୬୦୦ବର୍ଷ ଧରି ପାଳିତ ହେଉଛି କନିକା ରାଜମେଲଣ, ଶ୍ରଦ୍ଧାଳୁଙ୍କର ଜମୁଛି ଭିଡ଼
ଗାଁ ଠୁ ସହର ଏବେ ସବୁଠି ଜମୁଛି ଦୋଳଉତ୍ସବ। କେଉଁଠି ପୁରୁଣା ପରମ୍ପରାକୁ ନେଇ ପାଳିତ ହେଉଛି ମେଳଣ ତ ଆଉ କେଉଁଠି କଥାବସ୍ତୁକୁ ନେଇ ଶହଶହ ବର୍ଷ ହେବ ଲୋକେ ଦୋଳଉତ୍ସବକୁ ବେଶ ଧୁମଧାମର ସହ ପାଳନ କରୁଛନ୍ତି।
କେନ୍ଦ୍ରାପଡା: ଗାଁ ଠୁ ସହର ଏବେ ସବୁଠି ଜମୁଛି ଦୋଳଉତ୍ସବ । କେଉଁଠି ପୁରୁଣା ପରମ୍ପରାକୁ ନେଇ ପାଳିତ ହେଉଛି ମେଳଣ ତ ଆଉ କେଉଁଠି କଥାବସ୍ତୁକୁ ନେଇ ଶହଶହ ବର୍ଷ ହେବ ଲୋକେ ଦୋଳଉତ୍ସବକୁ ବେଶ ଧୁମଧାମର ସହ ପାଳନ କରୁଛନ୍ତି। ଯେମିତି କେନ୍ଦ୍ରାପଡା ଜିଲ୍ଲା କନିକାର ରାଜମେଲଣ । ଦୀର୍ଘ ୬୦୦ବର୍ଷର ପରମ୍ପରାକୁ ନେଇ ଆଜିବି ପାଳିତ ହେଉଛି କନିକା ରାଜମେଲଣ । ଉଠୁଛି ପଡୁଛି ଗାଁ ଦାଣ୍ତ । ପାରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ନାଚୁଛନ୍ତି ଶ୍ରଦ୍ଧାଳୁ । କେଉଁଠି ଯୁବକ ମାନେ ବନାଟି ଖେଳରେ ମାତିଛନ୍ତି। ତ ଆଉ କେଉଁଠି ଭଜନ କୀର୍ତ୍ତନରେ କମ୍ପି ଉଠୁଛି ସାରା ପରିବେଶ। ଆଉ ଏହାରି ଭିତରେ ପ୍ରଭୁ ରାଧାକୃଷ୍ଣଙ୍କ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବୁଲୁଛନ୍ତି। ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର କନିକା ରାଜମେଲଣର ଦୃଶ୍ୟ।
୫ଦିନ ଧରି ଚାଲିଥିବା ଏହି ମେଲଣ ଉତ୍ସବରେ ୫୦ଉର୍ଦ୍ଧ୍ବ ରାଧାକୃଷ୍ଣଙ୍କ ବିଭାନକୁ କାନ୍ଧୁଆ ମାନେ ମେଲଣ ସ୍ଥଳକୁ ଆଣିଥାନ୍ତି। ସେଠାରେ ଠାକୁରଙ୍କ ନିକଟରେ ଭୋଗଲାଗି କରାଯାଇଥାଏ। କଥାବସ୍ତୁ ଅନୁଯାୟୀ, ତତ୍କାଳୀନ କନିକା ରାଣୀ ପାଟ ମହାଦେଇ ରାଧାନାଥ କୃଷ୍ଣଙ୍କର ବଡ଼ଭକ୍ତ ଥିଲେ। ବିବାହ ପରେ ଏକ ଶଗଡ଼ ଗାଡ଼ିରେ ବହୁ ଆଧ୍ୟାତ୍ମିକ ପୁସ୍ତକ ଆଣିଥିଲେ । ତାଙ୍କର ସେହି ମାନସିକତାକୁ ସାଧାରଣରେ ପତିପାଦିତ କରିବା ପାଇଁ ମଠ ମନ୍ଦିର ନିର୍ମାଣ କରିବା ସହ ଶ୍ରୀ ଜୀଉଙ୍କୁ ପ୍ରତିଷ୍ଠା କରିଥିଲେ। ଆଉ ସେହିଦିନ ଠାରୁ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି କନିକା ରାଜମେଲଣ ଅନୁଷ୍ଠିତ ହୋଇ ଆସୁଛି ବୋଲି ଲୋକେ କୁହନ୍ତି। ଏହି ରାଜମେଲଣକୁ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜମୁଛି।
ପାଞ୍ଚଦିନ ଧରି ଚାଲିଥିବା ଏହି ମେଳଣର ପ୍ରଥମ ଦିନରେ କାଳିକାପୁର, ଦ୍ଵିତୀୟ ଦିନରେ ଆୟତନ, ତୃତୀୟ ଦିନରେ ଦେଉଳି, ଚତୁର୍ଥ ଦିନରେ ଗିରିୟା ଓ ଶେଷରେ ରାଜମେଲଣ ଅନୁଷ୍ଠିତ ହୋଇଥାଏ। କନିକା ରାଜବାଟି ପରିସରେ ଅନୁଷ୍ଠିତ ଶେଷ ମେଲଣ ଉତ୍ସବ ପାଳିତ ହୋଇଥାଏ। ବିଭିନ୍ନ ଗାଁରୁ ୫୦ରୁ ଅଧିକ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସୁସର୍ଜ୍ଜିତ ବିମାନରେ ଧାଡ଼ି ଧାଡ଼ି ହୋଇ ମେଲଣ ପଡ଼ିଆକୁ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।
ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଲଣ ପଡ଼ିଆ । ଭଜନ ଗାଇ ଗାଇ ରାଧାକୃଷ୍ଣଙ୍କ ଭକ୍ତି ନିବେଦନ କରଥିଲେ ଲୋକେ। ଏହି ଉତ୍ସବରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ହଜାର ହଜାର ଲୋକମାନଙ୍କ ସହିତ ରଙ୍ଗ ଅବିରରେ ହୋଲି ଖେଳି ଶୁଭେଚ୍ଛା ଜଣାଇଛନ୍ତି । ରାଜାରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଛନ୍ତି । ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ମେଲଣ ପଡ଼ିଆରେ ଏକାଠି ହୋଇ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି ।