Below header

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଖୁସି ଖବର, ସରକାର ଜାରି କଲେ ମେଗା ଯୋଜନା

ଓଡ଼ିଶା ସରକାର କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା ଓ କଲ୍ୟାଣ ପାଇଁ ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଏଥି ପାଇଁ ‘ଓଡ଼ିଶା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ନିୟମ-୨୦୦୬’ର ସଂଶୋଧନ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ମିଳିବ। ଏହା ସହ ତାଙ୍କ ପିଲାଙ୍କୁ ମାଟ୍ରିକ୍ ପଢ଼ିବା ଯାଏ ମାସକୁ ୧୫୦୦ ଟଙ୍କା ଓ ଉଚ୍ଚଶିକ୍ଷା ପାଇଁ ମାସକୁ ୨୫୦୦ ଟଙ୍କା ଲେଖାଏ ମିଳିବ। ଟ୍ୟୁସନ୍ ଫି’ ଓ ପାଠ୍ଯ ସାମଗ୍ରୀ କିଣା ବାବଦକୁ ଏହି ଅର୍ଥ ଦିଆଯିବ।

ସ୍ବାସ୍ଥ୍ୟ ବୀମାକୁ ବାଦ ଦେଲେ, କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରର କୌଣସି ସଦସ୍ୟ ହାର୍ଟ, କିଡ୍ନି, କ୍ଯାନ୍ସର୍ ପରି ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ସରକାର ଅତିରିକ୍ତ ଆର୍ଥିକ ସହାୟତା ଦେବେ। ଯଦି ଚିକିତ୍ସା ଖର୍ଚ୍ଚ ସ୍ବାସ୍ଥ୍ୟ ବୀମାର ୨ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ ଡିଏମ୍ଇଟିଙ୍କ ମଞ୍ଜୁରି ନେଇ ଅଧିକ ଅର୍ଥ ପ୍ରଦାନ କରାଯିବ।

ସେହିପରି ୩% ସୁଧରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ମିଳିବ। ୩ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ ଋଣ ଏବଂ ୩ ପ୍ରତିଶତ ସୁଧରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରି ଚକିଆ ଋଣ ମିଳିବ।

ଦୁର୍ଘଟଣା, ରୋଗରେ ପଡ଼ି ଅକର୍ମଣ୍ୟ ହେଲେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ଆଇଆଇଏମ୍ସିରେ ତାଲିମ୍ ପାଇଁ ପ୍ରତି ସାମ୍ବାଦିକ ପିଛା ୧୦ ହଜାର ଟଙ୍କା ଲେଖାଏ ସରକାର ଯୋଗାଇ ଦେବେ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.