କୁନି ପିଲାଙ୍କ ଘୋଡା ଦୌଡ ପ୍ରତିଯୋଗିତା, ବଡ ବଡ ଖେଳାଳୀ ବି ହାର ମାନିବେ ଏମାନଙ୍କ ପାଖରେ

ମାଲକାନାଗିରି (କେନ୍ୟୁଜ) : କେବେ ଦେଖିଛନ୍ତି ଘୋଡା ଦୌଡ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଘୋଡାରେ ସବାର ହୋଇ ପ୍ରତିଯୋଗୀ ମାନେ ଜଣେ ଜଣଙ୍କୁ ପ୍ରତିଯୋଗିତା କରନ୍ତି। କିଏ ପ୍ରଥମ ହେବ ତାକୁ ନେଇ ଚାଲେ ରେସିଙ୍ଗ। ତେବେ ଏଠି କଥାଟା ଟିକେ ଅଲଗା। ଏଠାରେ ଘୋଡାରେ ସବାର ପ୍ରତିଯୋଗୀ କୁନି କୁନି ପିଲା। ଆପଣ ଦେଖୁଥିବା ଏ ଚିତ୍ର ଅନ୍ୟ କେଉଁ ରାଜ୍ୟର ନୁହେଁ ବରଂ ଓଡିଶାର ମାଲକାନାଗିରି ଜିଲ୍ଲାର।

ଏଠାରେ ଧିରେ ଧିରେ ବିକାଶ ଛୁଇଁଥିବା ବେଳେ ରାସ୍ତା,ପାନୀୟ ଜଳ ସାଙ୍ଗକୁ ମୋବାଇଲ ନେଟଓ୍ଵର୍କ ମଧ୍ୟ ପହଞ୍ଚିବାରେ ଲାଗିଲାଣି। ତେବେ ସ୍ୱାଭିମାନ ଅଂଚଳରେ ର୍ନିମାଣ ହୋଇଥିବା ନୂତନ ରାସ୍ତାରେ କିଛି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୮ରୁ ୧୨ ବର୍ଷର ପିଲମାନେ ଘୋଡାରେ ବସି ଦୌଡ ପ୍ରତିଯୋଗିତା କରୁଥିବା ଭଳି ଦୃଶ୍ଯ ଦେଖିବାକୁ ମିଳିଥିଲା। ଯାହାକି ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ସତ।

ଯେଉଁ ବୟସରେ ପିଲାମାନେ କଲମ ଧରିବା କଥା ସେହି ବୟସରେ ଘୋଡା ଚଢି ଜଣେ ଦକ୍ଷ ଚଢାଳି ଭଳି କ୍ଷୀପ୍ର ଗତିରେ ଘୋଡ଼ାଙ୍କୁ ନିର୍ଦେଶ ଦେଇ ଦୌଡୁଥିବା ଦୃଶ୍ଯ ଚକିତ କରୁଛି ସମସ୍ତଙ୍କୁ। ପ୍ରାୟ ୧୦ ରୁ ୧୨ ଜଣ ପିଲା ଏକ ସାଙ୍ଗରେ ଘୋଡାରେ ବସି ଦୌଡ ପ୍ରତିଯୋଗିତା କରିବାର ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିବା ସହ ଆଦିବାସୀ ପିଲାଙ୍କ ଏଭଳି ଦକ୍ଷତାକୁ ପ୍ରଶଂସା କରୁଛନ୍ତି ଲୋକେ।

