Below header

ଆସନ୍ତା ୩୦ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌, ଆଟାକିଂ ମୁଡରେ ଭାରତୀୟ ବୋଲର

କେନ୍ୟୁଜ୍ : ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ଅନ୍ୟ ଦଳ ଠାରୁ ଭାରତୀୟ ଦଳର ପ୍ରଦର୍ଶନ ସବୁଠୁ ଭଲ ରହିଛି । ଲଗାତାର ଦୁଇଟି ମ୍ୟାଚ୍ ଖେଳି ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ତା ପରେ ନେଦରଲାଣ୍ଡସକୁ ହରାଇ ଦଳ ଏବେ ସୁପର-୧୨ ରାଉଣ୍ଡ ପଏଣ୍ଟ ଟେବୁଲ୍‌ରେ ଶୀର୍ଷ ସ୍ଥାନରେ ରହିଛି । ଅବଶ୍ୟ ଭାରତୀୟ ଦଳର ବ୍ୟାଟିଂ ଦୁର୍ଗ ବେଶ୍‌ ମଜବୁତ । ହେଲେ ଅନେକ ସମୟରେ ବୋଲିଂ ଲାଇନ ଧୋକା ଦେଇଥାଏ । ଚଳିତ ବିଶ୍ୱକପ୍‌ରେ କିନ୍ତୁ ଭାରତୀୟ ବୋଲିଂ ବିଭାଗ ବଢ଼ିଆ ପ୍ରଦର୍ଶନ କରି ବ୍ୟାଟରମାନଙ୍କର ପୂରା ସାଥ୍‌ ଦେଇଛି ।

ଦୁଇ ଦୁଇଟି ଚମତ୍କାର ବିଜୟ ପରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ମନୋବଳ ଦୃଢ଼ ରହିଥିବା ବେଳେ ଆଗାମୀ ୩୦ ତାରିଖରେ ଏହା ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ବିଜୟର ଉତ୍ସାହ ଏବଂ ଜିତିବାର ରଣକୌଶଳ ଭାରତକୁ ଅଷ୍ଟ୍ରେଲିଆ ପିଚ୍‌ରେ ଆହୁରି ଅଭିଜ୍ଞ କରି ସାରିଛି ।
ଯଦି ଗତ ଦୁଇଟି ମ୍ୟାଚ୍ର ପ୍ରଦର୍ଶନକୁ ବିଚାରକୁ ନେବା,ତେବେ ଜଣାପଡ଼ିବ ଯେ ଭାରତୀୟ ବୋଲର ସ୍ଲଗ୍‌ ଓଭର ବା ୧୮, ୧୯ ଏବଂ ୨୦ ଓଭରରେ ଯେଉଁ ଭଳି ପ୍ରଦର୍ଶନ କରୁଛିନ୍ତ ତାହା ବେଶ୍‌ ପ୍ରଶଂସନୀୟ । ଆସନ୍ତା ୩୦ ତାରିଖରେ ପର୍ଥରେ ହେବାକୁ ଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍ । ଅବଶ୍ୟ ଦକ୍ଷିଣ ଆଫ୍ରିକାର ରାଲି ଋଷୋ ବାଂଲାଦେଶ ବିପକ୍ଷରେ ୫୨ ବଲ୍‌୍‌ରେ ଶତକ କରି ଭାରତର ଚିନ୍ତା ବଢ଼ାଇ ଦେଇଥିଲେ । ଅପରପକ୍ଷେ ଭୁବନେଶ୍ୱର କୁମାର, ଅର୍ଶଦୀପ ଏବଂ ସାମିଙ୍କ ମାରାତ୍ମକ ବୋଲିଂ ଆଗରେ ଋଷୋ ଫିକା ପଡ଼ିଯିବେ ବୋଲି କୁହାଯାଉଛି ।

