କୋହଲିଙ୍କ ଦମ୍‌ ବନାମ ରୁଟ୍‌ଙ୍କ ରେକର୍ଡ଼

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ

ଉଭୟ ଦଳକୁ କିଛି ପ୍ରମାଣିତ କରିବାର ଅଛି ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ । ନିକଟ ଅତୀତରେ ଘରୋଇ ଦଳ ନିଜ ମାଟିରେ ଭଲ ଖେଳି ନାହିଁ । ସେପଟେ ଭାରତ ଗତ ଦୁଇଟି ସିରିଜ୍‌ ଇଂଲଣ୍ଡ ମାଟିରେ ଶୋଚନୀୟ ଭାବେ ହାରି ସାରିଛି । ତେଣୁ କୋହଲି ବନାମ ରୁଟ୍‌ ମୁକାବିଲା ରୋମାଞ୍ଚକର ହେବ । ବର୍ମିଂହମ୍‌ର ଏଜବାଷ୍ଟନରେ ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି । ଭାରତର ଦୁଇ ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର ଓ ବୁମରା ଆହତ ଥିଲେ ମଧ୍ୟ ଦଳ ପାଇଁ ବିଶେଷ ଚିନ୍ତାର କାରଣ ନାହିଁ । କାରଣ ଇଶାନ୍ତ ଶର୍ମା, ଉମେଶ ଯାଦବ ଏସେକ୍ସ ସହ ଅଭ୍ୟାସ ମ୍ୟାଚ୍‌ରେ ଭଲ ବୋଲିଂ କରିଛନ୍ତି । ସାଙ୍ଗକୁ ରହିବେ ମହମ୍ମଦ ସାମି । ଯଦି ବ୍ୟାଟ୍‌ସମ୍ୟାନ୍‌ ଠିକ୍‌ ଭାବେ ସହଯୋଗ କରନ୍ତି ତେବେ ଇଂଲଣ୍ଡକୁ ଘରୋଇ ମାଟିରେ ପାଣି ପିଆଇବ ଟିମ୍‌ ଇଣ୍ଡିଆ । ଭାରତ ବିପକ୍ଷରେ ଦିନିକିଆ ସିରିଜ୍‌ ଜିତି ଇଂଲଣ୍ଡ ଦଳ ଆତ୍ମବିଶ୍ୱାସ ବଢ଼ାଇଛି । ଦଳ ମଧ୍ୟରେ ବାଲାନ୍ସ ମଧ୍ୟ ଭଲ । ତେବେ ଟିମ୍‌ ଚୟନ ନେଇ ସାମାନ୍ୟ ସମସ୍ୟାରେ ପଡ଼ି ପାରନ୍ତି ଅଧିନାୟକ ରୁଟ୍‌ । ସେହିପରି ଭାରତ ଲାଗି ଏବେ ମୁଣ୍ଡ ବିନ୍ଧା ହାଇଛନ୍ତି ଓପ୍ନର ଶିଖର ଧବନ୍‌ ଏବଂ ଚେତେଶ୍ୱର ପୂଜାରା । ଏ ଦୁହେଁ ଫର୍ମରେ ନାହାନ୍ତି । ତେବେ ଖୁସିର କଥା ହେଉଛି, ଅଭ୍ୟାସ ମ୍ୟାଚ୍‌ରେ ଆହତ ହୋଇଥିବା ଷ୍ଟ୍ରାଇକ୍‌ ବୋଲର ରବିଚନ୍ଦ୍ର ଅଶ୍ୱିନ୍‌ ପ୍ରଥମ ଟେଷ୍ଟରେ ଖେଳିବେ ।

ପାଗ ଭଲ ରହିବ : ଇଂଲଣ୍ଡରେ ପାଗ କେତେବେଳ କଣ ରହେ କହିବା ମୁସ୍କିଲ । ତେବେ ପାଣିପାଗ ବିଭାଗର ଅନୁମାନ ପ୍ରଥମ ଟେଷ୍ଟରେ ସେଭଳି କିଛି ସମସ୍ୟା କରିବନି ପାଣିପାଗ ।

ରେକର୍ଡ ଭାରତ ବିପକ୍ଷରେ : ଇଂଲଣ୍ଡ ମାଟିରେ ଭାରତର ଟେଷ୍ଟ ରେକର୍ଡ଼ ଆଦୌ ଭଲ ନୁହେଁ । ଉଭୟ ଦଳ ଇଂଲଣ୍ଡ ମାଟିରେ ପରସ୍ପରକୁ ୫୭ ଥର ଟେଷ୍ଟ ମ୍ୟାଚ୍‌ରେ ଭେଟିଛନ୍ତି । ସେଥିରୁ ୨୭ଟିରେ ଇଂଲଣ୍ଡ ଜିତିଥିବା ବେଳେ ମାତ୍ର ଭାରତ ୬ଟିରେ ବିଜୟ ହାସଲ କରିଛି । ୨୧ଟି ଟେଷ୍ଟ ଡ୍ର ରହିଛି । ମୋଟ୍‌ରେ ଦୁଇ ଦଳ ଖେଳିଛନ୍ତି ୧୧୭ଟି ଟେଷ୍ଟ । ଏଥିରୁ ଭାରତ ଜିତିଛି ୨୫ଟି ଓ ୪୩ଟିରେ ବିଜୟ ଲାଭ କରିଛି ଇଂଲଣ୍ଡ । ୪୯ଟି ମ୍ୟାଚ୍‌ ବିନା ଫଇସଲାରେ ଶେଷ ହୋଇଛି । କିନ୍ତୁ ପୂର୍ବ ଅପେକ୍ଷା ଏଥର ବିରାଟ ବାହିନୀ ଅଧିକ ପ୍ରସ୍ତୁତ ଥିଲା ଭଳି ଲାଗୁଛି । ବିରାଟଙ୍କ ଉତ୍ସାହ ଓ କୋଚ୍‌ ରବି ଶାସ୍ତ୍ରୀଙ୍କ ଅଭିଜ୍ଞତା ଦଳ ପାଇଁ ଭଲ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.