ଦିନ ଥିଲା ଏହି ଘୋଡା କେବଳ ଗୋଟିଏ ଗ୍ରାମରୁ ଅନ୍ଯ ଗ୍ରାମକୁ ଏବଂ ପଡୋଶୀ ରାଜ୍ଯକୁ ଯିବା ଆସିବାର ମାଧ୍ୟମ ଥିଲା। ବିଛିନ୍ନାଞ୍ଚଳରେ ନା ରାସ୍ତା ଥିଲା ନା ମଟର ଗାଡି ଥିଲା। ଲୋକେ ଏହି ଘୋଡା ପିଠିରେ ନିଜର ଅତ୍ୟାବଶକୀୟ ଜିନିଷ ଗୋଟିଏ ସ୍ଥାନରୁ ଅନ୍ଯ ସ୍ଥାନକୁ ନେବା ଆଣିବା କାମରେ ଲଗାଉଥିଲେ। କିନ୍ତୁ ଏବେ ଗାଁ ଗାଁକୁ ରାସ୍ତା ତିଆରି ଚାଲିଛି। ଲୋକେ ଏବେ ଘୋଡା ବ୍ୟବହାର କମ୍‌ କରୁଛନ୍ତି। ଏବେ ମଟର ସାଇକେଲ କିମ୍ବା ଚାରିଚକିଆ ଯାନରେ ହିଁ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି।

ତେବେ ସ୍କୁଲ ଖୋଲିନଥିବାରୁ ପିଲାମାନେ ନିଜର ଆନନ୍ଦ ପାଇଁ ଘୋଡାକୁ ଖେଳନା ସଦୃଶ୍ଯ ବନାଇ ଦେଇଥିବା ଦେଖିବାକୁ ମିଳିଛି। ବଡ ବଡ ସହରରେ ଘୋଡା ଦୌଡରେ ମଧ୍ୟ ଏଭଳି ଦକ୍ଷ ଘୋଡା ଚଢାଳି ଦେଖିବାକୁ ମିଳିବେ ନାହିଁ। ଯେପରି ଏହି ପିଲାମାନେ ଘୋଡାରେ ବସି ଦୌଡିବା ଶିଖିଛନ୍ତି।ଏମାନେ କୌଣସି ତାଲିମ ନେଇନାହାନ୍ତି।କିନ୍ତୁ ପିଲାଟି ଦିନରୁ ଘୋଡା ପିଠିରେ ବସିବା ଏବଂ ସେମାନଙ୍କୁ ନିଜ ଆୟତ୍ତକୁ ଆଣିବାର କଳାକୌଶଳ ନିଜେ ନିଜେ ଶିଖିଛନ୍ତି।

ସ୍ୱାଭିମାନ ଅଂଚଳର ପକ୍କା ରାସ୍ତାରେ ପିଲାମାନେ ନିଜ ନିଜ ଘୋଡାରେ ଏବେ ସ୍କୁଲ ଯିବାକୁ ପସନ୍ଦ କରୁଥିବା କହନ୍ତି। ସ୍କୁଲଗୁଡିକ ପ୍ରାୟ ଦୁଇ ତିନି କିଲୋମିଟର ଦୁରରେ ରହିଥିବାରୁ ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ଘୋଡା ଦେବାରେ କୁଣ୍ଠାବୋଧ କରୁନାହାନ୍ତି। ଏହି ଅଂଚଳର ପ୍ରାୟ ସବୁ ଗାଁରେ ଘୋଡା ରହିଛି। ଯାହାର ଘୋଡା ନାହିଁ ସେ ଘୋଡାକୁ ଭଡା ଭାବରେ ମଧ୍ୟ ନେଉଛନ୍ତି। ତେବେ ପିଲାଙ୍କର ଏହି ଘୋଡା ଦୌଡ ଦେଖି ବେଶ୍‌ ଖୁସି ଲାଗୁଛି। ଯଦି ଏବେ ଠାରୁ ଘୋଡା ଦୌଡ ପ୍ରତିଯୋଗିତା ପାଇଁ ଶିକ୍ଷା ଦିଆଯାଏ ତେବେ ଏମାନେ ନିଶ୍ଚିତ ଭାବେ ଭବିଷ୍ୟତରେ ଜଣେ ଜଣେ ଦକ୍ଷ ଖେଳାଳୀ ହୋଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.