ଅନ୍ୟ ପଟେ ବିରାଟ କୋହଲି,ସୂର୍ଯ୍ୟ କୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଦୁର୍ଦ୍ଧର୍ଷ ବ୍ୟାଟରଙ୍କ ଆଗରେ କାଗିସୋ ରାବାଡ଼ା ଏବଂ ଅନରିକ୍ ନୋର୍ଜିଙ୍କ ପରି ବୋଲର ମଧ୍ୟ ହାରମାନି ଯିବେ । ଏବେ ଅଧିନାୟକ ରୋହିତ ଶର୍ମା ବି ଫର୍ମକୁ ଅସି ଯାଇଛନ୍ତି । ତେଣୁ ଆସନ୍ତା ମ୍ୟାଚ୍ରେ ପର୍ଥ ଷ୍ଟାଡିୟମରେ ଛକା ଚଉକାର ବର୍ଷା ହେବ ବୋଲି ଆଶା କରାଯାଉଛି ।
ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଆରମ୍ଭରୁ ଭାରତୀୟ ବୋଲର ପାକ୍ ପ୍ଲେୟରଙ୍କୁ ଚାପରେ ରଖିଥିଲେ । ଭୁବନେଶ୍ୱର କୁମାର ଏବଂ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପାଇଁ ପାକିସ୍ତାନ ପ୍ରାରମ୍ଭରୁ ଭଲ କରି ପାରି ନଥିଲା । ଏହି ଦୁଇଜଣ ସ୍ୱିଙ୍ଗ୍ ବୋଲରଙ୍କ ଆଗରେ ବାବର ବାହିନୀ ପୂରା ହାତ ଟେକି ଦେଇଥିଲା । ନେଦରଲାଣ୍ଡସ ବିପକ୍ଷରେ ଭୁବନେଶ୍ୱର କୁମାର ପ୍ରଥମ ଓଭର ମେଡେନ ନେଇଥିବା ବେଳେ ୩ୟ ଓଭରରେ ମେଡେନ ଓ୍ଵିକେଟ୍ ହାସଲ କରିଥିଲେ । ଏହି ପ୍ରଦର୍ଶନ ଏବଂ ସୁନ୍ଦର ଲୟ ପାଇଁ ସେ ବ୍ୟାଟରଙ୍କ ଉପରେ ଚାପ ପକାଇ ପାରୁଛନ୍ତି । ସେ ୧୨୦ ରୁ ୧୩୦ କି.ମି. ବେଗରେ ବୋଲିଂ କରୁଛନ୍ତି । ଏହି ବିଶେଷତା ତାଙ୍କୁ ଶାଣିତ ଏବଂ ଘାତକ ବୋଲରର ପରିଚୟ ଦେଇଛି । ଭାରତୀୟ ଦଳ ଏହି ମ୍ୟାଚ୍ରେ ବୋଲିଂ ଷ୍ଟ୍ରାଟେଜି ବଦଳାଇ ଦେଲା,୫ ଓଭର ପରେ ସ୍ପିନରଙ୍କୁ ସୁଯୋଗ ଦିଆଗଲା । ପାକିସ୍ତାନ ମ୍ୟାଚ୍ରେ ସଫଳତା ପାଇନଥିବା ଅକ୍ଷର ପଟେଲ, ଏହି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ୫ମ ଓଭରରେ ୩ ରନ ଦେଇ ଗୋଟିଏ ଓ୍ଵିକେଟ ନେଇଥିଲେ ।

ପାକିସ୍ତାନ ବିପକ୍ଷରେ ମହମ୍ମଦ ସାମି ୧୮ତମ ଓଭରରେ ୧୦ ରନ ଦେଇଥିଲେ,୧୯ତମ ଓଭରରେ ଅର୍ଶଦୀପ ୧୪ ରନ,୨୦ତମ ଓଭରରେ ଭୁବନେଶ୍ୱର ୧୦ ରନ ଦେଇ ଗୋଟିଏ ଓ୍ଵିକେଟ ମଧ୍ୟ ନେଇଥିଲେ । ନେଦରଲାଣ୍ଡସ ବିପକ୍ଷରେ ଅଧିନାୟକ ରୋହିତ ଶର୍ମା ୧୮ତମ ଓଭରରେ ଅର୍ଶଦୀପଙ୍କୁ ବୋଲିଂ କରିବାକୁ ଡାକିଥିଲେ । ସେ ଏହି ଓଭରରେ ୫ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ । ୧୯ତମ ଓଭରରେ ଭୁବନେଶ୍ୱରଙ୍କୁ ନଦେଇ ସାମିଙ୍କ ଦ୍ୱାରା ବୋଲିଂ କରାଇଥିଲେ । ଅବଶ୍ୟ ଭୁବନେଶ୍ୱର କୁମାର ସେତେବେଳକୁ ୩ ଓଭରରେ ୨ଟି ମେଡେନ ଓ୯ ରନ ଦେଇ ୨ ଟି ଓ୍ଵକେଟ ଦଖଲ କରି ସାରିଥିଲେ । ଏତେ ବଢ଼ିଆ ପ୍ରଦର୍ଶନ ସତ୍ତ୍ୱେ ଶେଷ ଓଭର ଭୁବିଙ୍କୁ ନ ଦେଇ ରୋହିତ କାହିଁକି ଅର୍ଶଦୀପଙ୍କୁ ବୋଲିଂ ଦେଇଥିଲେ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ହେଲେ

ଏଥରୁ ଜଣା ପଡ଼େ କି ଅଧିନାୟକ ଏବେ ଅର୍ଶଦୀପଙ୍କୁ ଚାପରେ କେମିତି ବୋଲିଂ କରିବାକୁ ପଡ଼େ ତାହା ଶିଖାଉଛନ୍ତି । ବର୍ତ୍ତମାନ ଭାରତୀୟ ଦଳ ପୂରା ଲକ୍ଷ୍ୟରେ ଅଛି । ୨୦୦୭ ପ୍ରଥମ ଟି୨୦ ବିଶ୍ୱ କପ୍‌ର ସଫଳତା ଦୋହରାଇବାକୁ ପଥ ପ୍ରସ୍ତୁତ କରୁଛି । ତେଣୁ ଅମେ ରୋହିତଙ୍କ ଟିମ୍‌ ଉପରେ ଆଶା ଓ ଭରସା କରି ପାରିବା ଭାରତ ପୁଣିଥରେ ଜିତିବ ଟି୨୦ ବିଶ୍ୱକପ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.