୨୪ ତାରିଖରେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ: ଓଡ଼ିଶାର ଝିଅକୁ ନିର୍ବାଚିତ କରିବା ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ରାଇରଙ୍ଗପୁରରୁ ରାଇସିନା ରେସ୍ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁ । ୨୪ ତାରିଖରେ ନାମାଙ୍କନ ଦାଖଲ କରିବେ । ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ତାଙ୍କ ନାଁ ଘୋଷଣା ପରେ ସାରା ରାଜ୍ୟରେ ଖୁସିର ଲହରି । ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଖୁସ । ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଯୋଗାଇ ଦିଆଯାଇଛି ଜେଡ୍ ପ୍ଲସ୍ ସୁରକ୍ଷା । କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବଢ଼ାଇଛନ୍ତି ।
ଆଜି ସକାଳୁ ସେ ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ବେଢ଼ା ଓଳାଇବା ସହ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ ଦ୍ରୌପଦୀ ମୁର୍ମୁ । ପରେ ଯାଇଥିଲେ ପ୍ରତାପତି ବ୍ରହ୍ମକୁମାରୀ ଆଶ୍ରମ । ଆଜି ରାଇରଙ୍ଗପୁରରୁ ଭୁବନେଶ୍ୱର ଆସିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜଣେ ଓଡ଼ିଆଙ୍କୁ ଦେଶର ସର୍ବୋଚ୍ଚ ପଦ ପାଇଁ ଏନଡିଏ ପ୍ରାର୍ଥୀ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହୋଇଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଦ୍ରୌପଦୀ ମୁର୍ମୁ ଅନନ୍ୟ ଉଦାହରଣ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କୁ ସମର୍ଥନ କରିଛି ବିଜେଡି । ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଦଳ ମତ ନିର୍ବିଶେଷରେ ଓଡ଼ିଶା ମାଟିର ଝିଅଙ୍କୁ ନିର୍ବାଚିତ କରିବା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ସଂଖ୍ୟକ ନମ୍ବର ଏନଡିଏ ପାଖରେ ନାହିଁ । ବିଜେପି ଓ ସହଯୋଗୀ ଦଳଗୁଡ଼ିକର ୪୮.୯ ପ୍ରତିଶତ ଭୋଟ୍ ରହିଛି । ଅଣ-ଏନଡିଏ ଦଳଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ୍ । ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୨.୨ ପ୍ରତିଶତ କମ୍ ଭୋଟ୍ ରହିଛି । ବିଜେଡିର ସମର୍ଥନ ପରେ ଦ୍ରୌପଦୀ ମୁର୍ମୁ ଜିତିବା ସୁନିଶ୍ଚିତ । କାରଣ ବିଜେଡି ପାଖରେ ଅଛି ୨.୯ ପ୍ରତିଶତ ଭୋଟ୍ । ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ହେବେ ଦ୍ୱିତୀୟ ଓଡ଼ିଆ ରାଷ୍ଟ୍ରପତି । କଂଗ୍ରେସ ବିଧାୟକ କହିଛନ୍ତି, ଦଳର ନିଷ୍ପତ୍ତିକୁ ଗ୍ରହଣ କରିବେ ।
କାଉସିଲରରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ଆସନରୁ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ଥିଲେ ମନ୍ତ୍ରୀ । ବାଣିଜ୍ୟ ଓ ପରିବହନ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଥିଲେ । ୨୦୧୫-୨୦୨୧ ଯାଏ ସେ ଥିଲେ ଝାଡ଼ଖଣ୍ଡର ରାଜ୍ୟପାଳ । ରାଜନୈତିକ କ୍ୟାରିୟର ଭିତରେ ସେ ଆଦିବାସୀ ସଂପ୍ରଦାୟର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ।
() ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଆସନ୍ତା ୨୪ ତାରିଖରେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ତାଙ୍କ ସମର୍ଥନ ଘୋଷଣା କରିଛି ବିଜେଡି । ଦଳ ମତ ନିର୍ବିଶେଷରେ ଓଡ଼ିଶାର ଝିଅକୁ ନିର୍ବାଚିତ କରିବା ପାଇଁ ରାଜ୍ୟର ସମସ୍ତ ବିଧାୟକଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ବଢ଼ିଛି । ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ଜେଡ୍ ପ୍ଲସ୍ ସୁରକ୍ଷା । ଆଜି ରାଇରଙ୍ଗପୁରର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବେଢ଼ା ଓଲାଇଥିଲେ ଦ୍ରୌପଦୀ ମୁର୍ମୁ । ..