ଦିନରାତି ଲାଗି ପଡ଼ିଥିଲେ ପାଠ ପଢାରେ, ଆଜି ମାଟ୍ରିକରେ ପାଇଲେ ୯୧ ପ୍ରତିଶତ ନମ୍ବର

ଗଭୀର ଅଧ୍ୟବସାୟ ବଳରେ ସଫଳତା ମିଳିଥାଏ । ଖରା, ବର୍ଷା, ଶୀତ, କାକର ବାଧା ଦେଇ ପାରିନି ପାଠ ପଢିବାର ଇଚ୍ଛାକୁ । ମାଟ୍ରିକ ପରୀକ୍ଷାରେ ୫୪୭ ନମ୍ବର ରଖି ପାସ କରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ତିଳେଶ୍ୱର ଗାଁର ଗରିବ ପରିବାରର ଝିଅ ରାଣୀ ପାତ୍ର ।

ବ୍ରହ୍ମପୁର(କେନ୍ୟୁଜ୍‌): ଇଚ୍ଛାଶକ୍ତି, କୋଠର ପରିଶ୍ରମ ଓ ଗଭୀର ଅଧ୍ୟବସାୟ ବଳରେ ସଫଳତା ମିଳିଥାଏ । ପରିଶ୍ରମ ସାଜିଛି ସଫଳତା ପଛର ଚାବିକାଠି । ଖରା, ବର୍ଷା, ଶୀତ, କାକର ବାଧା ଦେଇ ପାରିନି ପାଠ ପଢିବାର ଇଚ୍ଛାକୁ । ପ୍ରତ୍ୟେକ ଦିନ ସାତରୁ ଆଠ କିଲୋମିଟର ସାଇକେଲରେ ଯାଉଥିଲେ ସ୍କୁଲ ଓ ଟିଉସନ । ସ୍କୁଲ ଶିକ୍ଷକଙ୍କଠୁ ଆରମ୍ଭ କରି ଟିଉସନ ସାରଙ୍କଠୁ ପାଠ ବୁଝୁଥିଲେ । ଏହାସହ ଦିନରାତି ଏକ କରିଦେଇଥିଲେ ପାଠ ପାଇଁ । ଏପରିକି ପରିବାର ଲୋକେ ମଧ୍ୟ ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲେ । ଘରର ଅନ୍ୟ କୌଣସି କାମ କରିବାକୁ ଦେଉନଥିଲେ । କେବଳ କହୁଥିଲେ ଆଗକୁ ମାଟ୍ରିକ ପରୀକ୍ଷା ଅଛି ଝିଅ ତୁ କେବଳ ପାଠ ପଢ । ଏହାପରେ ମିଳିଲା ବଡ଼ ସଫଳତା । ଚଳିତ ମାଟ୍ରିକ ପରୀକ୍ଷାରେ ୫୪୭ ନମ୍ବର ରଖି ପାସ କରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ତିଳେଶ୍ୱର ଗାଁର ଗରିବ ପରିବାରର ଝିଅ ରାଣୀ ପାତ୍ର ।

ଗାଁର ନିରଞ୍ଜନ ପାତ୍ରଙ୍କ ଝିଅ ରାଣୀ ମୌଳାଭଣଜା ସରକାରୀ ହାଇସ୍କୁଲରେ ପାଠ ପଢୁଥିଲେ । ମାଟ୍ରିକରେ ୯୧ ପ୍ରତିଶତରୁ ଅଧିକ ମାର୍କ ରଖି ସ୍କୁଲ ପାଇଁ ଗର୍ବ ଆଣିଛନ୍ତି । ଏପଟେ ଖୁସିରେ ଛଳ ଛଳ ହୋଇଯାଉଛି ମାଆର ଆଖି । ମାଆ ଆଖିରେ କେବଳ ଗୋଟିଏ ସ୍ୱପ୍ନ ଝିଅ କେମିତି ଭଲ ପାଠ ପଢିବ, ଭଲ ମାର୍କ ଆଣିବ ଓ ଚାକିରି ଖଣ୍ଡିଏ କରିବ । ଏହାପରେ ଏହି ଗରିବ ପରିବାରର ଦୁଃଖ ଦୂର ହେବ । ଗରିବ ହେଉଥିବାରୁ ନିଜେ ଚଳିବା ପାଇଁ ତଥା ଝିଅକୁ ପାଠ ପଢାଇବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ୁଛି । ବହୁ ଦୁଃଖ ତଥା କଷ୍ଟରେ ବିତୁଛି ଜୀବନ । ଝିଅ ଭଳି ପୁଅବି କିପରି ଭଲ ପାଠପଢୁ ସେହି ଆଶା ରଖିଛନ୍ତି ମାଆ ନମିତା ପାତ୍ର । ଆଖିରୁ ଲୁହ ଆସୁଛି କିନ୍ତୁ ଇଏ ଦୁଃଖର ନୁହେଁ ଖୁସିର ଲୁହ । ଝିଅ ପାଇଁ ଦିନରାତି କରିଥିବା ପରିଶ୍ରମର ପରିଣାମର ଲୁହ । ଝିଅ ଆଜି ସଫଳତାର ଶିଡ଼ି ଚଢିଛି । ସେଥିରେ ମାଆ, ବାପା, ଭାଇ ତଥା ପରିବାର ବେଶ ଖୁସି । କେବଳ ଯେ ପରିବାର ତାହା ନହେଁ ପାଖ ପଡ଼ିଶାଙ୍କ ମୁହଁରେ ବି ଖୁସି ବେଶ ବାରିହୋଇ ପଡ଼ୁଛି ।

ନିଜର ସଫଳତା ପଛରେ ବାପା, ମାଆ ଓ ଶିକ୍ଷକଙ୍କ ହାତଥିବା କହିଛନ୍ତି କୃତି ଛାତ୍ରୀ ରାଣୀ ପାତ୍ର । ତାଙ୍କ ମାଆ ତାଙ୍କୁ ସବୁବେଳେ ପାଠ ପଢିବା ପ୍ରତି ପ୍ରେରଣା ଯୋଗାଇ ଚାଲିଥିଲେ । ଏହାସହ ଟିଉସନ ସାର ତାଙ୍କର ସମସ୍ତ ପାଠକୁ ଭଲ ଭାବେ ବୁଝାଉଥିବା କହିଛନ୍ତି ରାଣୀ । ଏହା ସହ କେଉଁ ବିଷୟକୁ କିପରି ପଢିବାର ଅଛି ତାହା ମଧ୍ୟ ବୁଝାଉଥିବା କହିଛନ୍ତି । ଘର, ସ୍କୁଲ ଓ ଟିଉସନ ସାରଙ୍କ ସହଯୋଗ ପାଇଁ ତାଙ୍କୁ ଏହି ସଫଳତା ମିଳି ପାରିଛି ବୋଲି ସେ କହିଛନ୍ତି । ଏହାସହ ଅନ୍ୟମାନଙ୍କୁ ଅଧିକ ପରିଶ୍ରମ କରି ପାଠ ପଢିବାକୁ କହିଛନ୍ତି ରାଣୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.