ନବୀନଙ୍କୁ ଗୁଜୁରାଟ ମୁଖ୍ଯମନ୍ତ୍ରୀଙ୍କ କଟାକ୍ଷ, କହିଲେ ନିର୍ବାଚନ ଆସୁଛି ବୋଲି ସୁରତରେ ଥିବା ଓଡ଼ିଆଙ୍କ କଥା ମନେପଡିଲା

ଭୁବନେଶ୍ବର : ସୁରତରେ ଓଡ଼ିଶା ମହୋତ୍ସବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେ କହିଛନ୍ତି, ୨୦୧୯ରେ ଓଡ଼ିଶାରେ ବିଧାନସଭା ନିର୍ବାଚନ । ଏଥିପାଇଁ ୧୯ ବର୍ଷ ପରେ ସୁରତରେ ଥିବା ଓଡ଼ିଆଙ୍କ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମନେପଡ଼ିଛି । ସୁରତରେ ରହୁଥିବା ଓଡିଆ ଶ୍ରମିକଙ୍କୁ ଗୁୁଜୁରାଟ ସରକାରଙ୍କ ପକ୍ଷରୁ ମିଳିଛି ପକ୍କା ଘର । ସେଠାରେ ଓଡ଼ିଆ ମାଧ୍ୟମରେ ୭ଟି ସ୍କୁଲ ଗୁଜୁରାଟ ସରକାର ଖୋଲିଛନ୍ତି । ଚିଟଫଣ୍ଡ ଠକେଇର ବହୁ ଓଡ଼ିଆ ଶ୍ରମିକ ଶୀକାର ହୋଇଥିବା ବେଳେ ସେମାନେ ଏଯାଏ ଟଙ୍କା ଫେରିପାଇନାହାନ୍ତି । ଓଡ଼ିଶା ସରକାର ଏନେଇ ପଦକ୍ଷେପ ନିଅନ୍ତୁ ବୋଲି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୟ ରୂପାନୀ । ସେପଟେ ରୂପାନୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

ଅନ୍ଯପଟେ ବିଜୟ ରୂପାନୀ କହିଛନ୍ତି, ରାଫେଲ୍‌ ଡିଲ୍‌ ନେଇ କଂଗ୍ରେସର ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା । ଡିଲ୍‌ରେ କୌଣସି ଅନିୟମିତତା ହୋଇନାହିଁ । ଏନେଇ କୌଣସି ଯାଞ୍ଚର ଆବଶ୍ୟକ ନାହିଁ । ତେବେ ରାଫେଲ ଡିଲ ବାବଦରେ ମିଛ କହୁଥିବାରୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶବାସୀଙ୍କୁ ଭୁଲ ମାଗନ୍ତୁ ବୋଲି କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେ କହିଛନ୍ତି ଚୌକିଦାର ଚୋର ବୋଲି ଲୋକେ କେବେବି ମାନିବେନି । କଂଗ୍ରେସ ଦଳ କାଳ୍ପନିକ ଦୁନିଆରେ ବଞ୍ଚୁଛି । ଓଡିଶା ଗସ୍ତରେ ଆସିଥିବା ବିଜୟ ରୂପାନୀ ଏହା କହିଛନ୍ତି ।

ରାଫେଲ୍‌ ଯୁଦ୍ଧ ବିମାନ କିଣାରେ କୌଣସି ଅନିୟମିତତା ହୋଇନଥିବା ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ହେଲେ ଏହା ପରେ ମଧ୍ୟ ରାହୁଲ କହିଛନ୍ତି ରାଫେଲ ଡିଲ୍‌ ବାବଦରେ କଂଗ୍ରେସର ପୂର୍ବ ଆଭିମୁଖ୍ୟ ବଳବତ୍ତର ରହିଛି । ରାଫେଲ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ହୋଇଛି । ଜେପିସି ତଦନ୍ତ ହେଉ । ଦେଶର ଚୌକିଦାର ଚୋର ହୈ, ଏହା ସେ ସବୁଠି କହିବେ । ରାଫେଲ ଡିଲ୍‌ ଦୁର୍ନୀତିକୁ ନେଇ କିଛି ଦିନ ହେଲା କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.