ଲଗାଣ ବର୍ଷାରେ ବେହାଲ ବନ୍ଦର ନଗରୀ ପାରାଦୀପ, ତଳିଆ ଅଞ୍ଚଳ ଗୁଡିକରେ ଘର ଭିତରେ ଲହଡ଼ି ମାରୁଛି ପାଣି
ପାରାଦୀପ:ଲଗାଣ ବର୍ଷାରେ ବେହାଲ ବନ୍ଦର ନଗରୀ ପାରାଦୀପ। ତଳିଆ ଅଞ୍ଚଳ ଗୁଡିକରେ ଘର ଭିତରେ ପାଣି ଲହଡ଼ି ମାରୁଥିବା ବେଳେ, କେତେକ ସ୍ଥାନରେ ରାସ୍ତା ଉପରେ ମଧ୍ୟ ପାଣି ଜମି ରହିଛି। ଗତକାଲି ରାତିରୁ ବର୍ଷା ସାଙ୍ଗକୁ ପବନ ମଧ୍ୟ ଜୋରରେ ହେଉଛି। କେତେକ ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପାରାଦୀପର ୧୦,୧୧ ଓ ୧୨ନଂ ଓ୍ଵାର୍ଡ ସମେତ ନିୟୁ ଜଗନ୍ନାଥ କଲୋନୀ, ବାଉରିଆପାଳନ୍ଦା, ଲକପଡା, ବାଲିଝରା, ଷଣ୍ଢକୁଦ, ମୁଣ୍ଡା ପଡା,ନୂଆବଜାର କଲୋନୀରେ ଲୋକଙ୍କ ଘରେ ପାଣି ପଶିଯାଇଛି।
ଅଧିକ ବର୍ଷା ହେଉଥିବାରୁ ଡ୍ରେନ୍ ଗୁଡିକରୁ ବର୍ଷା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହୋଇଛି। ପାରାଦୀପ ମ୍ୟୁନିସିପାଲଟି ତରଫରୁ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ତଳିଆ ଅଞ୍ଚଳରେ ପାଣି ପଶିଯିବାରୁ ୧୫୦ଜଣ ବସ୍ତିବାସିନ୍ଦା ଇନ୍ଦିରା ପାର୍କ ସ୍କୁଲ ଓ ଶ୍ରମିକ ଭବନରେ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ମ୍ୟୁନିସପାଲିଟ ପକ୍ଷରୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି।.