ଚମକିଲେ ନବରଙ୍ଗପୁର ଛାତ୍ରୀ ବନିତା, ପ୍ରଥମ ଓଡ଼ିଆ ଭାବେ ଉଲକାପିଣ୍ଡ ଆବିଷ୍କାର କରି ଆନ୍ତର୍ଜାତିକ ସ୍ତରରେ ପାଇଲେ ସଫଳତା

ନବରଙ୍ଗପୁର(କେନ୍ଯୁଜ୍): ପ୍ରତିଭା କେବେ ଲୁଚି ରହିପାରେନା। ଦିନେ ନା ଦିନେ ସୁବାଶିତ ପୁଷ୍ପ ଭଳି ଚାରିଆଡେ ମହକିଥାଏ। ଏଇ ଯେମିତି ନବରଙ୍ଗପୁରର ଛାତ୍ରୀ ବନିତା । ଯିଏ ଆନ୍ତର୍ଜାତିକସ୍ତରରେ ପ୍ରଥମ ଓଡ଼ିଆ ଭାବେ ଉଲକାପିଣ୍ଡ ଆବିଷ୍କାର କରି ସଫଳତାର ମାଇଲଖୁଣ୍ଟ ଛୁଇଁଛନ୍ତି।

ନବରଙ୍ଗପୁରର ଝିଅ ବନିତା ଦାସ । ନବରଙ୍ଗପୁର ସହରର ଗାଦବାଗୁଡାରେ ତାଙ୍କ ଜନ୍ମ । ମଧ୍ୟପ୍ରଦେଶ ରାଜ୍ଯ ଅନୁପୁର ଜିଲ୍ଲା ଅମରକଣ୍ଟକ ସହରର ଜବାହାର ନବୋଦୟ ବିଦ୍ଯାଳୟରେ ପାଠ ପଢ଼ନ୍ତି ବନିତା । ଏହାପୂର୍ବରୁ ସେ ଜବାହାର ନବୋଦୟ ବିଦ୍ୟାଳୟ , ମାଲକାନଗିରିରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟ ପିଲାଙ୍କ ଉଲ୍କାପିଣ୍ଡ ସନ୍ଧାନ କାର୍ଯ୍ଯକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି । ଭାରତ ସରକାରଙ୍କ ମୁଖ୍ଯ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ଯରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

ବନିତାଙ୍କ ଏହି ଆବିଷ୍କାରକୁ ମହାକାଶ ସଂସ୍ଥା ନାସା ଓ ଅର୍ନ୍ତରାଷ୍ଟ୍ରୀୟ ଜୋର୍ତିବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଥିଲେ । ସମଗ୍ର ବିଶ୍ୱରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଏହି ଅଭିଯାନରେ ଅନେକ ଆର୍ନ୍ତଜାତିକ ବିଶ୍ୱବିଦ୍ୟାଳୟ ଏବଂ ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିଛନ୍ତି । ତେବେ ଏହାର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। ଏହି ଉଲ୍କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ୬ବର୍ଷ ମଧ୍ୟରେ ଏହାର ଗତିପଥ ଜାଣି ହେବ ବୋଲି ଜଣାଯାଇଛି ।

ଅନ୍ଯପଟେ ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ଗତ ଜାନୁଆରୀ ମାସରେ ତାଙ୍କୁ ଏକ କଠିନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସବୁଠାରୁ ବଡ କଥା ଏପରି ମହାକାଶ ଗବେଷଣାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଛାତ୍ରୀ। ତେବେ ଭବିଷ୍ଯତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ବନିତା। ବନିତା ତାଙ୍କର ଏହି ସଫଳତା ପାଇଁ ନିଜ ସ୍କୁଲ ଶିକ୍ଷକ , ସ୍ପେସ୍‌ ଫାଉଣ୍ଡେସନର ସମସ୍ତ ସଦସ୍ଯ ଏବଂ ତାଙ୍କ ବାପା ମାଙ୍କୁ ଧନ୍ଯବାଦ ଜଣାଇଛନ୍ତି। ସମଗ୍ର ରାଜ୍ଯକୁ ଗର୍ବିତ କରିଥିବାରୁ ବିଭିନ୍ନ ମହଲରୁ ବନିତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.