କାଲି ଆସିବ ରାଜ୍ୟ ସରକାରଙ୍କ ଗ୍ରୀନ ବଜେଟ, ପ୍ରଥମଥର ହେବାକୁ ଯାଉଛି ପେପରଲେସ୍‌ ବା ଇ-ବଜେଟ

କେନ୍ୟୁଜ୍(ବ୍ୟୁରୋ): କାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଣିବେ ଦ୍ୱିତୀୟ ବଜେଟ । ହୋଇପାରେ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ । ଏଥର ହେବାକୁ ଯାଉଛି ପେପରଲେସ୍‌ ବା ଇ-ବଜେଟ । ଯାହାର ନାଁ ରଖାଯାଇଛି ଗ୍ରୀନ ବଜେଟ । ଏହାର ଉଦେଶ୍ୟ ହେଉଛି କାଗଜର କମ ବ୍ୟବହାର । ବଜେଟ ପାଇଁ ୭୫ ଲକ୍ଷ ପୃଷ୍ଠା ଛପା ହୋଇଥାନ୍ତା। ଏବେ ଛପା ନଯିବାରୁ ପ୍ରାୟ ୮ଶହ ଗଛ କଟିବାରୁ ରକ୍ଷା ହୋଇପାରିଲା । ଏକ ସ୍ୱତନ୍ତ୍ର ଆପ୍‌ ଜରିଆରେ ସୂଚନା ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ବଜେଟ୍‌ ନାଁରେ ଏକ ଆପ୍‌ ଡେଭଲପ୍‌ କରାଯାଇଛି। ବଜେଟ ପୂର୍ବରୁ ୱେବସାଇଟ, ଇମେଲ ଓ ହ୍ଵାଟସ ଆପ୍‌ ଜରିଆରେ ପ୍ରସ୍ତାବ ମଗାଯାଇଥିଲା । ସେହି ପ୍ରସ୍ତାବ ଗୁଡିକୁ ବଜେଟରେ ଅଗ୍ରାଧିକାର ଦିଆଯାଇଥିବା ଜଣାପଡିଛି ।

budget 1

ପୂର୍ବଥର ଭଳି କୃଷି ବଜେଟକୁ ସ୍ୱତନ୍ତ୍ର କରାଯାଇଛି । ପୂର୍ବରୁ ୨୦, ୭୧୪କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ବେଳେ ଏଥର ଏହା ବଢ଼ିପାରେ । କମିପାରେ କାଳିଆ ଟଙ୍କା । ସରକାରୀ କର୍ମଚାରୀଙ୍କୁ ଦରମା, ପେନସନ ଓ ସୁଧ ବାବଦରେ ପ୍ରାୟ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାବାଦ୍‌ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଗତ ବଜେଟରେ ୭୪ ହଜାର ୬୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ପାଇଁ ସରକାର ରଖିଛନ୍ତି ୪, ୬୦୦ କୋଟି ଟଙ୍କା । ଏହାବାଦ ୬,୪୯୦ କୋଟି ଟଙ୍କା ପୌରାଞ୍ଚଳ ଓ ଗ୍ରାମାଞ୍ଚଳ ବିକାଶ ପାଇଁ ରଖାଯାଇଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟୟବରାଦ ହୋଇପାରେ। ଅନ୍ୟପଟେ କେନ୍ଦ୍ରୀୟ ଯୋଜନାରେ ଅର୍ଥ କମିବା ନେଇ ଆଶଙ୍କା ଥିବାରୁ ଏହା ରାଜ୍ୟ ବଜେଟ୍‌ ଉପରେ ପ୍ରଭାବ ପକାଇବ ବୋଲି ବିରୋଧୀ କହିଛନ୍ତି।

ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଡ କରିବା ରାଜ୍ୟ ସରକାରଙ୍କ ପାଇଁ ବଡ ଚାଲେଞ୍ଜ ହୋଇପାରେ । ଖଣିଜ ସମ୍ପଦ କ୍ଷେତ୍ରରୁ ଅଧିକ ରାଜସ୍ୱ ପାଇଥାନ୍ତି ସରକାର ।୨୦୧୮-୧୯ରେ ଖଣିରୁ ରାଜସ୍ୱ ମିଳିଛି ୧୦ହଜାର ୪୭୯ କୋଟି ଟଙ୍କା। ସରକାରଙ୍କ ମୋଟ ଆୟର ୨୩.୫୦ ପ୍ରତିଶତ ଖଣିରୁ ଆସୁଛି । ଏହି ଅର୍ଥ ୨୦୨୦-21ରେ ଏହା ବୃଦ୍ଧି ପାଇବାର ଯଥେଷ୍ଟ ରହିଛି । ଏହାସହ ପଞ୍ଚାୟତ ଓ ପୌରାଞ୍ଚଳରୁ ଅଧିକ ୟୁଜର୍ସ ଫି ଆଣିବା ଲକ୍ଷ୍ୟ ରଖିଛନ୍ତି ସରକାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.