ମହାଶିବରାତ୍ରୀ ପାଇଁ ସଜେଇ ହେଲାଣି ଆରଡ଼ି ପୀଠ, କିନ୍ତୁ ଏବେ ବି ପୀଠରେ ମୁଣ୍ଡ ଟେକିଛି ଅନେକ ସମସ୍ୟା
ମହାଶିବରାତ୍ରୀ ପାଖେଇ ଆସୁଥୁବାରୁ ଏବେ ଠୁ ଚଳଚଞ୍ଚଳ ହୋଇପଡିଲାଣି ଓଡିଶାର ସର୍ବ ପୁରାତନ ଶୈବପୀଠ ଭଦ୍ରକ ଜିଲ୍ଲା ଆରଡିରେ ଥିବା ବାବା ଆଖଣ୍ଡଳମଣୀଙ୍କ ପୀଠ । ତେଣୁ ଜାଗର ଯାତ୍ରାକୁ ଶାନ୍ତି ଶୃଖଳାର ସହ ପାଳନ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ପାଇଁ ମନ୍ଦିର ପ୍ରଶାସନ ଲାଗି ପଡିଛି ।
![](https://knewsodisha.com/wp-content/uploads/2024/03/aradi-pitha.jpg)
ଚାନ୍ଦବାଲି (କେନ୍ୟୁଜ୍) : ପାଖେଇ ଆସୁଛି ପ୍ରସିଦ୍ଧ ମହାଶିବରାତ୍ରୀ । ଏବେଠୁ ସଜେଇ ହେଲାଣି ଭଦ୍ରକ ଜିଲ୍ଲା ଆରଡ଼ିରେ ଥିବା ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରୀ ପାଖେଇ ଆସୁଥୁବାରୁ ଏବେ ଠୁ ଚଳଚଞ୍ଚଳ ହୋଇପଡିଲାଣି ଓଡିଶାର ସର୍ବ ପୁରାତନ ଶୈବପୀଠ ଭଦ୍ରକ ଜିଲ୍ଲା ଆରଡିରେ ଥିବା ବାବା ଆଖଣ୍ଡଳମଣୀଙ୍କ ପୀଠ । ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରୀ । ତେଣୁ ଜାଗର ଯାତ୍ରାକୁ ଶାନ୍ତି ଶୃଖଳାର ସହ ପାଳନ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ପାଇଁ ମନ୍ଦିର ପ୍ରଶାସନ ଲାଗି ପଡିଛି । ମନ୍ଦିରର ରଙ୍ଗ କାର୍ଯ୍ୟ ମଧ୍ୟ ସରିଛି । ତେବେ ମହାଶିବରାତ୍ରୀକୁ ମହାଆଡମ୍ୱରରେ ପାଳନ କରିବାକୁ ପ୍ରଶାସନ ସଜବାଜ ହେଉଥିବା ବେଳେ ପୀଠରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଛି । ଯାହାର ସମାଧାନ ହୋଇପାରୁନଥିବାରୁ ପୀଠର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ କରି ପୀଠରେ ପାଣି ସମସ୍ୟା ବଢିଚାଲିଛି । ଶିବଗଙ୍ଗା ପୁଷ୍କରଣୀ ଶୁଖିଲା ପଡିଥିବାରୁ ବୋରିଙ୍ଗ ପାଣିରେ ଚାଲିଛି ବାବା ଆଖଣ୍ଡଳମଣୀଙ୍କ ଦୈନଦୀନ ନିତିକାନ୍ତି । ଯାହାକୁ ନେଇ ସେବାୟତଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।
ପୀଠରେ ଦ୍ଵିତୀୟ ପର୍ଯ୍ୟାୟରେ ଶିବ ପ୍ଲାଜା , ପାର୍କିଂ ପ୍ଲେସ ଓ ଶିବଗଙ୍ଗା ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଛି । ହେଲେ କାମ ଏମିତି ଚାଲିଛି ଯେ ଜାଗର ଯାତ୍ରା ପୂର୍ବରୁ ସରିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ଦିନ ହେଲାଣି ଶିବଗଙ୍ଗା ପୁଷ୍କରଣୀ କାମ ପାଇଁ ପାଣି ଶୁଖାଯାଇଛି । କାମ ସରୁନି କି ପୋଖରୀକୁ ପାଣି ଛଡାଯାଉନି । ତେଣୁ ବାଧ୍ୟ ହୋଇ ବୋରିଂ ପାଣିରେ ବାବାଙ୍କ ନୀତୀକାନ୍ତି ଚାଲିଛି । ଏହା ସହ ମାସେ ହେଲା ଶିବଗଙ୍ଗା ପୁଷ୍କରଣୀକୁ ଲାଗି ଥିବା ଡ୍ରେନ ଓ ସୁରକ୍ଷା ପାଚେରୀ ଭାଙ୍ଗି ପଡିଛି ତାର ମଧ୍ୟ ମରାମତି କରାଯାଉନାହିଁ । ଯଦି ଶିବଗଙ୍ଗା ପୁଷ୍କରଣୀକୁ ପାଣି ପ୍ରବେଶ ନକରେ ତେବେ ଭକ୍ତ ମାନେ ଜାଗର ଯାତ୍ରାରେ ବହୁ ଅସୁବିଧାର ସମ୍ମୁଖୀନ ହେବ ବୋଲି ପ୍ରକାଶ କରିଛନ୍ତି । ସେହିପରି ଶିବପ୍ଲାଜା କାମ ମଧ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି । ପ୍ରଶାସନିକ ଅଧିକାରୀଙ୍କ ସଠିକ ତଦାରଖ ନହେବା କାରଣରୁ ମନ୍ଥର ଗତିରେ କାମ ଚାଲିଥିବା ଅଭିଯୋଗ ହୋଇଛି । ତାହା ସହ କାମ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନଥବାରୁ ଠିକାଦାର ତାର ମନ ମୁତାବକ କାମ କରୁଛି ବୋଲି ଅଭିଯୋଗ ହୋଇଛି । ସେହିପରି ପୀଠରେ ମୁଖ୍ୟ ଗେଟ କାମ ଦୀର୍ଘ ବର୍ଷ ହେବ ଚାଲିଛି ସେ କାମ ମଧ୍ୟ ସରୁନି । ତେବେ ଜାଗର ଯାତ୍ରା ପାଇଁ ଜିଲ୍ଲାସ୍ତରୀୟ ବୈଠକ ସରିଛି , ଭକ୍ତଙ୍କ ସୁବିଧା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ପ୍ରଶସାନ ତରଫରୁ କରାଯାଉଛି ବୋଲି ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରକାଶ କରିଛନ୍ତି ।
ଆରଡି ପୀଠରେ ଜାଗର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗାମ ହେବ । ତେଣୁ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ୟାର ସମାଧାନ କରିବା ସହ ଶିବଗଙ୍ଗା ପୁଷ୍କରଣୀକୁ ପାଣି ଛଡାଯିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।