ମାତୃ ଦିବସରେ ସବୁଦିନ ପାଇଁ ମା’କୁ ହରାଇଲା ଝିଅ, ସମ୍ପନ୍ନ କଲା ଶେଷକୃତ୍ୟ

ଜୟପୁର: ମାତୃ ଦିବସ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ଦିନ । ସେହି ଦିନ ପ୍ରତ୍ୟେକଟି ପିଲା ନିଜ ମା ପାଇଁ କିଛି ନା କିଛି କରିବାକୁ ଚାହିଁଥାଏ । କାହିଁନା ମା ତା ଜୀବନରେ ସବୁ କିଛି ତା ଛୁଆ ପାଇଁ ଉତ୍ସର୍ଗ କରିଦେଇଥାଏ । ଏମିତି କହିଲେ ମା ଆଉ ଛୁଆର ସ୍ନେହ ତ ସାରା ଜୀବନ ପାଇଁ । ହେଲେ ଏହି ଦିନଟି ଯେହେତୁ କେବଳ ମା ମାନଙ୍କ ପାଇଁ , ତେଣୁ ସବୁ ଛୁଆମାନେ ନିଜ ମା ପାଇଁ ଏହି ଦିନଟିକୁ ସ୍ବତନ୍ତ୍ର କରିବାକୁ ମନ ବଳାଇଥାନ୍ତି ।

ହେଲେ ଏହି ମାତୃ ଦିବସରେ ଏମିତି ଏକ ଘଟଣା ଘଟି ଯାଇଛି ଯାହା ଆଖିର ଲୁହକୁ ଅଟକାଇ ପାରିବନି। ଛାତି ଫାଟି ପଡିବ ଏଇ ଦୁଃଖର କାହାଣୀ ଶୁଣିବା ପରେ । ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ। ଗୋଟିଏ ଝିଅ ତା ମାକୁ ମୁଖାଗ୍ନି ଦେଇଛି। ମାତୃ ଦିବସରେ ନିଜ ମା’କୁ ସବୁଦିନ ପାଇଁ ହରାଇଛି ଝିଅଟି । ସତରେ କେତେ ଦୁଃଖଦାୟକ ଘଟଣା ।

ଜୟପୁର ଉପ-କାରାଗାରରେ ଜଣେ ମହିଳା ଆତ୍ମହତ୍ୟା କରିଥିଲେ। ଶବ ସତ୍କାର କରିବା ପାଇଁ ସମ୍ପର୍କୀୟ କିଏ ନଥିବାରୁ ତା’ଙ୍କ ନାବାଳିକା ଝିଅ ହିନ୍ଦୁ ଧର୍ମର ତଥା ବ୍ରାହ୍ମଣ କୁଳର ରିତୀନୀତି ଅନୁଯାଇ ମାତୃ ଦିବସରେ ମା’ଙ୍କୁ ମୁଖାଗ୍ନି ଦେଲା । ଏହି ଅସହାୟ ଝିଅ ମା’ର ଶବ ସତ୍କାର କରି ମାତୃ ଦିବସର ଇତିହାସରେ ନୂତନ ଏକ ଫର୍ଦ୍ଦ ଯୋଡି ଦେଇଛି କହିଲେ ଭୁଲ ହେବ ନାହିଁ । ଏହି ତାଲାବନ୍ଦର କଠିନ ସମୟରେ ମଧ୍ୟ କୋରାପୁଟ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନୀପତି, କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜେଶ୍ରୀ ଦାସ ଓ ଅନ୍ୟ ସ୍ବେଚ୍ଛାସେବୀ ସାମାଜିକ ଦୂରତା ରଖି ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.