Below header

ହରିରାଜପୁର ପଞ୍ଚୁଦୋଳ ମେଳଣ ଉଦ୍‌ଯାପିତ : ହରିହର ଭେଟ ସହ ସୃଷ୍ଟି ହେଲା ଆଧ୍ୟାତ୍ମିକ ବାତାବରଣ

ପୁରୀ (କେନ୍ୟୁଜ): ଓଡ଼ିଶା ପ୍ରସିଦ୍ଧ ପୁରୀ ଜିଲ୍ଲା ହରିରାଜପୁର ମେଳଣ ଉଦ୍‌ଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଲକ୍ଷାଧିକ ଶ୍ରଦ୍ଧାଳୁ ଅବିର ବଦଳରେ ପୁଷ୍ପରେ ରଙ୍ଗୀନ ହୋଇ ଯାଇଥିଲା ପରିବେଶ । ଏହା ସହିତ ଠାକୁରଙ୍କ ହରିହର ଭେଟ ବେଶ୍‌ ରୋମାଞ୍ଚକର ହେବା ସହିତ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ ।

ଅବିର ବଦଳରେ ପୁଷ୍ପ ବିଞ୍ଛିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଧାଡ଼ି ହୋଇ ବସିଛନ୍ତି ଦୋଳ ବିମାନ । ସୁସଜ୍ଜିତ ଦୋଳ ବିମାନ ମଧ୍ୟରେ ବସିଛନ୍ତି ଦେବ ଦେବ ମହାଦେବ ପ୍ରଭୁ ଲୀଳାମୟ ଭୋଳା ଶଙ୍କର । ରାଜ୍ୟର କୋଣ ଅନୁକୋଣର ୭୬ଟି ଗାଁର ଆରାଧ୍ୟ ଠାକୁର ଏକତ୍ରିତ ହୋଇ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ । ଭକ୍ତ ବି ଏତେ ଠାକୁରଙ୍କୁ ଏକାଠି ପାଇ ହାତ ଛଡ଼ା କରନ୍ତେ ବା କିପରି । ସେଥିପାଇଁ ତ ଏଠାରେ ଚାଲିଛି ବିଭିନ୍ନ ପ୍ରକାରର ପୁଷ୍ପ ବର୍ଷା । ଠାକୁରଙ୍କୁ ଏଭଳି ପୁଷ୍ପ ବିଞ୍ଚିବା ଅବକାଶ ହୁଏ ତ ଆଉ ଜୀବନରେ ମିଳିବ କି ନାହିଁ । ଭକ୍ତର ହାତର ଭକ୍ତିଭାବ ଭରା ପୁଷ୍ପର ସ୍ପର୍ଶ ପାଇବାକୁ ଯେପରି ଅପେକ୍ଷା କରି ରହିଥିଲେ ଭଗବାନ ଶଙ୍କର ପାର୍ବତୀଙ୍କ ସହିତ ରାଧା କୃଷ୍ଣ । ଭକ୍ତ ଓ ଭଗବାନଙ୍କର ଏପରି ଏକ ଭକ୍ତି ଭାବ ଭରା ଅପୂର୍ବ ମିଳନ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଡେଲାଙ୍ଗ ସ୍ଥିତ ହରିରାଜପୁର ମେଳଣରେ ।

ମେଳଣର ଥାନ ପତି ମହାପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବ । ଠାକୁରଙ୍କର ଏହା ହେଉଛି ସବୁଠାରୁ ବଡ଼ ପର୍ବ । ପ୍ରତିବର୍ଷ ଚାରି ଦିନ ଧରି ଏହି ମେଳଣ ଚାଲିଥିବା ବେଳେ ଚଳିତ ବର୍ଷ ଏହା ୫ ଦିନ ବ୍ୟାପି ପାଳନ କରାଯାଇଥିଲା । ଶେଷ ଦିନ ସଂଧ୍ୟାରେ ଠାକୁରଙ୍କ ନିକଟରେ ହାଣ୍ଡିରେ ଭୋଗ ଲାଗି କରାଯିବା ପରେ, ଠାକୁର ନିଜ ଆସ୍ଥାନକୁ ଫେରିବା ସମୟରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଠାକୁର ପରସ୍ପର ମଧ୍ୟରେ ହରିହର ଭେଟ ହୋଇଥାନ୍ତି । ଏହି ସମୟରେ ଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.