ଗାଁରେ ବୁଲୁଛି ବାଘ, ଗୋଠରୁ ଟାଣିନେଲା ୩ ଟି ଗାଈ

ବନବିଭାଗ ପକ୍ଷରୁ ଏନେଇ ଯଦିଓ ସ୍ପଷ୍ଟ କରାଯାଇନାହିଁ ତଥାପି ବନ କର୍ମଚାରୀଙ୍କ ଘନଘନ ପଇଁତରା ଏବଂ ପାରିପାର୍ଶ୍ବିକ ସଂକେତକୁ ଦେଖି ଲୋକେ ନିଶ୍ଚିତ ଯେ ଗାଁ ପାଖରେ ବାଘ ବୁଲୁଛି । ଗଞ୍ଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଦୁଲି ଗାଁ ନିକଟରେ ଗତ କିଛି ଦିନ ହେବ ଏଭଳି ଭୟ ଓ ଆଶଙ୍କା ପରିସ୍ଥିତି ଦେଖିବାକୁ ମିଳିଛି ।

ଭଂଜନଗର (କେନ୍ୟୁଜ୍‌) : ଗାଁ ଲୋକଙ୍କୁ ଘାରିଛି ବାଘ ଭୟ । ସନ୍ଧ୍ୟା ହେଲେ ଘର ତାଟି କବାଟ ପଡ଼ି ଯାଉଛି । କାହିଁକି ନା ଗାଁରେ ବୁଲୁଛି ବାଘ । ଭୟଭୀତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ଦିନ ବେଳେ ତ କୌଣସି ପ୍ରକାରେ ବଞ୍ଚି ଯାଉଛନ୍ତି କିନ୍ତୁ ରାତି ହେଲେ ଲୋକଙ୍କୁ ଘାରୁଛି ବାଘ ଭୟ । ଜଙ୍ଗଲ ଭିତରୁ କ୍ଷତବିକ୍ଷତ ଅବସ୍ଥାରେ ୩ ଟି ଗାଈଙ୍କ ମୃତଦେହ ଉଦ୍ଧାର ହେବାପରେ ଗାଁ ଲୋକେ ଏବେ ଭୟଭୀତ ହୋଇ ପଡିଛନ୍ତି । ବନବିଭାଗ ପକ୍ଷରୁ ଏନେଇ ଯଦିଓ ସ୍ପଷ୍ଟ କରାଯାଇନାହିଁ ତଥାପି ବନ କର୍ମଚାରୀଙ୍କ ଘନଘନ ପଇଁତରା ଏବଂ ପାରିପାର୍ଶ୍ବିକ ସଂକେତକୁ ଦେଖି ଲୋକେ ନିଶ୍ଚିତ ଯେ ଗାଁ ପାଖରେ ବାଘ ବୁଲୁଛି । ଗଞ୍ଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଦୁଲି ଗାଁ ନିକଟରେ ଗତ କିଛି ଦିନ ହେବ ଏଭଳି ଭୟ ଓ ଆଶଙ୍କା ପରିସ୍ଥିତି ଦେଖିବାକୁ ମିଳିଛି ।

ଗାଈ-ଗୋଠରୁ ଟାଣିନେଇ ଗୋଟି ଗୋଟି କରି ୩ ଟି ଗାଈକୁ ମାରି ଖାଇଛି ବାଘ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବୁଦୁଲି ଗାଁର ଲୋକେ ଏଭଳି ଅଭିଯୋଗ କରିଛନ୍ତି । ଗାଁ ରାସ୍ତାରେ ପଡ଼ିଥିବା ପାଦଚିହ୍ନ, ମୃତ ଗାଈର କ୍ଷତଚିହ୍ନ ଏବଂ ଘଟଣା ପରେ ବନବିଭାଗ ପକ୍ଷରୁ ଜଙ୍ଗଲରେ ଲଗା ଯାଇଥିବା “ଟ୍ରାପ୍ କ୍ୟାମେରା” ଏବଂ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିବା ପରେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ବାଘ ହିଁ ଗାଈଗୁଡ଼ିକୁ ମାରି ଖାଇଛି ।

ବୁଦୁଲି ଗାଁର ଗାଈ ଜଗୁଆଳ ସନ୍ତୋଷ ଗୌଡ଼ ଗାଁ ପାଖ ଜଙ୍ଗଲ ନିକଟରେ ନିଜର ଗାଈଗୋଠ ବସାଇଥିବା ବେଳେ କିଛି ଦିନ ପୂର୍ବରୁ ତାଙ୍କର ୩ ଟି ଗାଈ କୁ ବାଘ ଟାଣି ନେଇ ଜଙ୍ଗଲକୁ ପଳାଇଥିଲା । ଦୁଇଦିନ ପରେ ଗାଈଙ୍କ ମୃତଦେହ ଜଙ୍ଗଲରୁ ଠାବ ହୋଇଥିଲା । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ “ଟ୍ରାପ୍ କ୍ୟାମେରା” ଲଗାଇଛି । ପାଦଚିହ୍ନ ସଂଗ୍ରହ କରିବା ସହ ମୃତ ଗାଈଙ୍କ ବ୍ୟବଛେଦ ମଧ୍ୟ କରାଯାଇଛି । ତେବେ ବାଘ ବୁଲୁଥିବା ନେଇ ବନବିଭାଗ କୌଣସି ସୂଚନା ଦେଉନଥିବା ବେଳେ ସ୍ଥାନୀୟ ଲୋକେ ବାଘର ଉପସ୍ଥିତି ନେଇ ଦାବି କରୁଛନ୍ତି । ସନ୍ଧ୍ୟା ହେଲେ ଲୋକମାନେ ଘରୁ ବାହାରକୁ ବାହାରିବା ପାଇଁ ନିରାପଦ ମଣୁନାହାଁନ୍ତି ।

ଗତ କିଛିମାସ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ସ୍ପଷ୍ଟ ହୋଇଥିଲା । ବୁଦୁଲି ଗାଁ ନିକଟ ଫୁଲବାଣୀ-ଭଂଜନଗର ମୁଖ୍ୟ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘ ଛୁଆର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଲୋକଙ୍କ ସନ୍ଦେହ ବଢ଼ିଥିଲା ଯେ ସ୍ଥାନୀୟ ଜଙ୍ଗଲରେ ବାଘ ବୁଲୁଛି । ଗତ କିଛିମାସ ପୂର୍ବରୁ ଉତ୍ତର ଘୁମୁସର ବନଖଣ୍ଡରେ ବାଘ ଗଣନା ସରିଛି । ବାଘଙ୍କ ଉପସ୍ଥିତି ବିଷୟରେ ବନବିଭାଗ ପକ୍ଷରୁ ସାଧାରଣରେ କୌଣସି ସୂଚନା ଦିଆଯାଇନାହିଁ । ଏବେ ପ୍ରଶ୍ନ ଉଠୁଛି ସମସ୍ତଙ୍କ ସୁରକ୍ଷା ପାଇଁ ବନବିଭାଗ ଏବେଠାରୁ ଲୋକଙ୍କୁ ସତର୍କ କରାଇବା ଜରୁରୀ । ନଚେତ ଏ ବାଘ ଗାଈଙ୍କୁ ଆକ୍ରମଣ କରିବା ସହ ମଣିଷଙ୍କୁ ଆକ୍ରମଣ କରିବାକୁ ବି ପଛାଇବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.