କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିବ ୧୩ବର୍ଷ

ଯାଜପୁର : କଳିଙ୍ଗନଗର ଗୁଳିକାଣ୍ଡକୁ ଆସନ୍ତାକାଲି ୧୩ ବର୍ଷ ପୂରିବାକୁ ଯାଉଛି। ଏହି ଅବସରରେ ପ୍ରତିବର୍ଷ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଆୟୋଜିତ ହେଉଛି ସ୍ମୃତି ସମାବେଶ। ଚଳିତ ବର୍ଷ ମଧ୍ୟ ଏହାର ଆୟୋଜନ ପାଇଁ ଜନମଂଚ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲିଠାରୁ ସମାଧିସ୍ଥଳ ବୀରଭୂମି ଯାଏ ରାଲି ବାହାରିବ । ସେଠାରେ ସାଧାରଣ ସଭା କାର୍ୟ୍ୟକ୍ରମ ରହିଛି। ସହିଦ ସମାବେଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୦୦୬ ଜାନୁଆରୀ ୨ ତାରିଖ ଦିନ ଟାଟା କଂପାନୀ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଥିବା ଆଦିବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିକାଣ୍ଡରେ ୧୪ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ୧୩ ବର୍ଷ ବିତିଲାଣି। ସେଠାରେ ଟାଟା କାରଖାନା ଉତ୍ପାଦନକ୍ଷମ ହୋଇ ଦ୍ୱିତୀୟ ପର୍ୟ୍ୟାୟ ସମ୍ପ୍ରସାରଣ କାମ ଚାଲିଛି। କିନ୍ତୁ ଆଦିବାସୀଙ୍କ ମନର କ୍ଷୋଭ ଦୂର ହୋଇ ନାହିଁ ।