ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପଦକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଟଣାଓଟରା, କାର୍ଯ୍ୟାଳୟରେ ଅଚଳାବସ୍ଥା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପଦକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଟଣାଓଟରା । ଗତ ୨୨ ତାରିଖରେ ସରକାର ଦେବଗଡ଼ରେ କାର୍ଯ୍ୟରତ ଜ୍ୟୋତ୍ସ୍ନା ରାୟଙ୍କୁ ଢେଙ୍କାନାଳ ସମାଜ ମଙ୍ଗଳ ଅଧିକାରୀ ଭାବରେ ବଦଳି କରିଛନ୍ତି। ଏଠାରେ ଥିବା ଜୟନ୍ତୀ ବେହେରାଙ୍କର ଭୁବନେଶ୍ୱର ବଦଳି ହୋଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଜ୍ୟୋତ୍ସ୍ନା ରାୟ ଗତ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଯୋଗଦାନ କରି କାର୍ଯ୍ୟଭାର ସମ୍ଭାଳିଛନ୍ତି।

ପୂର୍ବରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟରତ ଜୟନ୍ତୀ ବେହେରା ବଦଳି ଆଦେଶ ମିଳିବା ପରେ ଛୁଟିରେ ଚାଲି ଯାଇଥିଲେ। ବଦଳି ଆଦେଶ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇ ସେ ଗତକାଲି ଏହି ବଦଳି ଆଦେଶ ଉପରେ ରହିତାଦେଶ ଆଣିଛନ୍ତି । ତେଣୁ ସେ ନିଜକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଭାବରେ ଦାବି କରିଛନ୍ତି ଓ ସେହି ଅନୁଯାୟୀ ଆଜି ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ନୂତନ ଭାବେ ବଦଳି ହୋଇ ଆସିଥିବା ଅଧିକାରିଣୀ ଜିଲ୍ଲାପାଳ ନିକଟରେ କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ପୂର୍ବ ଅଧିକାରୀ ନୂତନ ଅଧିକାରିଙ୍କୁ ଦାୟୀତ୍ଵ ପ୍ରଦାନ ନ କରିବା ଏବଂ ନିଜର ସିଟ ଛାଡ଼ି ନାହାନ୍ତି। ଜିଲ୍ଲାପାଳ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ଘଟଣାକୁ ଅଧିକ ଜଟିଳ କରିଛି।