ଏଣିକି ଶ୍ରୀମନ୍ଦିର ଗଲେ ପିନ୍ଧିବେ ମାର୍ଜିତ ତଥା ପାରମ୍ପରିକ ପୋଷାକ, ନୂଆ ବର୍ଷରୁ କଡାକଡି ହେବ ନିୟମ

ଶ୍ରୀମନ୍ଦିର ଗଲେ ପିନ୍ଧିବେ କ’ଣ ? ଏ ନେଇ ବଡ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଯିବାକୁ ହେଲେ ଭକ୍ତଙ୍କ ପୋଷାକରେ ଶାଳୀନତା ରଖିବାକୁ ପଡିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଭକ୍ତ ଶ୍ରୀମନ୍ଦିର ଭିତରକୁ ଯିବେ ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପାଇଁ ପୋଷାକ ଉପରେ କଟକଣା । ଏଣିକି ଶ୍ରଦ୍ଧାଳୁ ପିନ୍ଧି ପାରିବେ ନାହିଁ ଶାଳୀନତା ନଥିବା ପୋଷାକ । ଶାଳୀନତାପୂର୍ଣ୍ଣ ପୋଷାକ ନପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା । ଚିରା ଫଟା ଜିନ୍ସ, ସ୍ଲିଭ ଲେସ୍ ପୋଷାକ, ହାଫ ପ୍ୟାଣ୍ଟ ପିନ୍ଧିଥିଲେ ମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । କେବଳ ୧୨ ବର୍ଷରୁ କମ୍ ପିଲାଙ୍କୁ ହାଫ୍ ପ୍ୟାଣ୍ଟ ପିନ୍ଧି ଯିବାକୁ ଅନୁମତି ଦିଆଯିବ । ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଅଶାଳୀନ ପୋଷାକ ପରିଧାନ ନ କରି ଯେଭଳି ମାର୍ଜିତ ତଥା ପାରମ୍ପରିକ ପୋଷାକ ପରିଧାନ କରି ଆସିବେ, ତାଉପରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି ।

ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ଏବେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ଜାନୁଆରୀ ୧ ନୂଆବର୍ଷରୁ କଡାକଡି ଭାବେ ଏହି ନିୟମ ଲାଗୁ କରାଯିବ। ଏଥିପାଇଁ ଆଜିଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ସଚେତନତା କରାଇବ। ନୂଆବର୍ଷରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ। ନୂଆବର୍ଷରୁ ଯେଉଁ ଭକ୍ତମାନେ ଶାଳୀନତା ଭାବେ ପୋଷକ ନପିନ୍ଧି ଶ୍ରୀମନ୍ଦିର ଆସିବେ ସେମାନଙ୍କୁ ପ୍ରବେଶ ମନା । ଅନ୍ୟପଟେ ବାଳଧୂପ ଓ ରାଇଦାମୋଦର ବେଶ ନୀତି ପାଇଁ ପ୍ରତିଦିନ ଭୋର୍‌ ୪ଟାରେ ଦ୍ବାରଫିଟା ଓ ଭୋର ୫ଟାରେ ମଙ୍ଗଳ ଆଳତି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.