ପେଟପାଟଣା ପାଇଁ ଯାଇଥିଲେ, ଶବ ହୋଇ ଫେରିଲେ ଗୋଟିଏ ଗାଁର ୬ ଜଣ

ଟିପ୍ପର ଓଲଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଗାଁ ଶ୍ମଶାନରେ ପହଞ୍ଚିଛି ୬ଟି ଶବ କାନ୍ଦ ବୋବାଳିରେ ଫାଟି ଫଡ଼ୁଛି ଗାଁ ଶ୍ମଶାନ ।

ନବରଙ୍ଗପୁର : କାନ୍ଦ ବୋବାଳିରେ ଫାଟି ଫଡ଼ୁଛି ଗାଁ ଶ୍ମଶାନ । ଜଣେ ନୁହେଁ ପରିବାରକୁ ଉଚ୍ଛନ୍ନ କରି ୬ ଜଣ ଚାଲି ଯାଇଛନ୍ତି ଆରପାରିକୁ । ସେଇମାନଙ୍କ ଶବ ଥୁଆ ହୋଇଛି ଶ୍ମଶାନରେ। ଶବକୁ ଘେରି ରହିଛନ୍ତି ପରିବାର ଆତ୍ମୀୟସ୍ୱଜନ । ଯେଉଁ ଦୃଶ୍ୟ ଦେଖି ଆପଣ ବି ପାଇଁ ସ୍ତବ୍ଧ ହୋଇ ରହିଯିବେ । ଆଉ ଆଖିରୁ ଝରି ପଡ଼ିବ ଧାର ଧାର ଲୁହ । ସତରେ ଏ କି ପ୍ରକାର ବିଧିର ବିଧାନ ? ନିଜ ବାପାଙ୍କୁ ହରେଇ ପୁଅ ଝିଅ ବାପା ବାପା ଡାକ ଦେଇ ଚତୁର୍ଦିଗ ଥରେଇ ଦେଉଥିବା ବେଳେ, ନିଜ ସ୍ୱାମୀର ଶବ ଦେଖି କାନ୍ଦି କାନ୍ଦି ମାଟିରେ ଗଡି ଯାଉଛି ସ୍ତ୍ରୀ, ଏପଟେ ବୁଢା ବାପା ତା ରୋଜଗାରିଆ ପୁଅ ତା ବୃଦ୍ଧକାଳର ସାହାରାକୁ ହରାଇ କାନ୍ଦି କାନ୍ଦି ପଥର ପାଲଟି ଗଲାଣି । ସତରେ କି ହୃଦୟ ବିଦାରକ ଦୃଶ୍ୟ ? ଏଦୃଶ୍ୟ ଦେଖିବା ପରେ ଆମ ଛାତି ମଧ୍ୟ ଥରି ଉଠୁଛି ।

ପେଟ ଚାଖଣ୍ଡକ ପାଇଁ ସମସ୍ତେ ଏକାଠି ଯାଇଥିଲେ ମୂଲ ଲାଗିବାକୁ । ହେଲେ ନିୟତିର ନିଷ୍ପତ୍ତି ଦାଉ ସାଧିଲା । ଗଲା ବେଳେ ମିଶିକି ଯାଇଥିଲେ ଏବେ ଦୁର୍ଘଟଣାରେ ମୃତ୍ୟ ଘଟିବା ପରେ ମୃତ୍ୟୁ ବି ଏକାଠି ହେଲା । ଏବେ ଶ୍ମଶାନରେ ଶବ ସତ୍କାର ହୋଇଛି ଏକାଠି ।ଗୋଟିଏ କି ଦୁଇଟି ନୁହେଁ ଗାଁରେ ପହଞ୍ଚିଛି ୬ଟି ଶବ । ଯାହାକୁ ଦେଖିବା ପରେ ପୂରା ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ୁଛି । କାହାରି ଆଖିରୁ ଲୁହ ଶୁଖୁନି । କେହି କିଛି ବୁଝିବା ସ୍ଥିତିରେ ନାହାଁନ୍ତି । ଲାଗୁଛି ସତେ ଯେମିତି ସମସ୍ତେ ଜିଅନ୍ତା ଶବ ପାଲଟି ଗଲେଣି । ଛାତିର କୋହ ଆଖିର ଲୁହ ବୋଲ ମାନୁନି ।

ମାଲକାନଗିରି ଜିଲ୍ଲା ଚିତ୍ରୋକଣ୍ଡା ବ୍ଳକ ହନ୍ତାଳଗୁଡା ଘାଟି ଠାରେ ଦୁର୍ଘଟଣା ଘଟିଲା । ଏକ ସିମେଣ୍ଟ ବୋଝେଇ ଟିପ୍ପର ଘାଟିରେ ଓଲଟି ପଡିଲା । ଏଥିରେ ଥିବା ନବରଙ୍ଗପୁର ଜିଲ୍ଲା କୋଷାଗୁମାଡା ବ୍ଳକ ମୋତି ଗାଁର ୬ ଜଣ ପ୍ରାଣ ହରାଇଲେ । ମୃତକ ମାନେ ହେଉଛନ୍ତି ୩୨ ବର୍ଷର ସୁନାଧର ଭତରା, ପୂର୍ଣ୍ଣ ଭତରା, ଜିବର୍ଧନ ଭତରା, ଫୁଲସିଂ ଭତରା, ୨୮ ବର୍ଷ ବୟସ୍କ ସୁନାଧର ଭତରା ଏବଂ ଦୁର୍ଯ୍ୟୋଧନ ଭତରା । ଏ ଖବର ଜଣାପଡ଼ିବା ପରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ସାରା ଗାଁ ଡୁବି ଯାଇଛି ଶୋକରେ । ସେମାନଙ୍କର ଏପରି ଅଚାନକ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ ।

ଶବ ବ୍ୟବଚ୍ଛେଦ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୬ଟି ମୃତଦେହ ଆସି ପହଂଚିଛି । ଯାହାପରେ ଦେଖିବାକୁ ମିଳିଥିଲା ଆତ୍ମୀୟ ସ୍ୱଜନଙ୍କ ବୁକୁଫଟା ଚିତ୍କାର। କିଏ ଫେରାଇ ଆଣିବ ଏମାନଙ୍କୁ ? କିଏ ହେବ ପରିବାରର ସାହା ଭରସା ?
ଏପଟେ ଶୋକ ସନ୍ତପ ପରିବାରକୁ ଭେଟି ସାନ୍ତ୍ୱନା ଦେଇଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ରୋଜଗାରିଆ ପୁଅକୁ ହରେଇଥିବା ପରିବାର ପାଇଁ ଆଗକୁ ସରକାରୀ ସହାୟତା ଦିଆଯିବ ବୋଲି ପ୍ରବିଧାୟକ ପ୍ରତିଶ୍ରୁତି ଦେଇ ଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.