ବାହାର ଚନ୍ଦନ ଯାତ୍ରା ପାଇଁ ସ୍ୱତନ୍ତ୍ର ଟାହିଆ

ବାହାର ଚନ୍ଦନ ଯାତ୍ରାରେ ପ୍ରଭୁଙ୍କ ପାଇଁ ଆସେ ସ୍ୱତନ୍ତ୍ର ଟାହିଆ, ଯାହାକୁ ପିନ୍ଧି ପ୍ରଭୁ କରନ୍ତି ଜଳକ୍ରୀଡା

ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁଙ୍କ ଚାଲିଛି ୨୧ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ପ୍ରଭୁ ମଦନମୋହନ ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି ଜଳକ୍ରୀଡ଼ା କରୁଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ,ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବଙ୍କ ଚାଲିଛି ୨୧ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା। ପ୍ରତିଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା ସହ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଚନ୍ଦନ ଚକଡାରେ ପହଞ୍ଚିବା ପରେ ଆକର୍ଷଣୀୟ ଟାହିଆ ପରିଧାନ କରନ୍ତି।

ତେବେ ଏହି ଟାହିଆ ପଛର ସୁନ୍ଦର କାହାଣୀ ରହିଛି ଯାହା ସମସ୍ତେ ଜାଣିନାହାନ୍ତି।ପୂର୍ବରୁ କେନ୍ଦୁଝର ରାଣୀ ଏହି ଟାହିଆ ଯୋଗାଉଥିଲେ।ତାଙ୍କ ପରେ ଜଗନ୍ନାଥବଲ୍ଲଭ ମଠରେ ଥିବା ସାଧୁ ଆଦିକନ୍ଦ ଦାସଙ୍କ ପାଖରେ ଏହି ଟାହିଆ ଛାଞ୍ଚ ରହିଥିଲା।ଦଇତାପଡ଼ା ସାହିର ଅବଧୂତ ପଟନାୟକଙ୍କ ସାଧୁଙ୍କ ଠାରୁ ଏହି ଛାଞ୍ଚ ନେଇ ଦୀର୍ଘ ୭୦- ୮୦ବର୍ଷ ହେବ ଏହି ଟାହିଆ ଯୋଗାଉଛନ୍ତି।ଜୁଇକ, ବଉଳଫୁଲ,ସୁବର୍ଣ୍ଣଗନ୍ଧା,ମଲ୍ଲୀ ଆଦି ସୁବାସିତ ଫୁଲ ସହ ସୌନ୍ଦର୍ଯ୍ଯ ବୃଦ୍ଧି ପାଇଁ ଗୋଲାପ ଓ ରଂଗଣୀ ଫୁଲ ବ୍ଯବହାର କରି ଏହି ଟାହିଆ ପ୍ରସ୍ତୁତ ହୋଇଥାଏ।ଏହି ଘରୋଇ ସେବାରେ ୧୫-୨୦ ଜଣ ଲାଗିଥାନ୍ତି।

ଏହି ଟାହିଆ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟଙ୍କାଟିଏ ମଧ୍ୟ ମିଳିନଥାଏ।କେବଳ ଉତ୍ସର୍ଗୀକୃତ ଓ ସେବା ମନୋଭାବ ନେଇ ପ୍ରଭୁଙ୍କ ପାଇଁ ବର୍ଷକରେ ୨୧ଦିନ ଏହି ପରିବାର ଏଭଳି ଟାହିଆ ପ୍ରସ୍ତୁତ କରିଥାନ୍ତି। ଗତ କିଛି ବର୍ଷ ଧରି ସାନମଠରେ ଏହି ଟାହିଆ ପ୍ରସ୍ତୁତ ହେଉଛି।ପଣସ ପତ୍ର, କଦଳୀ ପଟୁଆରେ ପ୍ରସ୍ତୁତ ହେଉଛି ଟାହିଆ। ପ୍ରସ୍ତୁତ ହେଉଥିବା ଏ କୁନି କୁନି ଟାହିଆ ଚନ୍ଦନ ଯାତ୍ରାରେ ମଦନମୋହନ ଟାହିଆ ପରିଧାନ କରୁଛନ୍ତି।ଜୁଇ କ, ବଉଳଫୁଲ, ସୁଗନ୍ଧରାଜ, ମଲ୍ଲୀ ଆଦି ସୁବାସିତ ଫୁଲ ସହ ସୌନ୍ଦର୍ଯ୍ଯ ବୃଦ୍ଧି ପାଇଁ ଗୋଲାପ ଓ ରଂଗଣୀ ଫୁଲ ବ୍ଯବହାର କରି ଏହି ଟାହିଆ ପ୍ରସ୍ତୁତ ହୋଇଥାଏ। ରାତି ଚାପକୁ ବିଜେ କଲା ବେଳେ ଠାକୁର ଦିଶନ୍ତି ଅପୂର୍ବ ସୁନ୍ଦର।

ବାହାର ଚନ୍ଦନ ଯାତ୍ରାରେ ୨୦ ଦିନ କେବଳ ମଦନମୋହନ ଏବଂ ଶ୍ରୀକ୍ଷେତ୍ର ଭଉଁରୀ ଦିନ ମଦନମୋହନଙ୍କ ସମେତ ପଞ୍ଚମହାଦେବଙ୍କ ପାଇଁ ଟାହିଆ ପ୍ରସ୍ତୁତ କରାଯାଇଥାଏ।ଏଥିସହ ରୁକ୍ମିଣୀ ବିବାହ ଦିନ ମଧ୍ୟ ମଦନମୋହନ ଓ ରୁକ୍ମିଣୀଙ୍କ ମଧ୍ୟ ଟାହିଆ ପ୍ରସ୍ତୁତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.