ନୃଶଂସ ସ୍ୱାମୀ, ଆଠ ମାସର ଗର୍ଭବତୀ ସ୍ତ୍ରୀକୁ ଜୀବନରୁ ମାରି ଫେରାର୍

ଭୁବନେଶ୍ୱର (କେ ନ୍ୟୁଜ୍‌) : ଖଣ୍ଡଗିରି ଥାନା ଅଞ୍ଚଳ ପଣ୍ଡା ଗଦିଆ ଗାଁରେ ଘଟିଛି ଏକ ଅମାନୁଷିକ ଘଟଣା । ସ୍ଵାମୀର ଆଣ୍ଠୁ ମାଡ଼ରେ ଚାଲି ଯାଇଛି ସ୍ତ୍ରୀର ଜୀବନ । ଆଠ ମାସର ଗର୍ଭବତୀ ଥିଲା ସ୍ତ୍ରୀ । ଜୀବନ ପାଇବା ପୂର୍ବରୁ ପେଟରେ ଥିବା ସନ୍ତାନର ମଧ୍ୟ ମୃତ୍ୟୁ ଘଟିଛି। ଏ ନେଇ ଝିଅ ବାପା ଖଣ୍ଡିଗିରି ଥାନାରେ ଜ୍ବାଇଁ ନାଁରେ ଏତଲା ଦେଇଛନ୍ତି ।

ପରିବାର ଲୋକଙ୍କ କହିବା ଅନୁସାରେ ନୟାଗଡ଼ ଜିଲ୍ଲା ବଲାଙ୍ଗିବନ୍ଧ ଗାଁର ପ୍ରଫୁଲ୍ଲ କୁମାର ନାୟକଙ୍କ ଝିଅ ଶ୍ରଦ୍ଧାଞ୍ଜଳି ମାଛିପଡ଼ା ଗାଁର ସୁର ସୁବୁଦ୍ଧିଙ୍କ ପୁଅ ବବୁଲୁ ସୁବୁଦ୍ଧିଙ୍କୁ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ। ଦୁହେଁ ଭୁବନେଶ୍ୱରରେ ଏକ ଅଳଙ୍କାର ଦୋକାନରେ କାମ କରୁଥିଲା ବେଳେ ପରସ୍ପରକୁ ଭଲ ପାଇ ବସିଥିଲେ । ବିବାହର କିଛି ଦିନ ପରେ ସେମାନେ ଆସି ଭୁବନେଶ୍ୱର ଉପକଣ୍ଠ ଶାମପୁର ନିକଟ ପଣ୍ଡାଗଦିଆ ଗାଁରେ ଭଡାକୁ ରହୁଥିଲେ। ହେଲେ ଶୈତାନୀ ପ୍ରକୃତିର ସ୍ଵାମୀ ବବୁଲୁ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ଉପରେ ଅତ୍ୟାଚାର କରୁଥିଲା । ଟଙ୍କା ପଇସା ଗାଡ଼ି ମୋବାଇଲ ଆଦି ଦାବି କରୁଥିଲା । ପୁଣି ଯାହା ଧାର କରଜ କରିଛି ତାକୁ ବାପ ଘରୁ ଆଣି ଶୁଝିବାକୁ କହୁଥିଲା । ଏହା ଭିତରେ ଶ୍ରଦ୍ଧାଞ୍ଜଳି ଗର୍ଭବତୀ ହେଲେ।

ଅଭିଯୋଗ ଅନୁଯାୟୀ, ବବୁଲୁର ମା କୁଆଡ଼େ ୨ଲକ୍ଷ ଟଙ୍କା ଦାବି କରିଥିଲେ ଶ୍ରଦ୍ଧାଞ୍ଜଳି ବାପାଙ୍କ ନିକଟରେ । କଳି ଝଗଡ଼ା ପରେ ଶ୍ରଦ୍ଧାଞ୍ଜଳି ଆସି ନିଜ ଘରେ ରହୁଥିଲେ । ତେବେ ଦାବି କରିଥିବା ୨ ଲକ୍ଷ ଟଙ୍କା ଦେବାରେ ବିଳମ୍ବ ହେବାରୁ ଜ୍ବାଇଁ ବବୁଲୁ ଆସି ଘରେ ପଶି ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ମାଗି ଝଗଡ଼ା କରିଥିଲା । ଆଉ ତା ପରେ ଉଗ୍ର ରୂପ ଧରି ମାଡ଼ ମାରି ଚାଲିଲା । ପୁଣି ନିର୍ଦ୍ଦୟ ଭାବେ ଆଠ ମାସର ଗର୍ଭବତୀ ଶ୍ରଦ୍ଧାଞ୍ଜଳି ପେଟକୁ ଆଣ୍ଠୁରେ ମାଡ଼ ମାରି ଆଘାତ କରି ସେଠାରୁ ଫେରାର ହୋଇଯାଇଥିଲା । ଘଟଣାର ଦୁଇ ତିନି ଦିନ ପରେ ଝିଅର ଯନ୍ତ୍ରଣା ହେବାରୁ ଘର ଲୋକେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ଶ୍ରଦ୍ଧାଞ୍ଜଳିଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାମୀ ବବୁଲୁ ଫେରାର ଥିବା ବେଳେ ଖଣ୍ଡଗିରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.