ନିଆରା ପରମ୍ପରା ହେଉଛି ହରିହର ଭେଟ, ଦୋଳ ଯାତକୁ ଉପଭୋଗ କଲେ ହଜାର ହଜାର ଭକ୍ତ

ଏହି ମେଳଣକୁ ନିକଟସ୍ଥ ଗାଁର ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ଓ ସୋହଣା ଗ୍ରାମର ତ୍ରିଲୋଚନେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଚତୁର୍ଦ୍ଦଶୀ ତିଥି ସଂଧ୍ୟାରେ ସୁସଜ୍ଜିତ ବିମାନରେ ଉପବେଶନ କରି ପିଣ୍ଡୋଳ ଗ୍ରାମରେ ପହଞ୍ଚିଥିଲେ ।

ପୁରୀ (କେନ୍ୟୁଜ୍‌) : ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳି ପଞ୍ଚାୟତ ପିଣ୍ଡଳ ଗାଁର ମା ବାଗେଶ୍ୱରୀଙ୍କ ପୀଠରେ ପାଳିତ ହୋଇଛି ଦୋଳ ଯାତ୍ରା । ଏନେଇ ରବିବାର ସନ୍ଧ୍ୟାରେ ଆଖପାଖ ୯ଟି ଗାଁର ଦୋଳ ମଧ୍ୟରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମେଳଣକୁ ନିକଟସ୍ଥ ଗାଁର ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ଓ ସୋହଣା ଗ୍ରାମର ତ୍ରିଲୋଚନେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଚତୁର୍ଦ୍ଦଶୀ ତିଥି ସଂଧ୍ୟାରେ ସୁସଜ୍ଜିତ ବିମାନରେ ଉପବେଶନ କରି ପିଣ୍ଡୋଳ ଗ୍ରାମରେ ପହଞ୍ଚିଥିଲେ । ପ୍ରଥମେ ବାଉଲାଙ୍ଗ ଗ୍ରାମର ରାଧା ମାଧବ ଓ ସୋହଣା ଗ୍ରାମର ତ୍ରିଲୋଚନେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଠାରେ ପହଞ୍ଚି ହରିହର ଭେଟ ହୋଇଥିଲା ।

ପରେ ଅନ୍ୟ ୭ଟି ଦୋଳ ଏହି ମେଳଣ ଉତ୍ସବରେ ପହଞ୍ଚିଥିଲେ । ପ୍ରଥମେ ଗ୍ରାମବାସୀ ତରଫରୁ ଠାକୁର ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ଠାକୁରଙ୍କ ବିମାନ ଦୋଳ ବେଦୀରେ ବସିବା ପରେ ଅନ୍ୟ ଠାକୁରମାନେ ବସିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଠାକୁରମାନଙ୍କ ନିକଟରେ ଉଖୁଡା, କୋରାଖଇ, ଚଣା, ସାକର, ଗଞ୍ଜେଇ ଲଡ଼ୁ, ବିଭିନ୍ନ ପ୍ରକାର ଫଳ ମୂଳ ଓ ଭାଙ୍ଗ ପଣା ଭୋଗ ଲାଗି କରାଯାଇଥିଲା । ଏହା ପରେ ୯ଟି ଦୋଳ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥିଲା । ଏହି ଦୋଳ ମେଳଣ କାହିଁ କେଉଁ କାଳରୁ ଏକ ଭାଇଚାରାର ଭାବ ସୃଷ୍ଟି କରିଥିବା ଉକ୍ତ ଗ୍ରାମର ପଣ୍ଡିତ ନୃସିଂହ ଚରଣ ମହାପାତ୍ର ଓ ଗ୍ରାମବାସୀ କହିଛନ୍ତି ।

ମେଳଣ ପରେ ଠାକୁରମାନେ ନିଜ ନିଜ ଗାଁ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଦୋଳ ମେଳଣ ପାଇଁ ପୀଠରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଳା ବସିଥିଲା । ହଜାର ହଜାର ଲୋକ ଏହି ମେଳଣରେ ଯୋଗଦେଇ ଉତ୍ସବକୁ ଉପଭୋଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.