ପୋଡ଼ ପିଠା ଖାଇଲେ ମା’ ବୁଢ଼ି ଠାକୁରାଣୀ

ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ି ଠାକୁରାଣୀ ଯାତ୍ରାରେ ମାଉସୀ ଘରକୁ ଯାଇ ପୋଡ଼ ପିଠା ଖାଇଲେ ମା' ବୁଢ଼ି ସାଆନ୍ତାଣି, ଏନେଇ ଖୁସି ହୋଇଛନ୍ତି ନଗର ଲୋକେ

ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ି ସାଆନ୍ତାଣିଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଠାକୁରାଣୀ ଯାତ୍ରାରେ ରହିଛି ଅନେକ ନିଆରା ପରମ୍ପରା । ପ୍ରତି ଥର ଭଳି ଏଥର ମଧ୍ୟ ମାଙ୍କ ର ସବୁ ରୀତିନୀତି ପାଳନ କରାଯାଉଛି । ଏହି ଯେପରି କି ମାଉସୀ ମାଁ ଘରକୁ ଯାଇ ମାଁଙ୍କ ପୋଡ଼ ପିଠା ଖାଇବା ପରମ୍ପରା । ଯାତ୍ରା ସମୟରେ ମାଁ ତିନି ଥର ମାଉସୀ ମାଁଙ୍କ ଘରକୁ ଯାଇଥାନ୍ତି । ଗତ କାଲି ସୋମବାରରେ ମାଉସୀ ମା ‘ ଙ୍କ ଘରକୁ ଯାଇ ପୋଡ଼ ପିଠା ଖାଇଛନ୍ତି ମା’ ବୁଢ଼ୀ ଠାକୁରାଣୀ । ସୋମବାର ସପ୍ତମ ଦିବସରେ ମାଁ ନଗର ପରିକ୍ରମାରେ ଯାଇ ପହଂଚିଥିଲେ ଜଉରା ସାହିରେ ଥିବା ତାଙ୍କ ମାଉସୀ ମାଁ ଘରକୁ ।

ବ୍ରହ୍ମପୁର ସହରରେ ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ି ସାଆନ୍ତାଣିଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ଏହା ବହୁ ପୁରାତନ ପରମ୍ପରା । ଇତିହାସ ଦେଖିଲେ ମହୁରୀଗଡ଼ର ତତ୍କାଳୀନ ରାଜା ହରିହର ନରେନ୍ଦ୍ର ଦେବ ମାଁଙ୍କ ଏହି ଯାତ୍ରା ପରମ୍ପରାକୁ ରାଜମହେନ୍ଦ୍ରିରୁ ଆଣିଥିଲେ । ଆଉ ସେବେ ଠାରୁ ଏଠି ପ୍ରତି ଦୁଇ ବର୍ଷକୁ ଥରେ ମାଁଙ୍କ ଯାତ୍ରା ଅନୁଷ୍ଠିତ ହେଉଛି । ଆଉ ମାଁ ଏହି ଅବସରରେ ସ୍ଥାୟୀ ମନ୍ଦିରରୁ ବାହାରି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ବାପ ଘରକୁ ବିଜେ କରଛନ୍ତି ।

ଜନ୍ମ ବେଦୀରେ ନିଜର ଲିଳା ଖେଳା କରିବା ସହ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଆଉ ନଗର ପରିକ୍ରମାରେ ବୁଲିଥାନ୍ତି । ତେବେ ଜଗନ୍ନାଥ ସଂସ୍କୃତିରେ ମହାପ୍ରଭୂ ଜଗନ୍ନାଥ ନିଜ ମାଉସୀ ମାଁ ଘରକୁ ଯାଇ ପୋଡ଼ ପିଠା ଖାଇବା ପରି ଏଠି ମଧ୍ୟ ମାଁ ଯାତ୍ରା ସମୟରେ ତିନି ଥର ଯାଇଥାନ୍ତି ନିଜର ମାଉସୀ ମାଁ ଘରକୁ ପୋଡ଼ ପିଠା ଖାଇବା ପାଇଁ । ଏଥି ପାଇଁ ମାଉସୀ ଘରର ପରିବାର ଲୋକ ନିଜକୁ ଧନ୍ୟ ମଣନ୍ତି ।

ଯାତ୍ରା ସମୟରେ ମାଁ କାହିଁକି ଜଉରା ସାହିରେ ଥିବା ତାଙ୍କ ମାଉସୀ ମାଁ ଘରକୁ ଯାଆନ୍ତି ସେ ସଂପର୍କରେ ଯଦିଓ କିଛି ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ ତଥାପି ଲୋକକଥା ପ୍ରକାରେ କୁହାଯାଏ , ଯେ ଏକଦା ଯାତ୍ରା ଚାଲିଥିବା ସମୟରେ ଜଣେ ଗୋରା ସାହେବ ଯାତ୍ରାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଯାତ୍ରାକୁ ବନ୍ଦ କରି ଦେବା ପାଇଁ ବାହାରିଥିଲେ । ଏକଥା ଦେଶୀ ବେହେରା ଜାଣିବା ପରେ ଶ୍ରଦ୍ଧାଳୁମାନଙ୍କ ସହାୟତାରେ ଜଉରା ସାହିରେ ଥିବା ନିଜ ସଂପର୍କିୟ ଘରେ ନେଇ ମାଁଙ୍କ ଘଟକୁ ରଖି ଦେଇଥିଲେ । ଆଉ ପରବର୍ତୀ ସମୟରେ ତାହା ଯାତ୍ରା ସମୟରେ ମାଁ ନିଜର ମାଉସୀ ମାଁ ଘରକୁ ଯିବା ଏକ ପରମ୍ପରାରେ ପରଣତ ହୋଇଗଲା ।

ଯାତ୍ରା ଆରମ୍ଭର ସପ୍ତମ, ଚତୁର୍ଦ୍ଦଶ ଓ ଶେଷ ଦିବସରେ ମାଁ ମାଉସୀ ମାଁ ଘରକୁ ଯାଇଥାନ୍ତି । ଏଥି ପାଇଁ ମାଉସୀ ଘରର ପରିବାର ଲୋକ ଏକାଠି ହୋଇ ପୋଡ଼ ପିଠା ସମେତ ଭୋଗ ରାଗ, ଲୁଗା, କଳସୀରେ ହଳଦି ପାଣି ଆଦି ଯୋଗାଡ଼ କରି ମାଁଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲାଗି କରିଥାନ୍ତି । ଯାତ୍ରା ସମୟରେ ମାଁ ଘରକୁ ଆସୁଥିବାରୁ ସେମାନେ ବେଶ୍ ଖୁସି ହୁଅନ୍ତି ବୋଲି କୁହନ୍ତି ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.