାତା ହେବାକୁ ଯାଉଛନ୍ତି । ପ୍ରଥମ ସନ୍ତାନ ଭଳି ଦ୍ୱିତୀୟ ସନ୍ତାନ ଜନ୍ମ ସମୟରେ ମଧ୍ୟ ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କ ସହିତ ରହିବାକୁ ଚାହୁଁଛନ୍ତି । ଅବଶ୍ୟ ଏ ନେଇ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ତେବେ ଦ୍ୱିତୀୟ ସନ୍ତାନ ଜନ୍ମ ସମୟ ପାଖେଇ ଆସୁଥିବାରୁ ବିରାଟ ଦଳକୁ ଫେରିବା ସମୟ ଘୁଞ୍ଚାଇ ଚାଲିଛନ୍ତି ବୋଲି ଏକ ଚର୍ଚ୍ଚା ଚାଲିଛି ।
ସିରାଜ ଫେରିବେ
ତେବେ ଯୁବ ପେସ୍ ବୋଲର ମହମ୍ମଦ ସିରାଜ ତୃତୀୟ ଟେଷ୍ଟରେ ଖେଳିବେ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଛି । ହେଲେ ଆହତ ଥିବା କେଏଲ୍ ରାହୁଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ । ସେମାନେ ନେସନାଲ କ୍ରିକେଟ୍ ଏକାଡେମୀରେ ଅଛନ୍ତି । ସେମାନଙ୍କ ଉପରେ ନଜର ରଖା ଯାଇଛି । ଆସନ୍ତ ୧୫ ତାରିଖରୁ ତୃତୀୟ ଟେଷ୍ଟ ରାଜକୋଟରେ ଆରମ୍ଭ ହେବ ।