ଅଲିଭ୍‌ ରିଡଲେ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଶୁଣାଣି, ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ(କେନ୍ଯୁଜ୍): ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାରେ ଶୁଣାଣି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍‌ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ମେରାଇନ ଥାନାରେ ପୋଲିସ ପଦବି ପୂରଣ ଦିଗରେ କଣ ପଦକ୍ଷେପ ନିଆଯାଇଛ, ଅସ୍ତରଙ୍ଗ ନଦୀ ମୁହାଣ ନିଷେଧାଞ୍ଚଳରେ ମାଛ ଧରା ବନ୍ଦ ନେଇ କଣ ପଦକ୍ଷେପ ନିଆଯାଇଛି ଓ ବୋଟ ମାନଙ୍କରେ ଟ୍ରାନ୍ସପେଣ୍ଡର ଲଗାଇବା ଦିଗରେ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୨୬ରେ ହେବ । ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ ଏହି ମାମଲା ପରିଚାଳନା କରୁଛନ୍ତି । ଅଲିଭ ରିଡଲେଙ୍କ ପ୍ରସଙ୍ଗରେ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏଥିରେ ୨୦୨୧ ଜାନୁଆରି ମାସରୁ ୮ଶହ ଅଲିଭ ରିଡଲେ ଓଡ଼ିଶା ଉପକୂଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଥିଲା। ମାଛମରା ଜାଲରେ ପଡି ଶହ ଶହ କଇଁଛଙ୍କ ମୃତ୍ୟୁ ହେଉଛି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହିତ ଋଷିକୂଲ୍ୟା ଉପକୂଳରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ଓ ଆବର୍ଜନା ବିକ୍ଷିପ୍ତ ହୋଇ ପଡି ରହିଛି । ଏହା ସାମୁଦ୍ରିକ କଇଁଛଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ସମୁଦ୍ର ଉପକୂଳରେ କଇଁଛଙ୍କ ମୃତ ଦେହରୁ ଦୁର୍ଗନ୍ଧ ବାହାରୁଛି । ଏହା ପର୍ଯ୍ୟଟକଙ୍କୁ ଦୂରେଇ ଦେଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏହାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.