ଗଜପତି: ସାହା ହେଲା କିସ୍‌ ଫାଉଣ୍ଡେସନ୍‌, ୬ ଅନାଥ ଭଉଣୀଙ୍କୁ ବଢାଇଲା ସହାୟତାର ହାତ

କେନ୍ୟୁଜ୍(ବ୍ୟୁରୋ):  ୬ ଅନାଥ ଝିଅଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ୍‌ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଖାରିସାହିର ୬ ଅନାଥ ଭଉଣୀଙ୍କୁ ସହାୟତାର ହାତ ବଢାଇଛି କିସ୍‌ ଫାଉଣ୍ଡେସନ୍‌ । ଗତବର୍ଷ ଏପ୍ରିଲ୍‌ରେ ସେମାନଙ୍କ ବାପା ଉର୍ବଙ୍ଗ ଦଳବେହେରା ଓ ମାଆ ସୁଜନୀ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ୬ ଝିଅ ଅନାଥ ହୋଇଯାଇଥିଲେ । ବଡ଼ ଦୁଇ ଝିଅ ସୁରଜନୀ ଓ ଉର୍ବନୀ ଏବେ ପରିବାର ପ୍ରତିପୋଷଣ କରିବା ପାଇଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ଏହି ଖବର କନ୍ଧମାଳ ସାଂସଦ ତଥା କିସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ତୁରନ୍ତ ସହାୟତା ଯୋଗାଇ ଦେଇଛନ୍ତି ।

kiss foundation 1

ଡକ୍ଟର ଅଚ୍ୟୁତ ସାମନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରିବା ପରେ ତୁରନ୍ତ ୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏହାସହ ସେମାନେ ପାଠ ପଢିବା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ସେମାନଙ୍କ ଚଳିବା ଓ ପାଠ ପଢିବା ପାଇଁ କିସ୍‌ ଫାଉଣ୍ଡେସନ୍‌ ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । ଏହାସହ ଭବିଷ୍ୟତରେ ଯେଭଳି ସେମାନଙ୍କ ପାଠ ପଢ଼ିବାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି କିସ୍‌ ଫାଉଣ୍ଡେସନ୍‌ ଯତ୍ନବାନ ରହିବ ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ ।

ଦାରିଦ୍ର୍ୟ ଯୋଗୁଁ କୌଣସି ପିଲା ଯେଭଳି ପାଠ ପଢାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କିସ୍‌ ଫାଉଣ୍ଡେସନ୍‌ ସର୍ବଦା ଯତ୍ନବାନ ରହି ଆସିଛି । ଏହି ସହାୟତା ପାଇଁ ୬ ଭଉଣୀ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ତଥା କିସ୍‌ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.