ସ୍ତନ କର୍କଟ ନେଇ ସଚେତନତା ଓ୍ଵାକାଥନ୍, ଉତ୍କଳ ହସପିଟାଲ ପକ୍ଷରୁ ହେଲା ଆୟୋଜିତ

ଭୁବନେଶ୍ୱର : ସ୍ତନ କର୍କଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଓ୍ଵାକାଥନ୍ । ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ସୁପର ସ୍ପେସାଲିଷ୍ଟ ହସପିଟାଲ ଓ ବିଶ୍ୱାସ ନର୍ସିଂ କଲେଜ ସହଯୋଗରେ ଏହି ଓ୍ଵାକାଥନ୍ର ଆୟୋଜନ କରାଯାଇଥିଲା ।
ଏହି ଓ୍ଵାକାଥନ ଉତ୍କଳ ହସପିଟାଲରୁ ଆରମ୍ଭ ହୋଇ ଶୈଳଶ୍ରୀ ବିହାର, ଇଫକୋ ଛକ, ନୀଳାଦ୍ରି ବିହାର, ବୁଦ୍ଧ ପାର୍କ ଦେଇ ପୁଣି ସେହି ହସପିଟାଲ ପରିସରରେ ଶେଷ ହୋଇଥିଲା । ଏହାକୁ ହସପିଟାଲର ଡାଇରେକଟର ଅଫ୍ ମେଡିକାଲ ସର୍ଭିସେସ୍ ତଥା ଡାଇରେକ୍ଟର ଅଫ୍ ଅନକୋଲୋଜି ଡାକ୍ତର ରଞ୍ଜନ କୁମାର ମହାପାତ୍ର ଉଦଘାଟନ କରିଥିଲେ ।
ଏଥିରେ ବିଶ୍ୱାସ ନର୍ସିଂ କଲେଜ ଛାତ୍ରଛାତ୍ରୀ, କ୍ରିୟା ଫାଉଣ୍ଡେସନ୍ ଓ ହସପିଟାଲ ଡାକ୍ତର ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ତନ କର୍କଟର କାରଣ, ଭୟାବହତା ତଥା ଏହାକୁ କିପରି ଏଡ଼ାଯାଇ ପାରିବ ସେ ସମ୍ପର୍କରେ ଡାକ୍ତର ମହାପାତ୍ରଙ୍କ ସମେତ ଡାକ୍ତର ରଞ୍ଜନ କୁମାର ମହାନ୍ତି, ଡାକ୍ତର ଦିଲୀପ କୁମାର କର ପ୍ରମୁଖ ସଚେତନ କରିଥିଲେ । କ୍ରିୟା ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଡ. ସିଇଓ ଲିଲି ଜେନାମଣି, ମୀନତି ଦାସ ଉପସ୍ଥିତ ରହି ସମ୍ବୋଧିତ କରିଥିଲେ ।