ଚାନ୍ଦବାଲି ବ୍ଲକରେ ରିଲିଫ ବଣ୍ଟନରେ ବଢିଚାଲିଛି ବିବାଦ:ଏସିସି ତାଲିକାରେ ତୃଟି, ବହୁ ବନ୍ୟା ବିପନ୍ନ ପରିବାର ରିଲିଫ ପାଇବାରୁ ବଂଚିତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ରିଲିଫ ବଣ୍ଟନ ବିବାଦ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଏହି ସମସ୍ୟାର ସମାଧାନ କରିବାରେ ଜିଲ୍ଲା ପ୍ରଶାସନ କି ବ୍ଲକ ପ୍ରସାସନ କେହି ହସ୍ତକ୍ଷେପ କରୁନଥିବା ଅଭିଯୋଗ କରିଛନ୍ତି ରିଲିଫରୁ ବାଦ ପଡିଥିବା ବନ୍ୟା ବିପନ୍ନମାନେ । ବ୍ଲକର ନାଲଗୁଣ୍ଡା ପଂଚାୟତରେ ଏସିସି ଲିଷ୍ଟରେ ତୃଟି ଯୋଗୁ ପଂଚାୟତର ବହୁ ବନ୍ୟା ବିପନ୍ନ ପରିବାର ରିଲିଫ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ କରିଛନ୍ତି ଇଟୁଆ ମଠସାହି ଗାଁର କିଛି ବନ୍ୟା ବିପନ୍ନ ।

ଅଭିଯୋଗ ମୁତାବକ ଏହି ପଂଚାୟତରେ ଘରକା ୨ରୁ ୩ଜଣ ସଦସ୍ୟଙ୍କୁ ରିଲିଫ ମିଳିଛି ଏମିତିକି ମଲା ଲୋକଙ୍କ ନାଁରେ ତାଙ୍କ ପରିବାର ରିଲିଫ ନେଇଛନ୍ତି ହେଲେ ବନ୍ୟା ଘେରରେ ରହିଥିବା ପଂଚାୟତର ବହୁ ପରିବାର ଏସିସି ଲିଷ୍ଟରେ ନାଁ ନଥିବାରୁ ସରକାରଙ୍କ ୫୦କିଲୋ ଚାଉଳ ଓ ୫ଶହ ଟଙ୍କା ପାଇପାରିନାହାଁନ୍ତି । ତେବେ କିପରି ଏସିସି ଲିଷ୍ଟରୁ ନାଁ କଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । ଜାଣିଶୁଣି ସ୍ଥାନୀୟ ପଂଚାୟତର ସରପଂଚ ଏପରି କରୁଥୁବା ଅଭିଯୋଗ କରିଛନ୍ତି ବନ୍ୟା ବିପନ୍ନ ପରିବାର । ସେହିଭଳି ବ୍ଲକର ସୁନ୍ଦରପୁର ପଂଚାୟତରେ ମଧ୍ଯ ବହୁ ବନ୍ୟା ବିପନ୍ନ ପରିବାର ରିଲିଫ ପାଇବାରୁ ବଂଚିତ ହୋଇଛନ୍ତି ।

ସେମାନେ ବାରମ୍ବାର ଚାନ୍ଦବାଲି ବ୍ଲକ ବିଡିଓ ଓ ପଂଚାୟତର ସରପଂଚକୁ ଏ ବାବଦରେ ଜଣାଇଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ବିପନ୍ନମାନେ ରିଲିଫ ବଣ୍ଟାଯାଉଥିବା ସ୍ଥାନକୁ ଆସି ହୋହାଲ୍ଲ କରିଥିଲେ । ହେଲେ ଏସିସି ଲିଷ୍ଟରେ ନାଁ ନାହିଁ ତେଣୁ ତୁମକୁ ରିଲିଫ ଦିଆଯାଇପାରିବନାହିଁ ବୋଲି ରୋକଠୋକ ମନାକରିଥିଲେ ରିଲିଫ ବଣ୍ଟନ ଦାୟିତ୍ୱରେ ଥିବା ସରକାରୀ ବାବୁମାନେ । ତେବେ ଜିଲ୍ଲାପାଳ ଏହି ସମସ୍ୟାକୁ ଗୁରୁତର ସହ ନେଇ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ଏବଂ ବହୁ ବନ୍ୟା ବିପନ୍ନ ପରିବାରଙ୍କୁ ରିଲିଫ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.